ମଶାଙ୍କ ପ୍ରାଦୁର୍ଭାବରେ ଅତିଷ୍ଠ ଓଡ଼ଗାଁ ଏନ୍‌ଏସି ବାସୀ

8


-ମଶା ନିୟନ୍ତ୍ରଣ ପାଇଁ ପ୍ରଶାସନର ପଦକ୍ଷେପ ଶୂନ

-ମ୍ୟାଲେରିଆ ଓ ଡେଙ୍ଗୁ ରୋଗ ବ୍ୟାପିବା ଆଶଙ୍କା,

ଓଡ଼ଗାଁ,୧୫।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଅଞ୍ଚଳରେ ଦିନକୁ ଦିନ ମଶାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବାରୁ ଅତିଷ୍ଠ ହୋଇପଡ଼ିଛନ୍ତି ସହରବାସୀ। ମଶାଙ୍କ ଉପଦ୍ରବ ଯୋଗୁଁ ଘରେ ହେଉ କି ବାହାରେ, ଲୋକଙ୍କ ପାଇଁ ସ୍ୱାଭାବିକ ଜୀବନଯାପନ କରିବା କଷ୍ଟକର ହୋଇପଡ଼ିଛି। ଅଥଚ ମଶା ନିୟନ୍ତ୍ରଣ ଦିଗରେ ଏନ୍‌ଏସି ପ୍ରଶାସନ ପକ୍ଷରୁ ଆଖିଦୃଶିଆ ପ୍ରତିକାରମୂଳକ ପଦକ୍ଷେପ ନିଆଯାଉନଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ମଶା କାମୁଡ଼ିବା ଦ୍ୱାରା ମ୍ୟାଲେରିଆ, ଡେଙ୍ଗୁ ଭଳି ବିଭିନ୍ନ ମଶାବାହିତ ରୋଗ ବ୍ୟାପିବାର ଆଶଙ୍କା ରହିଛି। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଜନସାଧାରଣଙ୍କୁ ସଚେତନ ଓ ସତର୍କ କରାଯାଉଛି। ବିଶେଷକରି ବର୍ଷାଦିନରେ ଜଳ ଜମି ରହିବା ଏବଂ ଡ୍ରେନ୍‌ରେ ଆବର୍ଜନା ପାଣି ଦୀର୍ଘଦିନ ଧରି ଅଟକି ରହିବା ମଶାଙ୍କ ବଂଶବୃଦ୍ଧିର ପ୍ରମୁଖ କାରଣ ପାଲଟୁଛି। ଓଡ଼ଗାଁ ଏନ୍‌ଏସିର ବିଭିନ୍ନ ୱାର୍ଡରେ ଜଳ ନିଷ୍କାସନ ପାଇଁ ଡ୍ରେନ୍‌ ନିର୍ମାଣ ହୋଇଥିଲେ ମଧ୍ୟ ଅନେକ ସ୍ଥାନରେ ଡ୍ରେନ୍‌ଗୁଡ଼ିକ ସଫା ହେଉନଥିବା ବେଳେ ଡ୍ରେନ୍ ଶେଷରେ ଯାଇ ପାଣି ଯମାହୋଇ ରହୁଥିବା ଦେଖାଯାଇଛି। ଅନ୍ୟ କେତେକ ସ୍ଥାନରେ ଡ୍ରେନ୍‌ ସଂଯୋଗୀକରଣ ହୋଇନଥିବା ବେଳେ ଆଉ କେତେକ ଅଞ୍ଚଳରେ ଦୀର୍ଘବର୍ଷ ଧରି ଡ୍ରେନ୍‌ ମୁକୁଳା ପଡ଼ିରହିଛି। ଫଳରେ ଏହି ସବୁ ସ୍ଥାନ ମଶାଙ୍କ ବଂଶବୃଦ୍ଧିର ଅନୁକୂଳ ପରିବେଶ ପାଲଟିଛି। ଏହା ସତ୍ତ୍ୱେ ଡ୍ରେନ୍‌ ସଫେଇ, ମଶା ଲାର୍ଭା ନଷ୍ଟ କରିବା ଏବଂ ନିୟମିତ ମଶା ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରିବାରେ ପ୍ରଶାସନର ଉଦାସୀନତାକୁ ନେଇ ପ୍ରଶ୍ନ ଉଠୁଛି। ମଶାଙ୍କ ସଂଖ୍ୟା ଏତେମାତ୍ରାରେ ବଢ଼ିଯାଇଛି ଯେ ମଶାରି ଭିତରେ ଶୋଇବା ସମୟକୁ ବାଦ୍‌ ଦେଲେ ଦିନର ଅନ୍ୟ ସମୟରେ ମଶାଙ୍କ ଦାଉରୁ ରକ୍ଷା ପାଇବା କଷ୍ଟକର ହୋଇପଡ଼ୁଛି। ଦିନ ଦ୍ୱିପ୍ରହର ହେଉ କି ସନ୍ଧ୍ୟା ସମୟ, ମଶାଙ୍କ ଉପଦ୍ରବ ଯୋଗୁଁ ଲୋକେ ଖୋଲା ସ୍ଥାନରେ ସ୍ୱାଭାବିକ ଭାବେ ଚଳପ୍ରଚଳ କରିବାକୁ ମଧ୍ୟ ଭୟ କରୁଛନ୍ତି। ଏପରିକି ମଶା କାନ ଓ ନାକରେ ପଶି ବିଭିନ୍ନ ସମସ୍ୟା ସୃଷ୍ଟି କରୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅନ୍ୟପକ୍ଷରେ, ୨୦୧୭ ମସିହାରେ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠିତ ହୋଇଥିଲେ ମଧ୍ୟ ଦୀର୍ଘବର୍ଷ ବିତିଯାଇଥିବା ସତ୍ତ୍ୱେ ଏଯାବତ୍‌ ନିର୍ବାଚିତ ଜନପ୍ରତିନିଧି ନଥିବାରୁ ସହରବାସୀ ନିଜର ସମସ୍ୟା ଓ ଅଭିଯୋଗ ଉପଯୁକ୍ତ ମଞ୍ଚରେ ଉପସ୍ଥାପନ କରିବାରୁ ବଞ୍ଚିତ ହେଉଥିବା ମତପ୍ରକାଶ ପାଇଛି। ଅଞ୍ଚଳର ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ଲୋକେ ପରସ୍ପର ମଧ୍ୟରେ ଆଲୋଚନା କରୁଥିଲେ ମଧ୍ୟ ସମସ୍ୟାର ସମାଧାନ ପାଇଁ ସଂଗଠିତ ଭାବେ ଦାବି ଜଣାଇବାର ସୁଯୋଗ ପାଉନାହାନ୍ତି। ଏପରିକି ସମସ୍ତେ ଏନ୍‌ଏସି କାର୍ଯ୍ୟାଳୟରେ ପହଞ୍ଚି ଅଧିକାରୀଙ୍କୁ ସିଧାସଳଖ ଅଭିଯୋଗ ଜଣାଇବା ସମ୍ଭବ ହେଉନଥିବାରୁ ଅନେକେ ନିଜ ସମସ୍ୟା ମନରେ ଚାପି ରଖିବାକୁ ବାଧ୍ୟ ହେଉଛନ୍ତି।
ତେଣୁ ଓଡ଼ଗାଁ ଏନ୍‌ଏସି ପ୍ରଶାସନ ତୁରନ୍ତ ଏହି ସମସ୍ୟାକୁ ଗୁରୁତ୍ୱ ଦେଇ ସମସ୍ତ ୱାର୍ଡରେ ଡ୍ରେନ୍‌ ସଫେଇ, ଜଳ ନିଷ୍କାସନ ବ୍ୟବସ୍ଥାର ସୁଧାର, ମଶା ଲାର୍ଭା ନିୟନ୍ତ୍ରଣ ଏବଂ ଆବଶ୍ୟକ ସ୍ଥଳେ ମଶା ନିୟନ୍ତ୍ରଣ କାର୍ଯ୍ୟକ୍ରମ ନିୟମିତ କରିବାକୁ ସହରବାସୀ ଦାବି କରିଛନ୍ତି। ଜନସ୍ୱାସ୍ଥ୍ୟ ସହ ଜଡ଼ିତ ଏହି ଗୁରୁତର ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ କେବେ ତତ୍ପରତା ପ୍ରକାଶ କରୁଛି, ତାହାକୁ ଏବେ ଅପେକ୍ଷା।

Leave A Reply

Your email address will not be published.