ସମ୍ଭାବ୍ୟ ବାତ୍ୟା ‘ଅକ୍ଭାନ୍’ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ

10

ଶୂନ୍ୟ ଜୀବନହାନି ଲକ୍ଷ୍ୟ ହାସଲ ପାଇଁ ସତର୍କତା, ସୁରକ୍ଷିତ ସ୍ଥାନାନ୍ତରଣ ଓ ତ୍ୱରିତ ପଦକ୍ଷେପ ଉପରେ ଗୁରୁତ୍ୱାରୋପ

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ:: ସମ୍ଭାବ୍ୟ ବାତ୍ୟା ‘ଅକଭାନ୍’କୁ ଦୃଷ୍ଟିରେ ରଖି ଭଞ୍ଜନଗର ଅଞ୍ଚଳରେ ଚାଲିଥିବା ପ୍ରସ୍ତୁତି ଓ ମୁକାବିଲା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ଜୀବନହାନି ଲକ୍ଷ୍ୟକୁ ସଫଳ କରିବା ପାଇଁ ସମସ୍ତ ଅଞ୍ଚଳରେ ସତର୍କତା ଅବଲମ୍ବନ ସହ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ପରିସ୍ଥିତିକୁ ହାଲୁକା ଭାବେ ନ ନେଇ ସମସ୍ତ ଅଧିକାରୀ ନିଜ ନିଜ ଅଞ୍ଚଳରେ ରହି ଲୋକଙ୍କ ସହ ଯୋଗାଯୋଗ ରଖିବା ସହ ପ୍ରସ୍ତୁତି ଓ ସ୍ଥାନାନ୍ତରଣ କାର୍ଯ୍ୟର ତଦାରଖ କରିବାକୁ ସେ ପରାମର୍ଶ ଦେଇଥିଲେ। ମନ୍ତ୍ରୀ ଡହ ଜଳଭଣ୍ଡାର ଓ ଭଞ୍ଜନଗର ଘାଇ ପରିଦର୍ଶନ କରି ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ଏବଂ ସ୍ଥାନାନ୍ତରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ବିପଦପ୍ରବଣ ଅଞ୍ଚଳରେ କୌଣସି ବ୍ୟକ୍ତି ଯେପରି ଅସୁରକ୍ଷିତ ନ ରହନ୍ତି, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସେ ନିର୍ଦ୍ଦେଶ ଦେବା ସହ ସ୍ଥାନାନ୍ତରଣ କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଆଶ୍ରୟସ୍ଥଳୀ ଗୁଡ଼ିକରେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ପାନୀୟ ଜଳ, ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବା ସହ ସ୍ଥାନାନ୍ତରିତ ଲୋକଙ୍କୁ ଉତ୍ତମ ଓ ସମ୍ମାନଜନକ ବ୍ୟବହାର ପ୍ରଦାନ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ରାସ୍ତାର ବିପଦ ପ୍ରବଣ ସ୍ଥାନଗୁଡ଼ିକରେ ବ୍ୟାରିକେଡ୍ ଲଗାଇବା, ନାଳ ଓ ଜଳ ନିଷ୍କାସନ ପଥ ସଫା ରଖିବା ଏବଂ ଆବଶ୍ୟକ ଉଦ୍ଧାର ସମ୍ବଳ ପ୍ରସ୍ତୁତ ରଖିବା ଉପରେ ମଧ୍ୟ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଏହି ସମୀକ୍ଷା ଓ ପରିଦର୍ଶନ ସମୟରେ ଜିଲ୍ଲା ଉନ୍ନୟନ ପରିଷଦର ଅଧ୍ୟକ୍ଷ ନୀଳମାଧବ ପାତ୍ର, ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ,ବିଡିଓ ଭାରତି ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ବିଶିଷ୍ଟ ଆଇନଜୀବୀ ବିଷ୍ଣୁ ପ୍ରସାଦ ପ୍ରଧାନ ଓ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.