୭୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତରଣ ପାଇଁ ଯୋଜନା।
କେନ୍ଦ୍ରାପଡ଼ା:୧୮, ୧୧(ପ୍ରଫୁଲ୍ଲ କୁମାର ମଲ୍ଲ ) ସମ୍ଭାବ୍ୟ ବାତ୍ୟା ‘ଆକବାନ’ର ମୁକାବିଲା ତଥା ଜିଲ୍ଲାବାସୀଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆଗୁଆ ପ୍ରସ୍ତୁତି ଗ୍ରହଣ କରାଯାଇଛି। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଆକଳନ କରି ଜିଲ୍ଲାରେ ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ ନିମନ୍ତେ ପ୍ରଶାସନ ପକ୍ଷରୁ ବହୁମୁଖୀ ପଦକ୍ଷେପ ନିଆଯାଉଛି।ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍. ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବାତ୍ୟା ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତୁତି, ଆଶ୍ରୟସ୍ଥଳ ଗୁଡ଼ିକର ସ୍ଥିତି, ଉଦ୍ଧାର ଓ ସ୍ଥାନାନ୍ତରଣ ବ୍ୟବସ୍ଥା, ରିଲିଫ୍ ସାମଗ୍ରୀ ମହଜୁଦ, ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଓ ବିଦ୍ୟୁତ୍ ଯୋଗାଣ ଆଦି ବିଷୟରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।
ବାତ୍ୟାର ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରୁ ପ୍ରାୟ ୭୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରଣ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିପାଇଁ ଜିଲ୍ଲାର ୧୩୦ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ସହିତ ପ୍ରାୟ ୬୦୦ଟି ଅସ୍ଥାୟୀ ଆଶ୍ରୟସ୍ଥଳ ଚିହ୍ନଟ କରାଯାଇ ପ୍ରସ୍ତୁତ ରଖାଯାଇଛି। ଆବଶ୍ୟକତା ଅନୁଯାୟୀ ବିପଦସଂକୁଳ ଅଞ୍ଚଳର ଲୋକମାନଙ୍କୁ ଆଗୁଆ ସ୍ଥାନାନ୍ତରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲାପାଳ ସମସ୍ତ ଆଶ୍ରୟସ୍ଥଳରେ ପାନୀୟ ଜଳ, ବ୍ୟବହାର ଉପଯୋଗୀ ଜଳ, ବିଦ୍ୟୁତ୍ ସଂଯୋଗ, ଶୌଚାଳୟ, ଆଲୋକୀକରଣ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ଆଶ୍ରୟସ୍ଥଳ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ପାଣି ଓ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବା ସହ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ବାତ୍ୟା ଆଶ୍ରୟସ୍ଥଳ ପାଇଁ ଜଣେ ଲେଖାଏଁ ନୋଡାଲ ଅଧିକାରୀ ନିୟୋଜିତ କରାଯାଇଛି।
ବାତ୍ୟା ସମୟରେ ଗର୍ଭବତୀ ମହିଳା, ଶିଶୁ, ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ଓ ଅନ୍ୟାନ୍ୟ ଅସହାୟ ବର୍ଗଙ୍କ ସୁରକ୍ଷା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ଚିହ୍ନଟ ହୋଇଥିବା ୫୯୧ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କାର୍ଯ୍ୟରେ ସ୍ୱାସ୍ଥ୍ୟ ବିଭାଗ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ସମ୍ପୃକ୍ତ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶକ ଦେଇଛନ୍ତି ଜିଲ୍ଲାପାଳ |
ବାତ୍ୟା ସମୟରେ ଏବଂ ପରବର୍ତ୍ତୀ ସମୟରେ ଯେପରି ଜନସାଧାରଣଙ୍କୁ ଖାଦ୍ୟ ଓ ପାନୀୟ ଜଳର ଅଭାବ ନହୁଏ, ସେଥିପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପାନୀୟ ଜଳ ଯୋଗାଣ ନିମନ୍ତେ ବୋତଲ ପାଣି, ଡିଜି ସେଟ୍, ଓଭରହେଡ୍ ଟାଙ୍କି ଓ ସିନଟେକ୍ସ ଟାଙ୍କି ଆଦି ପ୍ରସ୍ତୁତ ରଖାଯାଇଛି। ଆବଶ୍ୟକ ସ୍ଥଳେ ଜଳଯୋଗାଣ ବ୍ୟବସ୍ଥାକୁ ତୁରନ୍ତ ସ୍ୱାଭାବିକ କରିବା ନିମନ୍ତେ ସମ୍ପୃକ୍ତ ବିଭାଗକୁ ସଜାଗ ରଖାଯାଇଛି। ଏହା ସହିତ ଚାଉଳ, ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ରିଲିଫ୍ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖାଯାଇଛି। ଆବଶ୍ୟକତା ଅନୁଯାୟୀ ପ୍ରଭାବିତ ଅଞ୍ଚଳ ଓ ଆଶ୍ରୟସ୍ଥଳଗୁଡ଼ିକୁ ଏହି ସାମଗ୍ରୀ ଯୋଗାଇଦେବା ପାଇଁ ଯୋଜନା କରାଯାଇଛି।ବାତ୍ୟା ସମୟରେ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ତ୍ୱରିତ ମୁକାବିଲା ନିମନ୍ତେ ଜିଲ୍ଲାରେ ୧୨ଟି ଅଗ୍ନିଶମ ଟିମ୍ ଗଠନ କରାଯାଇଛି। ଏଥିସହିତ ରାଉରକେଲାରୁ ଗୋଟିଏ ଓଡ୍ରାଫ୍ ଟିମ୍ ଆସି ଜିଲ୍ଲାରେ ପହଞ୍ଚିଛି। ଏହି ଟିମ୍ଗୁଡ଼ିକୁ ଆବଶ୍ୟକ ଉଦ୍ଧାର ସରଞ୍ଜାମ ସହ ପ୍ରସ୍ତୁତ ରଖାଯାଇଛି।ବିଦ୍ୟୁତ୍ ବିଭାଗକୁ ବିଦ୍ୟୁତ୍ ଖୁଣ୍ଟି, ତାର, ଟ୍ରାନ୍ସଫର୍ମର ଓ ଅନ୍ୟାନ୍ୟ ମରାମତି ସାମଗ୍ରୀ ପ୍ରସ୍ତୁତ ରଖିବା ସହ ବାତ୍ୟା ପରେ ଯଥାଶୀଘ୍ର ବିଦ୍ୟୁତ୍ ସେବା ପୁନଃସ୍ଥାପନ ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଛି। ସେହିପରି ରାସ୍ତା ଅବରୋଧ ହେଲେ ଗଛ କାଟିବା ଓ ଯାତାୟାତ ସ୍ୱାଭାବିକ କରିବା ନିମନ୍ତେ ଆବଶ୍ୟକ ଯନ୍ତ୍ରପାତି ଓ କର୍ମଚାରୀଙ୍କୁ ସଜାଗ ରଖିବାକୁ ନିର୍ଦ୍ଦେଶ ରହିଛି। ସମସ୍ତ ଲାଇନ୍ ବିଭାଗକୁ ନିଜ ନିଜର ଦାୟିତ୍ୱ ସଠିକ୍ ଭାବେ ନିର୍ବାହ କରିବା ସହ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଜିଲ୍ଲାପାଳ କହିଥିଲେ। ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସତର୍କତା ଅବଲମ୍ବନ କରିବା ସହ ମତ୍ସ୍ୟଜୀବୀମାନଙ୍କ ସୁରକ୍ଷା ଉପରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ କୂଳକୁ ଫେରି ଆସିଛନ୍ତି। ସମ୍ଭାବ୍ୟ ବାତ୍ୟା ସମୟରେ ସମୁଦ୍ରକୁ ନଯିବା ସହ ପ୍ରଶାସନ ଓ ମତ୍ସ୍ୟ ବିଭାଗ ପକ୍ଷରୁ ଜାରି ସତର୍କ ସୂଚନା ପାଳନ କରିବାକୁ ମତ୍ସ୍ୟଜୀବୀମାନଙ୍କୁ ଅନୁରୋଧ କରାଯାଇଛି।ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ନଭେମ୍ବର ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ତଥା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରଖିଛନ୍ତି ସରକାର | ଜନସାଧାରଣଙ୍କୁ ଜରୁରୀକାଳୀନ ସେବା ଓ ସୂଚନା ଯୋଗାଇଦେବା ନିମନ୍ତେ ଜିଲ୍ଲାର ସମସ୍ତ ବ୍ଲକ୍ ଓ ତହସିଲ କାର୍ଯ୍ୟାଳୟ ଏବଂ ଜିଲ୍ଲାସ୍ତରରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଏହି ନିୟନ୍ତ୍ରଣ କକ୍ଷଗୁଡ଼ିକ ମାଧ୍ୟମରେ ସ୍ଥାନୀୟ ସ୍ଥିତି ଉପରେ ନଜର ରଖିବା, ଜରୁରୀ ସୂଚନା ଆଦାନପ୍ରଦାନ ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।
ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାତ୍ୟା ପ୍ରସ୍ତୁତି, ସ୍ଥାନାନ୍ତରଣ ଓ ରିଲିଫ୍ ପରିଚାଳନାର ତଦାରଖ ନିମନ୍ତେ ଜିଲ୍ଲାପାଳ ଦୁଇଜଣ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଉପଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଏଥିସହିତ ଜିଲ୍ଲାର ବାତ୍ୟା ପରିଚାଳନା, ସମନ୍ୱୟ ଓ ତଦାରଖ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାରଙ୍କ ପକ୍ଷରୁ ବର୍ତ୍ତମାନର MD OSIC ତଥା କେନ୍ଦ୍ରାପଡ଼ାର ପୂର୍ବତନ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ନିୟୋଜିତ କରାଯାଇଛି।ବାତ୍ୟା ସମୟରେ ଗ୍ରାମାଞ୍ଚଳରେ ଜନସାଧାରଣଙ୍କୁ ସଚେତନ କରିବା, ବିପଦସଂକୁଳ ଅଞ୍ଚଳରୁ ଲୋକଙ୍କୁ ଆଶ୍ରୟସ୍ଥଳକୁ ଆଣିବା ଏବଂ ଆବଶ୍ୟକ ସହାୟତା ଯୋଗାଇଦେବା କ୍ଷେତ୍ରରେ ସ୍ଥାନୀୟ ଜନପ୍ରତିନିଧି ମାନଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିପାଇଁ ସ୍ଥାନୀୟ ଜନପ୍ରତିନିଧିମାନଙ୍କୁ ବାତ୍ୟା ମୁକାବିଲା କାର୍ଯ୍ୟରେ ସକ୍ରିୟ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।
ଆଜିର ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବିନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଜ୍ୟୋତିକାନ୍ତ ଭୁଜବଳଙ୍କ ସମେତ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଏବଂ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ।ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଭୟଭୀତ ନହୋଇ ସତର୍କ ଓ ସଚେତନ ରହିବାକୁ ଅନୁରୋଧ କରାଯାଇଛି। ପ୍ରଶାସନ ପକ୍ଷରୁ ଜାରି ହେଉଥିବା ସମସ୍ତ ସତର୍କ ସୂଚନା ଓ ନିର୍ଦ୍ଦେଶାବଳୀ ପାଳନ କରିବା, ବିପଦସଂକୁଳ ଅଞ୍ଚଳରେ ରହୁଥିବା ଲୋକମାନେ ଆବଶ୍ୟକ ସମୟରେ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ ହେବା ଏବଂ ଜରୁରୀ ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗ ରଖିବାକୁ କୁହାଯାଇଛି।