ଖଣ୍ଡଗିରି ମହୋତ୍ସବରେ  ଓଡ଼ିଶାର ଲୋକ କଳା, ନୃତ୍ୟ ଓ ସଙ୍ଗୀତର ଵିପଣୀ 

0

 

 ଭୁବନେଶ୍ୱର/ ଚକ୍ରଧର ମାଝି – ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ, ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଆୟୋଜିତ ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଥିଲା ଦ୍ୱିତୀୟ ସନ୍ଧ୍ୟା । ଖଣ୍ଡଗିରି ଓ ଉଦୟଗିରିର ପଥରରେ ରହିଥିବା ଗୁମ୍ଫା ଭାରତର ଏକ ଅନନ୍ୟ ଇତିହାସ ଭାବେ ପୃଥିବୀ ପ୍ରସିଦ୍ଧ । ସେତେବେଳର ଓଡିଶାର ଲୋକପ୍ରିୟ ରାଜା ଐରଖାରବେଳ ଏହି ପଥର ଶିଳାକୁ ସୁନ୍ଦର ଭାବରେ ଖୋଦିତ କରି ପାହାଡ ଉପରେ ସୈାନ୍ଦର୍ଯ୍ୟର ପରିବେଶ ତିଆରି କରି ଲୋକମାନଙ୍କୁ ସମର୍ପିତ କରିଥିଲେ । ଓଡ଼ିଶାର ଲୋକ କଳା, ନୃତ୍ୟ ଓ ସଙ୍ଗୀତର ପ୍ରଚାର ଓ ପ୍ରସାର କରିବା ସହିତ ଲୋକ ଲୋଚନକୁ ଆଣି ଓଡ଼ିଶାକୁ ଦେଶ ଓ ବିଦେଶରୁ ପର୍ଯ୍ୟଟକମାନଙ୍କର ଆଗମନ ସଂଖ୍ୟା ବୃଦ୍ଧି କରିବା ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ  ।

ଦ୍ୱିତୀୟ ସଂଧ୍ୟାର ଅତିଥି ଭାବରେ ପ୍ରଦୀପ ପ୍ରଜ୍ୱୋଳନ କରିଥିଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ  ସୂର୍ଯ୍ୟନାରାୟଣ ପାତ୍ର, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀ ଅନନ୍ତ ନାରାୟଣ ଜେନା   ।

ଦ୍ୱିତୀୟ ସନ୍ଧ୍ୟାର ପ୍ରାରମ୍ଭିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଥିଲା ଖୋର୍ଦ୍ଧାର ପାଇକ ନୃତ୍ୟ  । ସେମାନଙ୍କର ପ୍ରସ୍ତୁତିରେ ଥିଲା ଇଂରେଜମାନଙ୍କୁ ଭାରତ ଭୂମିରୁ ବିତାଡ଼ିତ କରିବା ସହିତ ଭାରତର ଶେଷ ସ୍ୱାଧୀନ ଦୁର୍ଗ ବରୁଣେଇ ପାହାଡ଼ର ରକ୍ଷା କରୁଥିବା ପାଇକମାନଙ୍କର ଜୀବନ ଶୈଳୀକୁ ନେଇ ନୃତ୍ୟ ପରିବେଷଣ  । ପରେ ପରେ ବିଶ୍ୱ ଜନନୀ କଳା ପରିଷଦର କଳାକାରମାନଙ୍କ ଦ୍ୱାରା ପରିବେଶିତ ହୋଇଥିଲା ଓଡ଼ିଶାର ୫୦୦ ବର୍ଷର ପୁରାତନ ଲୋକ ନୃତ୍ୟ ପଶୁକଳା ନୃତ୍ୟ ଯାହା ପଶୁମାନଙ୍କର ସୁରକ୍ଷା ଓ ବନ ସୁରକ୍ଷାର ବାର୍ତ୍ତା ଦେଇଥିଲା  । ପରବର୍ତ୍ତୀ ପ୍ରସ୍ତୁତି କଳାହାଣ୍ଡି ଜିଲ୍ଲାର କେସିଙ୍ଗାରୁ ଆସିଥିବା ବୃନ୍ଦାବନ ସାଂସ୍କୃତିକ ପରିଷଦର କଳାକାରମାନଙ୍କ ଦ୍ୱାରା ପରିବେଷିତ ହୋଇଥିଲା ସଡ଼ରସ ଯାହା ମନୁଷ୍ୟର ଅନ୍ତରାତ୍ମା ଓ ଆବେଗକୁ ନିୟନ୍ତ୍ରଣ କରିବାର କୌଶଳ ପ୍ରତିପାଦିତ କରେ  । ଦ୍ୱିତୀୟ ସଂଧ୍ୟାର ଶେଷ ପରିବେଶଣ ଥିଲା ଓଲିଉଡର ସୁନାମଧନ୍ୟ ଗାୟକ ତାରିକ୍ ଅଜିଜ୍ ଓ ପ୍ରସିଦ୍ଧ ଗାୟିକା ପ୍ରଜ୍ଞ୍ୟା ହୋତା ଓ ସାଥୀଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ ଯାହା ଦର୍ଶକମାନଙ୍କୁ ଭରପୁର ଆନନ୍ଦ ପ୍ରଦାନ କରିଥିଲା  ।

ଉତ୍ସବର ମୂଖ୍ୟ ଆକର୍ଷଣରେ ଥିଲା ସୁସ୍ୱାଦୁ ଖାଦ୍ୟ ମେଳା ସହ ବୟନିକା ଦ୍ୱାରା (ହସ୍ତତନ୍ତ) ମେଳା, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିଜ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସାମଗ୍ରୀ ମେଳା, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ବାଲୁକା କଳା ଏବଂ ଲଳିତ କଳା ଏକାଡେ଼ମୀ ଦ୍ୱାରା ପ୍ରଦର୍ଶିତ ଚିତ୍ରକଳା ପ୍ରଦର୍ଶନୀ  । 

 

Leave A Reply

Your email address will not be published.