ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନର ତତ୍ପରତା

23

ଆସନ୍ନ ପ୍ରସବା ମା’ମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟସେବାକୁ ସର୍ବୋଚ୍ଚ ପ୍ରାଥମିକତା

ପୁରୀ, ୧୯/୧୧- ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ‘ଶୂନ୍ୟ ଜୀବନହାନି’ (Zero Casualty) ଲକ୍ଷ୍ୟ ହାସଲ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଓ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କ୍ରମରେ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଆସନ୍ନ ପ୍ରସବା ମା’ମାନଙ୍କୁ ସୁରକ୍ଷିତ ଭାବେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ସ୍ଥାନାନ୍ତର କରାଯାଇ ଭର୍ତ୍ତି କରାଯାଇଛି ।ବାତ୍ୟା ସମୟରେ ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନଙ୍କ ସୁରକ୍ଷା ଜିଲ୍ଲା ପ୍ରଶାସନର ସର୍ବୋଚ୍ଚ ପ୍ରାଥମିକତା ଅଟେ । ବିପର୍ଯ୍ୟୟ ସମୟରେ ଯୋଗାଯୋଗ ବିଚ୍ଛିନ୍ନ ହେବା କିମ୍ବା ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ସେମାନଙ୍କୁ ଆଗୁଆ ଚିକିତ୍ସାଳୟକୁ ଅଣାଯାଇଛି । ଭର୍ତ୍ତି ହୋଇଥିବା ସମସ୍ତ ଆସନ୍ନ ପ୍ରସବା ମା’ମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ନିରବଚ୍ଛିନ୍ନ ଓ ଉତ୍ତମ ଚିକିତ୍ସା ସେବା ସହ ୨୪ ଘଣ୍ଟିଆ ଡାକ୍ତରୀ ଦଳ ନିୟୋଜିତ କରାଯାଇଛି ।ଏହା ସହିତ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ସେମାନଙ୍କ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ପୁଷ୍ଟିକର ଗରମ ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଏବଂ ନିରବଚ୍ଛିନ୍ନ ଆଲୋକ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି । ପ୍ରତ୍ୟେକ ମା’ ଯେପରି ସମ୍ପୂର୍ଣ୍ଣ ସୁରକ୍ଷିତ ଓ ସୁସ୍ଥ ରହିବେ, ସେଥିପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନିକ ଅଧିକାରୀମାନେ ନିୟମିତ ଭାବେ ସ୍ଥିତିର ତଦାରଖ କରୁଛନ୍ତି ।

Leave A Reply

Your email address will not be published.