- ସମୟୋଚିତ ସ୍ଥାନାନ୍ତରଣ, ଆଶ୍ରୟସ୍ଥଳୀର ସୁପରିଚାଳନା, ଅତ୍ୟାବଶ୍ୟକ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ ଏବଂ ଶୂନ୍ୟ ଜୀବନହାନି ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ
- ଉଦ୍ଧାର ଓ ଜରୁରୀକାଳୀନ ପ୍ରତିକ୍ରିୟା ପାଇଁ ୧୧ଟି ଅଗ୍ନିଶମ ସେବା ଦଳ
- ନବରଙ୍ଗପୁର, କୋଷାଗୁମୁଡ଼ା ଓ ନନ୍ଦାହାଣ୍ଡି ବ୍ଲକର ୧୦ଟି ବିପଦପ୍ରବଣ ଗ୍ରାମ ପଞ୍ଚାୟତର ୩୪ଟି ବିପଦପ୍ରବଣ ଗ୍ରାମ ସହିତ ନବରଙ୍ଗପୁର ପୌରାଞ୍ଚଳର ୮ଟି ୱାର୍ଡ ଚିହ୍ନଟ
- ୧୦ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ/ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ଏବଂ ୧୨୪ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ
- ୩୫ ଜଣ ସଦସ୍ୟଙ୍କୁ ନେଇ ଗଠିତ ଗୋଟିଏ ଓଡ୍ରାଫ୍ ଦଳ ସହିତ ୬ଟି ବୋଟ୍ ମୁତୟନ
ନବରଙ୍ଗପୁର, ୧୮ ନଭେମ୍ବର ୨୦୨୬: ସମ୍ଭାବ୍ୟ ଭୀଷଣ ବାତ୍ୟା ‘ଆକୱାନ’ ଏବଂ ଏହାର ପ୍ରଭାବରେ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଜନସାଧାରଣଙ୍କ ସୁରକ୍ଷା ଏବଂ ସମ୍ଭାବ୍ୟ କ୍ଷୟକ୍ଷତିକୁ ରୋକିବା ଲକ୍ଷ୍ୟରେ ସମସ୍ତ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି।
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଦକ୍ଷିଣ ଏବଂ ତତ୍ସଂଲଗ୍ନ ପଶ୍ଚିମ-ମଧ୍ୟ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟ ଭୀଷଣ ବାତ୍ୟା ‘ଆକୱାନ’ ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ମଛଲିପଟ୍ଟନମ୍ ଏବଂ ପୁରୀ ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଏହି ସମୟରେ ପବନର ସର୍ବାଧିକ ସ୍ଥାୟୀ ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ।
ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ଅବଗତ କରି ଜିଲ୍ଲାପାଳ ଶ୍ରୀମତୀ ମଧୁମିତା କହିଥିଲେ ଯେ, ବାତ୍ୟାର ମୁକାବିଲା ନିମନ୍ତେ ଜିଲ୍ଲାସ୍ତରରେ ସମସ୍ତ ପ୍ରସ୍ତୁତିକୁ ସମୀକ୍ଷା କରିବା ପାଇଁ ନଭେମ୍ବର ୧୬ ତାରିଖ ସନ୍ଧ୍ୟା ୭ଟାରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ ଏବଂ ତହସିଲଦାରମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ତ ବିଭାଗକୁ ସତର୍କ ରହିବା ସହ ଆବଶ୍ୟକୀୟ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ନଭେମ୍ବର ୧୮ ତାରିଖରେ ନବରଙ୍ଗପୁର ଜିଲ୍ଲା ପାଇଁ କୌଣସି ସତର୍କ ସୂଚନା ନାହିଁ। ୧୯ ଓ ୨୦ ତାରିଖରେ ବିଚ୍ଛିନ୍ନ ଭାବେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣିଂ ଏବଂ ୨୧ ତାରିଖରେ ବିଚ୍ଛିନ୍ନ ଭାବେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଓରେଞ୍ଜ ୱାର୍ନିଙ୍ଗ ସୂଚନା ଜାରି କରାଯାଇଛି।
ଜିଲ୍ଲାର ନବରଙ୍ଗପୁର, କୋଷାଗୁମୁଡ଼ା ଓ ନନ୍ଦାହାଣ୍ଡି ବ୍ଲକକୁ ସମ୍ଭାବ୍ୟ ବିପଦପ୍ରବଣ ବ୍ଲକ ଭାବେ ଚିହ୍ନଟ କରାଯାଇଛି। ଏହି ତିନୋଟି ବ୍ଲକର ୧୦ଟି ବିପଦପ୍ରବଣ ଗ୍ରାମ ପଞ୍ଚାୟତ ଏବଂ ୩୪ଟି ବିପଦପ୍ରବଣ ଗ୍ରାମ ସହିତ ନବରଙ୍ଗପୁର ପୌରାଞ୍ଚଳର ୮ଟି ୱାର୍ଡକୁ ଚିହ୍ନଟ କରାଯାଇଛି। ମୋଟ ୨,୧୬୦ ଜଣଙ୍କୁ ସତର୍କତାମୂଳକ ଭାବେ ସ୍ଥାନାନ୍ତରଣ ପାଇଁ ଚିହ୍ନଟ କରାଯାଇଛି। ଏଥିମଧ୍ୟରେ ନବରଙ୍ଗପୁର ବ୍ଲକର ୩୫୦ ଜଣ, ନନ୍ଦାହାଣ୍ଡି ବ୍ଲକର ୨୫୦ ଜଣ, କୋଷାଗୁମୁଡ଼ା ବ୍ଲକର ୧,୫୦୦ ଜଣ ଏବଂ ନବରଙ୍ଗପୁର ପୌରାଞ୍ଚଳର ୬୦ ଜଣ ଅନ୍ତର୍ଭୁକ୍ତ। ଏଥିସହିତ ୧୦୬ ଜଣ ଗର୍ଭବତୀ ମହିଳାଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଆବଶ୍ୟକ ସ୍ଥଳେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ।
ଆଶ୍ରୟସ୍ଥଳୀ ପରିଚାଳନା ଓ ସ୍ଥାନାନ୍ତରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୧୦ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ/ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ଏବଂ ୧୨୪ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ଏହି ଆଶ୍ରୟସ୍ଥଳୀଗୁଡ଼ିକରେ ଖାଦ୍ୟ ଓ ରୋଷେଇ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ, ପରିମଳ, ଆଲୋକ ଏବଂ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି। ପ୍ରତ୍ୟେକ ଆଶ୍ରୟସ୍ଥଳୀର ସୁପରିଚାଳନା ପାଇଁ ଜଣେ ଲେଖାଏଁ ନୋଡାଲ ଅଧିକାରୀ ନିଯୁକ୍ତ କରାଯାଇଛି।
ଉଦ୍ଧାର ଓ ଜରୁରୀକାଳୀନ ପ୍ରତିକ୍ରିୟା ପାଇଁ ୧୧ଟି ଅଗ୍ନିଶମ ସେବା ଦଳ ସହିତ ୧୧ଟି ଅଗ୍ନିଶମ ବୋଟ୍କୁ ଆବଶ୍ୟକ କର୍ମଚାରୀ ଓ ଉପକରଣ ସହ ପ୍ରସ୍ତୁତ ରଖାଯାଇଛି। ଜିଲ୍ଲା ମୁଖ୍ୟାଳୟରେ ୩୫ ଜଣ ସଦସ୍ୟଙ୍କୁ ନେଇ ଗଠିତ ଗୋଟିଏ ଓଡ୍ରାଫ୍ ଦଳ ସହିତ ୬ଟି ବୋଟ୍ ମୁତୟନ କରାଯାଇଛି। ଏହିପରି ମୋଟ ୧୭ଟି ବୋଟ୍ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିଛି। ଏଥିସହିତ ତିନୋଟି ବିପଦପ୍ରବଣ ବ୍ଲକ ଓ ନବରଙ୍ଗପୁର ପୌରାଞ୍ଚଳରେ ଜରୁରୀକାଳୀନ ସ୍ଥାନାନ୍ତରଣ ପାଇଁ ୯୪ଟି ଗାଡ଼ିକୁ ଚିହ୍ନଟ କରାଯାଇ ଚାଳକଙ୍କ ସହିତ ଟ୍ୟାଗ୍ କରାଯାଇଛି।
ଖାଦ୍ୟ ସାମଗ୍ରୀ ଓ ଜରୁରୀକାଳୀନ ଉପକରଣର ପର୍ଯ୍ୟାପ୍ତ ମହଜୁଦ ସୁନିଶ୍ଚିତ କରାଯାଇଛି। ବର୍ତ୍ତମାନ ଜିଲ୍ଲାରେ ୭୦,୩୦୬.୪୫ କ୍ୱିଣ୍ଟାଲ ଚାଉଳ, ୩୦ କ୍ୱିଣ୍ଟାଲ ଚୁଡ଼ା ଏବଂ ୩ କ୍ୱିଣ୍ଟାଲ ଚିନି ମହଜୁଦ ରହିଛି। ଏଥିସହିତ ଜରୁରୀ ପରିସ୍ଥିତିରେ ପ୍ରଭାବିତ ପରିବାରଙ୍କୁ ବଣ୍ଟନ ପାଇଁ ଜିଲ୍ଲାର ୧୦ଟି ତହସିଲରେ ମୋଟ ୧,୭୬୭ଟି ପଲିଥିନ୍ ସିଟ୍ ମହଜୁଦ ରଖାଯାଇଛି।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ଆବଶ୍ୟକୀୟ ଔଷଧ ଓ ଚିକିତ୍ସା ସାମଗ୍ରୀର ପର୍ଯ୍ୟାପ୍ତ ମହଜୁଦ ରଖାଯାଇଛି। ଜିଲ୍ଲାରେ ୪,୨୩୧ ଭାଏଲ୍ ଆଣ୍ଟି ସ୍ନେକ୍ ଭେନମ୍ (ଏଏସ୍ଭି), ୨,୫୬୫ କିଲୋଗ୍ରାମ ବ୍ଲିଚିଂ ପାଉଡର ଉପଲବ୍ଧ ରହିଛି। ଏଥିସହିତ ପର୍ଯ୍ୟାପ୍ତ ପରିମାଣର ଓଆରଏସ୍ ଓ ଆଇଭି ଫ୍ଲୁଇଡ୍ ମହଜୁଦ ରହିଛି। ଜରୁରୀ ପରିସ୍ଥିତିରେ ତୁରନ୍ତ ସେବା ଯୋଗାଇବା ପାଇଁ ଡାକ୍ତରୀ ଦଳ ଓ ଆମ୍ବୁଲାନ୍ସକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି।
ଏହାବ୍ୟତୀତ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ସମସ୍ତ ପୌରାଞ୍ଚଳର ଡ୍ରେନ୍ଗୁଡ଼ିକୁ ସଫା କରାଯାଇଛି। ବିପଦପ୍ରବଣ ଅଞ୍ଚଳରେ ଥିବା ବିପଦପୂର୍ଣ୍ଣ ଗଛଗୁଡ଼ିକୁ ଚିହ୍ନଟ କରି କାଟିବା ଓ ହଟାଇବା କାର୍ଯ୍ୟ ଜାରି ରହିଛି। ନଦୀ ଓ ଜଳଭଣ୍ଡାରଗୁଡ଼ିକର ଜଳସ୍ତର ଉପରେ ନିରନ୍ତର ନଜର ରଖିବାକୁ ମଧ୍ୟ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବିପଦପ୍ରବଣ ଅଞ୍ଚଳରେ ମାଇକ୍ ଯୋଗେ ପ୍ରଚାର ଓ ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଛି। ବିଡିଓମାନଙ୍କ ଦ୍ୱାରା ବ୍ଲକସ୍ତରୀୟ ପ୍ରସ୍ତୁତି ବୈଠକ ମଧ୍ୟ ଆୟୋଜନ କରାଯାଇଛି। ଜିଲ୍ଲା, ବ୍ଲକ ଏବଂ ପୌରାଞ୍ଚଳ ସ୍ତରରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିଛି। ସମସ୍ତ ଜରୁରୀକାଳୀନ ପରିସ୍ଥିତିର ସମନ୍ୱୟ ଓ ତ୍ୱରିତ ମୁକାବିଲା ପାଇଁ ବ୍ୟବସ୍ଥା କରାଯାଇଛି।
ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (DEOC) ନିୟନ୍ତ୍ରଣ କକ୍ଷ ନମ୍ବର: ୦୬୮୫୮-୨୨୨୪୩୪।
ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀ ଓ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ସତର୍କ ରହିବା, ବିଭାଗୀୟ ସମନ୍ୱୟ ରକ୍ଷା କରିବା ଏବଂ ଯେକୌଣସି ଜରୁରୀ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ବିପଦପ୍ରବଣ ଲୋକଙ୍କ ସମୟୋଚିତ ସ୍ଥାନାନ୍ତରଣ, ଆଶ୍ରୟସ୍ଥଳୀର ସୁପରିଚାଳନା, ଅତ୍ୟାବଶ୍ୟକ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ ଏବଂ ଶୂନ୍ୟ ଜୀବନହାନି ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଭୟଭୀତ ନହୋଇ ସତର୍କ ରହିବା, ସରକାରୀ ସୂଚନା ଓ ପରାମର୍ଶକୁ ଅନୁସରଣ କରିବା ସହ ବାତ୍ୟା ମୁକାବିଲାରେ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ପ୍ରତ୍ୟେକ ନାଗରିକଙ୍କ ଜୀବନ ଓ ସୁରକ୍ଷା ଜିଲ୍ଲା ପ୍ରଶାସନର ସର୍ବୋଚ୍ଚ ପ୍ରାଥମିକତା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।