ଓଡ଼ିଶାରେ ପ୍ରଥମ: କିମ୍‍ସରେ ଏକକାଳୀନ ଯକୃତ ଓ ବୃକ୍‍କ ସଫଳ ପ୍ରତିରୋପଣ

7

୩୨ ବର୍ଷୀୟ ରୋଗୀଙ୍କୁ ମିଳିଲା ନୂଆ ଜୀବନ; ୧୪ ଡାକ୍ତର,୧୪ ଘଣ୍ଟା ଧରି ଚାଲିଥିଲା ଜଟିଳ ଅସ୍ତ୍ରୋପଚାର

ଭୁବନେଶ୍ୱର, ୨୩ ।୧୧: ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‍ସେସ୍ (କିମ୍‍ସ)ରେ ପ୍ରଥମଥର ପାଇଁ ଅଙ୍ଗଦାତାଙ୍କଠାରୁ ସଂଗୃହୀତ ଯକୃତ ଓ ବୃକ୍‍କର ଏକକାଳୀନ ପ୍ରତିରୋପଣ ସଫଳତାର ସହ ସମ୍ପନ୍ନ ହୋଇଛି। ଦୀର୍ଘ ୧୪ ଘଣ୍ଟା ଧରି ଚାଲିଥିବା ଏହି ଜଟିଳ ଅସ୍ତ୍ରୋପଚାର ଜରିଆରେ ଜନୈକ ୩୨ ବର୍ଷୀୟ ରୋଗୀଙ୍କୁ ନୂଆ ଜୀବନ ମିଳିଛି।

ରୋଗୀ ଜଣକ ପ୍ରାୟ ୧୮ ମାସ ଧରି ବୃକ୍‍କ ଜନିତ ଗୁରୁତର ସମସ୍ୟାରେ ପୀଡ଼ିତ ଥିଲେ । ତାଙ୍କୁ ନିୟମିତ ଡାୟାଲିସିସ୍ କରିବାକୁ ପଡ଼ୁଥିଲା। ପରବର୍ତ୍ତୀ ସମୟରେ ହେପାଟାଇଟିସ୍‌-ବି ସଂକ୍ରମଣ ଯୋଗୁଁ ତାଙ୍କ ଯକୃତରେ ଗୁରୁତର ରୋଗ ସୃଷ୍ଟି ହୋଇଥିବା ଜଣାପଡ଼ିଥିଲା। ଏହାସହ ତାଙ୍କ ପେଟରେ ବାରମ୍ବାର ତରଳ ପଦାର୍ଥ ଜମା ହେଉଥିବାରୁ ତାହାକୁ ନିଷ୍କାସନ କରିବାକୁ ପଡ଼ୁଥିଲା। ଏଭଳି ସ୍ଥିତିରେ ତାଙ୍କର ଉଭୟ ଯକୃତ ଓ ବୃକ୍‍କ ପ୍ରତିରୋପଣ ଅତ୍ୟନ୍ତ ଜରୁରୀ ହୋଇପଡ଼ିଥିଲା।

ଏହି ସମୟରେ ଜଣେ ଯୁବ ମୃତ ଅଙ୍ଗଦାତାଙ୍କ ପରିବାର ଅଙ୍ଗଦାନ ପାଇଁ ସମ୍ମତି ପ୍ରଦାନ କରିବାରୁ ରୋଗୀଙ୍କ ପାଇଁ ନୂଆ ଆଶା ସଞ୍ଚାର ହୋଇଥିଲା। ବ୍ୟାପକ ପରୀକ୍ଷା ଓ ଯକୃତ-ବୃକ୍‍କ ପ୍ରତିରୋପଣ ପାଇଁ ସମସ୍ତ ପ୍ରସ୍ତୁତି ପରେ କିମ୍‍ସରେ ଉଭୟ ଅଙ୍ଗର ପ୍ରତିରୋପଣ ଏକସଙ୍ଗେ କରାଯାଇଥିଲା। ବର୍ତ୍ତମାନ ରୋଗୀଙ୍କ ଯକୃତ ଓ ବୃକ୍‍କ ସ୍ୱାଭାବିକ ରହିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ହେବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।

ଏକକାଳୀନ ଉଭୟ ଯକୃତ ଓ ବୃକ୍‍କ ପ୍ରତିରୋପଣ ଅତ୍ୟନ୍ତ ଜଟିଳ ଚିକିତ୍ସା ପ୍ରକ୍ରିୟା। ଦେଶର ହାତଗଣତି କେତେକ ହସ୍ପିଟାଲରେ ଏହି ଚିକିତ୍ସା ସୁବିଧା ଉପଲବ୍ଧ ରହିଛି। କିମ୍‍ସରେ ଏହା ସଫଳତାର ସହ କରାଯାଇପାରିଛି। କିଟ୍‌, କିସ୍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦୂରଦୃଷ୍ଟି ଓ ଓଡ଼ିଶାରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା ପ୍ରତି ତାଙ୍କର ପ୍ରତିବଦ୍ଧତା ଏହି ସଫଳତାର ମୁଖ୍ୟ ପ୍ରେରଣା ବୋଲି କିମ୍‍ସ ପକ୍ଷରୁ କୁହାଯାଇଛି।

ଏହି ବିରଳ ଅସ୍ତ୍ରୋପଚାରରେ କିମ୍‍ସର ବିଭିନ୍ନ ବିଭାଗର ମୋଟ ୧୪ ଜଣ ଡାକ୍ତର ଓ ବିଶେଷଜ୍ଞ ସାମିଲ୍‍ ହୋଇଥିଲେ। କିମ୍‍ସର ଯକୃତ ପ୍ରତିରୋପଣ ଶଲ୍ୟ ଚିକିତ୍ସା ବିଭାଗ ମୁଖ୍ୟ ଡା. ସତ୍ୟପ୍ରକାଶ ରାୟ ଚୌଧୁରୀ ଏହି ପ୍ରତିରୋପଣ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ବୃକ୍‍କ ପ୍ରତିରୋପଣ ଡା. ପ୍ରିୟବ୍ରତ ଦାସ, ଡା. ଦେବାଶିଷ ରାଉତରାୟ ଓ ଡା. ଜ୍ୟୋତିକାନ୍ତ ବେହେରାଙ୍କ ଦ୍ୱାରା ସଂପନ୍ନ ହୋଇଥିଲା। ଏହି ଟିମ୍‌ରେ ଆନାସ୍ଥେସିଆ ବିଭାଗର ଡା. ନିକୁଞ୍ଜ କିଶୋର ରାଉତ ଓ ଡା. ଶକ୍ତି ସ୍ୱରୂପ, କ୍ରିଟିକାଲ୍ କେୟାର ବିଭାଗର ଡା. ଅରୁଣ ରଥ ଏବଂ ରେଡିଓଲୋଜି ବିଭାଗର ଡା. ବିପିନ ବିହାରୀ ପ୍ରଧାନ ସାମିଲ ଥିଲେ। ଏହାସହ ଅଙ୍ଗଦାତାଙ୍କ ଚିକିତ୍ସା ଓ ପରିଚାଳନାରେ ଡ. ସୁଜିତ କୁମାର ପ୍ରଧାନ, ଡ. ଦେବୀପ୍ରସାଦ ଦାଶ ଓ ଡ. ତପସ ରଞ୍ଜନ ଲେଙ୍କାଙ୍କ ସମେତ କ୍ରିଟିକାଲ୍ କେୟାର ଟିମ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏହି ସଫଳତା ପାଇଁ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ସମ୍ପୃକ୍ତ ଡାକ୍ତରୀ ଦଳକୁ ଶୁଭେଚ୍ଛା ଜଣାଇବା ସହ ରୋଗୀଙ୍କ ଆରୋଗ୍ୟ କାମନା କରିଛନ୍ତି।

Leave A Reply

Your email address will not be published.