କୁନି କୁନି ଛାତ୍ରଛାତ୍ରୀ ଦେଲେ ଓଡ଼ିଆ ଅସ୍ମିତାର ବାର୍ତ୍ତା
ଝାରସୁଗୁଡ଼ା, ୨୩/୧୧/୨୦୨୬: ଓଡ଼ିଆ ଜାତିର ଗୌରବମୟ ନୌବାଣିଜ୍ୟ ପରମ୍ପରା, ସାଂସ୍କୃତିକ ଐତିହ୍ୟ ଓ ଅତୀତର ସମୃଦ୍ଧ ସ୍ମୃତିକୁ ମନେ ପକାଇ ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତଥା ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଉତ୍ସବମୁଖର ପରିବେଶ ମଧ୍ୟରେ ଓଡ଼ିଆ ଅସ୍ମିତା, ପରମ୍ପରା ଓ ଐତିହ୍ୟର ଅନନ୍ୟ ଝଲକ ପ୍ରତିଫଳନ ସ୍ୱରୂପ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀମାନେ ପାରମ୍ପରିକ ଶ୍ରଦ୍ଧା ଓ ଉତ୍ସାହର ସହିତ ବୋଇତ ବନ୍ଦାଣ କରିଥିଲେ । ଓଡ଼ିଶାର ସାଧବପୁଅମାନେ ପ୍ରାଚୀନ କାଳରେ ବାଣିଜ୍ୟ ବ୍ୟବସାୟ ଉଦ୍ଦେଶ୍ୟରେ ଦୂରଦେଶକୁ ସମୁଦ୍ରଯାତ୍ରା କରୁଥିବା ଗୌରବମୟ ଇତିହାସକୁ ଉଜ୍ଜୀବିତ କରିବା ସହ ନୌବାଣିଜ୍ୟର ଗୁରୁତ୍ୱ, ସାହସିକତା ଓ ଉଦ୍ୟୋଗଶୀଳତାର ବାର୍ତ୍ତା ଛାତ୍ରଛାତ୍ରୀମାନଙ୍କଦ୍ବାରା ଅଭିନୟ ମାଧ୍ୟମରେ ପ୍ରସାର କରାଯାଇଥିଲ।

ପାରମ୍ପରିକ ବୋଇତ ବନ୍ଦାଣ ଆୟୋଜନ କରି ନୂତନ ପୀଢ଼ି ନିଜର ମହାନ ସାଂସ୍କୃତିକ ଐତିହ୍ୟ, ପୂର୍ବପୁରୁଷଙ୍କ କୀର୍ତ୍ତି ଓ ଓଡ଼ିଆ ଜାତିର ଗୌରବମୟ ଇତିହାସ ସହିତ ପରିଚିତ ହେବାର ସୁଯୋଗ ପାଇଥିଲେ। ଅଧ୍ୟକ୍ଷ ଶ୍ରୀ ଦେବତା ଏହାକୁ କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଓଡ଼ିଆ ଜାତିର ଆତ୍ମପରିଚୟ, ସାହସ ଓ ସମୃଦ୍ଧ ପରମ୍ପରାର ଏକ ଅନନ୍ୟ ପ୍ରତୀକ ବୋଲି ମତବ୍ୟକ୍ତ କରିଥିଲେ। ଏହି ଉତ୍ସବର ସଫଳ ଆୟୋଜନ ଓ ପରିଚାଳନାରେ ସୁନନ୍ଦା ପ୍ରହରାଜ, ସ୍ମିତା ସାହୁ, ସଙ୍ଗୀତା ସିହ୍ନା, ରିଙ୍କୁ ଶର୍ମା, ଅଞ୍ଜଳି ବାଲ ସୁବ୍ରମନ୍ୟନ, ସବିତା ରାଣୀ ଧଳ, ଏ.ଏସ୍.ଭି. ଶ୍ରୀବାଲି, ମୋନିକା ଶ୍ରୀବାସ୍ତବ, ରଶ୍ମିତା ଲେଙ୍କା, ଉମା ସିଂହ ଚନ୍ଦେଲ, ଋତୁପର୍ଣ୍ଣା ଶତପଥୀ, ତିତଲି ଦତ୍ତ, ନୀଳିମା ପଟେଲ, ମଜୁମ ସାହୁ, ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।