ଦୁର୍ଘଟଣାପ୍ରବଣ ପାଲଟିଛି ବରଗଡ଼ ସହର

7

ଟ୍ରକ୍‌ ଧକ୍କାରେ କାର୍‌ ଚୁରମାର, ଅଳ୍ପକେ ବର୍ତ୍ତିଲେ ୪ ଖବରଦାତା; ରାସ୍ତା ଅବରୋଧ କରି ଲୋକଙ୍କ ପ୍ରତିବାଦ

ବରଗଡ଼: ସହରରେ ସଡ଼କ ଦୁର୍ଘଟଣା ଯେମିତି ନିତିଦିନିଆ ଘଟଣାରେ ପରିଣତ ହେବାକୁ ବସିଲାଣି। ଗୋଟିଏ ଦୁର୍ଘଟଣାର ଦୁଃଖ ମନରୁ ନଲିଭୁଣୁ ପୁଣି ଆଉ ଏକ ଦୁର୍ଘଟଣା ଘଟୁଛି।ସୋମବାର ଗୁରୁଦ୍ୱାରା ଛକରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିବାବେଳେ ବୁଧବାର ଗଣପତି ହୋଟେଲ ସମ୍ମୁଖରେ ଘଟିଛି ଆଉ ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌ କାର୍‌କୁ ଧକ୍କା ଦେବାରୁ କାର୍‌ଟି କ୍ଷତିଗ୍ରସ୍ତ ହୋଇଛି। ତେବେ କାର୍‌ରେ ଥିବା ଚାରି ଖବରଦାତା ରବି ପଣ୍ଡା, ଲଲାଟେନ୍ଦୁ ଦାଶ, ବ୍ୟୋମକେଶ କର ଓ ରଞ୍ଜନ ଦେବତା ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି।

ସୂଚନା ଅନୁଯାୟୀ, ଚାରି ଖବରଦାତା ଅତାବିରା ଥାନା ଅନ୍ତର୍ଗତ ସରଣ୍ଡାକୁ ଏକ ଗଙ୍ଗାଶ୍ରାଦ୍ଧ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ଏହି ସମୟରେ ଗଣପତି ହୋଟେଲ ସମ୍ମୁଖରେ ଟ୍ରକ୍‌ଟି କାର୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ କାର୍‌ଟି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସମସ୍ତେ ସୁରକ୍ଷିତ ରହିଥିବା ଜଣାପଡ଼ିଛି।ସହରରେ ବିନା ଫିଟନେସ୍‌ରେ ଗାଡ଼ି ଚଳାଚଳ ଏବଂ ଟ୍ରାଫିକ୍‌ ନିୟମର ଖୋଲାଖୋଲି ଉଲ୍ଲଂଘନକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏତେସବୁ ଘଟଣା ସତ୍ତ୍ୱେ ପରିବହନ ବିଭାଗର ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ କେବଳ କାଗଜକଲମରେ ସୀମିତ ରହିଛି କି ବୋଲି ସାଧାରଣରେ ଆଲୋଚନା ହେଉଛି।

ବାରମ୍ବାର ଦୁର୍ଘଟଣାରେ ଧନଜୀବନ ହାନି ହେଉଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତା ଅବରୋଧ କରାଯାଇଛି। ଜିଲ୍ଲାପାଳ ଓ ଆଞ୍ଚଳିକ ପରିବହନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବିନା ଫିଟନେସ୍‌ରେ ଚାଲୁଥିବା ଗାଡ଼ିଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟିବ ନାହିଁ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.