ଓଡ଼ଗାଁ ଶ୍ରୀ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିରରେ ଦର୍ଶନ କଲେ ବିଜେପି ସଙ୍ଗଠନ ମନ୍ତ୍ରୀ ମାନସ କୁମାର ମହାନ୍ତି

9


ମନ୍ଦିରର ପରିକ୍ରମା ପ୍ରକଳ୍ପ ନେଇ ଆଲୋଚନା, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ଘୋଷଣା ପାଇଁ ଦେଲେ ପ୍ରତିଶ୍ରୁତି

ଓଡ଼ଗାଁ, ୧୫।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ଶନିବାର ନଭେମ୍ବର ୧୪ ତାରିଖ ରାତି ପ୍ରାୟ ୮ଟା ୩୦ ମିନିଟ୍‌ ସମୟରେ ଓଡ଼ିଶା ବିଜେପିର ସଙ୍ଗଠନ ମନ୍ତ୍ରୀ ମାନସ କୁମାର ମହାନ୍ତି ଓଡ଼ଗାଁସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିରରେ ପହଞ୍ଚି ପ୍ରଭୁଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ସେ ପ୍ରଭୁଙ୍କ ବଡ଼ସିଂହାର ଆଳତି ଦର୍ଶନ କରିବାର ସୌଭାଗ୍ୟ ଲାଭ କରି ଆନନ୍ଦ ଓ ଖୁସି ବ୍ୟକ୍ତ କରିଥିଲେ। ଦର୍ଶନ ପରେ ଶ୍ରୀ ମହାନ୍ତି ମନ୍ଦିରର ଚତୁଃପାର୍ଶ୍ୱ ବୁଲି ପରିବେଶ ଓ ସାମଗ୍ରିକ ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହ ମହାପ୍ରଭୁଙ୍କ ନୀତିକାନ୍ତିର ସୁପରିଚାଳନା ଓ ମନ୍ଦିରର ସର୍ବାଙ୍ଗୀଣ ଉନ୍ନତିକରଣ ନେଇ ଉପସ୍ଥିତ ମନ୍ଦିର କର୍ମକର୍ତ୍ତା ଓ ଆଞ୍ଚଳିକ ବିକାଶ ପରିଷଦର ସଦସ୍ୟମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
ଏହି ଅବସରରେ ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରାଯାଇଥିବା ଶ୍ରୀ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ସ୍ମାରକପତ୍ର ମଧ୍ୟ ସଙ୍ଗଠନ ମନ୍ତ୍ରୀଙ୍କୁ ହସ୍ତାନ୍ତର କରାଯାଇଥିଲା। ଏନେଇ ତାଙ୍କୁ ପୁନର୍ବାର ଅବଗତ କରାଯିବା ପରେ ସେ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଥିଲେ। ନିକଟ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ଗାଁ ମନ୍ଦିର ଦର୍ଶନରେ ଆଣିବା ସହ ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଘୋଷଣା କରାଇବା ଦିଗରେ ପଦକ୍ଷେପ ନେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ବିକାଶ ପରିଷଦର ସଭାପତି ଶୁଶାନ୍ତ କୁମାର ସାହୁ, ଅଚ୍ୟୁତାନନ୍ଦ ପଣ୍ଡା, ଜଗନ୍ନାଥ ପାଣିଗ୍ରାହୀ, ବାଦଲ ମହାରଣା, ରାଜେଶ ସେଠୀ, ଓଡ଼ଗାଁ କୃଷକ ମୋର୍ଚ୍ଚାର ସଭାପତି କାର୍ତ୍ତିକ ପଣ୍ଡା ଏବଂ ମନ୍ଦିର ପୂଜକ ପରିଷଦର ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Leave A Reply

Your email address will not be published.