ବାତ୍ୟା “ଅକଭାନ” ପରିସ୍ଥିତି ର ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ପ୍ରେସ ବିଜ୍ଞପ୍ତି

11

ଜଗତସିଂହପୁର, ତାରିଖ ୧୯.୧୧.୨୬:ଆଜି ପୂର୍ବାହ୍ନରେ ସମ୍ଭାବ୍ୟ ବାତ୍ୟା “ଅକଭାନ” ର ମୁକାବିଲା ପାଇଁ ଜିଲ୍ଲାପାଳ ଏକ ପ୍ରେସ ବିଜ୍ଞପ୍ତି ଦେଇଥିଲେ । ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆଗୁଆ ପ୍ରସ୍ତୁତି ଓ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜିଲ୍ଳାପାଳ କହିଥିଲେ । ଜିଲ୍ଲାପାଳ ଜିଲ୍ଲାର ବାତ୍ୟା ମୁକାବିଲା ପ୍ରସ୍ତୁତି, ଲୋକଙ୍କ ସ୍ଥାନାନ୍ତରଣ ଏବଂ ଜରୁରୀକାଳୀନ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେବା ସହ ଜିଲ୍ଲାବାସୀଙ୍କୁ ପ୍ରଶାସନ ସହ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।
ବାତ୍ୟାର ଗତିପଥ ଓ ତୀବ୍ରତା ପରିବର୍ତ୍ତନ ସମ୍ପର୍କରେ ପାଣିପାଗ ବିଭାଗ ପକ୍ଷରୁ ବାରମ୍ବାର ସୂଚନା ହେଉଥିବାରୁ ଜଗତସିଂହପୁର ଜିଲ୍ଲାକୁ ଉଚ୍ଚ ସତର୍କତାରେ ରଖାଯାଇଛି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି।
ଜିଲ୍ଲାର ୮ଟି ବ୍ଲକ୍ ଓ ୨ ମ୍ୟୁନିସପାଲିଟି ର ବିଭିନ୍ନ ବିପଦପ୍ରବଣ ଅଞ୍ଚଳରୁ ପ୍ରାୟ ୧୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହି ସ୍ଥାନାନ୍ତରଣ କାର୍ଯ୍ୟ ନିରନ୍ତର ଚାଲୁ ରହିଥିବାବେଳେ ପୂର୍ବାହ୍ନ ୯ ଘଟିକା ସୁଦ୍ଧା ପ୍ରାୟ ୪ ହଜାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ। ଆବଶ୍ୟକତା ଅନୁଯାୟୀ ଅଧିକ ଲୋକଙ୍କୁ ମଧ୍ୟ ସ୍ଥାନାନ୍ତରଣ କରାଯିବ ବୋଲି ସେ କହିଥିଲେ।
ଜିଲ୍ଲାରେ ବାତ୍ୟା ଆଶ୍ରୟସ୍ଥଳୀ, ବନ୍ୟା ଆଶ୍ରୟସ୍ଥଳୀ ଓ ଅସ୍ଥାୟୀ ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ କରାଯାଇଛି। ସେଠାରେ ଆଶ୍ରୟ ନେଇଥିବା ଲୋକଙ୍କ ପାଇଁ ମାଗଣା ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଅତ୍ୟାବଶ୍ୟକ ଔଷଧ, ସାପ କାମୁଡ଼ା ପ୍ରତିଷେଧକ ଔଷଧ ଓ ପରିମଳ ବ୍ୟବସ୍ଥା କରାଯାଇଛି। ଶିଶୁମାନଙ୍କ ପାଇଁ ବେବି ଫୁଡ୍ ଓ ମହିଳାମାନଙ୍କ ପାଇଁ ସାନିଟାରୀ ନାପକିନ୍ ଯୋଗାଇଦେବା ନିମନ୍ତେ ମଧ୍ୟ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ନଭେମ୍ବର ମାସ ୩୦ ମଧ୍ୟରେ ପ୍ରସବ ସମ୍ଭାବନା ଥିବା ୨୬୪ ଜଣ ଗର୍ଭବତୀ ମହିଳାଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି। ପାନୀୟ ଜଳ ଯୋଗାଣ ପାଇଁ ପ୍ରାୟ ଦେଢ଼ ଲକ୍ଷ ପାଣି ବୋତଲର ବ୍ୟବସ୍ଥା ରହିଛି। ଏଥିସହିତ ଆବଶ୍ୟକ ସ୍ଥଳେ ମୋବାଇଲ୍ ଜଳ ଯୋଗାଣ ବ୍ୟବସ୍ଥା ମାଧ୍ୟମରେ ମଧ୍ୟ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ।
ଗୃହପାଳିତ ପଶୁମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋଖାଦ୍ୟ ଯୋଗାଣର ବ୍ୟବସ୍ଥା ହୋଇଥିବାବେଳେ ସବୁଜ ଘାସର ଆବଶ୍ୟକତା ପୂରଣ ପାଇଁ ସ୍ଥାନୀୟ ସ୍ତରରେ କ୍ରୟ କରି ଯୋଗାଇଦେବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି।
ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଗୋଟିଏ NDRF ଟିମ୍ ଓ ଗୋଟିଏ ODRAF ଟିମ୍ ମୁତୟନ କରାଯାଇଛି। ଏହାସହିତ OFDCର ୧୦ଟି ଟିମ୍ ଓ ଅଗ୍ନିଶମ ବିଭାଗର ୧୬ଟି ଟିମ୍ ମଧ୍ୟ ପ୍ରସ୍ତୁତ ରହିଛନ୍ତି। ପାରାଦୀପ,ତିର୍ତ୍ତୋଲ ଓ ଏରସମା ସମେତ ବିପଦପ୍ରବଣ ଅଞ୍ଚଳରେ ଉଦ୍ଧାରକାରୀ ଦଳଙ୍କୁ ମୁତୟନ କରାଯାଇଛି। ବାତ୍ୟା ପରବର୍ତ୍ତୀ ସମୟରେ ଗଛ କାଟି ରାସ୍ତା ସଫା କରିବା, ଯାତାୟାତ ସ୍ୱାଭାବିକ କରିବା ଓ ଅନ୍ୟାନ୍ୟ ପୁନରୁଦ୍ଧାର କାର୍ଯ୍ୟ ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା ରଖାଯାଇଛି।
ଜିଲ୍ଲାର ତିନି ଜଣ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ, ଉପଜିଲ୍ଲାପାଳ, ବରିଷ୍ଠ ପୁଲିସ ଅଧିକାରୀ, ତହସିଲଦାର, ବିଡିଓ ଓ ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ସ୍ଥାନାନ୍ତରଣ ଓ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବରିଷ୍ଠ ଅଧିକାରୀମାନେ ମଧ୍ୟ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରୁଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଅନୁରୋଧ କରି କହିଛନ୍ତି ଯେ, ବାହାରେ ବର୍ଷା କିମ୍ବା ପବନର ତୀବ୍ରତା କମ୍ ଥିବା ଦେଖି ଆଶ୍ରୟସ୍ଥଳୀକୁ ଯିବାରେ ବିଳମ୍ବ କରନ୍ତୁ ନାହିଁ। ବାତ୍ୟାର ଗତିପଥ ଓ ଦିଗରେ ପରିବର୍ତ୍ତନ ହେଉଥିବାରୁ ସମସ୍ତେ ପ୍ରଶାସନର ନିର୍ଦ୍ଦେଶ ମାନି ତୁରନ୍ତ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଯାଆନ୍ତୁ। ଭୟଭୀତ ନହୋଇ ସତର୍କ ରୁହନ୍ତୁ ଏବଂ ପ୍ରଶାସନକୁ ସହଯୋଗ କରନ୍ତୁ।
ଜନସାଧାରଣଙ୍କ ସୁରକ୍ଷା ପ୍ରଶାସନର ସର୍ବୋଚ୍ଚ ପ୍ରାଥମିକତା। ଜିଲ୍ଲାବାସୀଙ୍କ ସହଯୋଗ ଓ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ଦ୍ୱାରା ବାତ୍ୟାର ସଫଳ ମୁକାବିଲା କରାଯାଇପାରିବ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି। ଏହି ଅବସରରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା ମଧ୍ୟ ଉପସ୍ଥିତ ରହି ବାତ୍ୟା ମୁକାବିଲା ପାଇଁ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଥିଲେ।

Leave A Reply

Your email address will not be published.