ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ଯାତ୍ରୀବାହୀ ବସ୍ର ଭଡ଼ା ପୁଣି ବୃଦ୍ଧି କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ସୁନ୍ଦରଗଡ଼ ପରିବହନ କର୍ମଚାରୀ ସଂଘ ପକ୍ଷରୁ ଶୁକ୍ରବାର ରାଉରକେଲା ବସ୍ଷ୍ଟାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭଡ଼ା ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର ସହ ସାଧାରଣ ଯାତ୍ରୀଙ୍କ ଉପରେ ଆର୍ଥିକ ବୋଝ କମାଇବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।
ଚଳିତ ବର୍ଷ ମେ ୧୫ ଓ ଜୁନ୍ ୨ ତାରିଖରେ ସରକାର ବସ୍ ଭଡ଼ା ସଂଶୋଧନ କରିଥିବା ବେଳେ ଅଳ୍ପ କିଛି ମାସ ମଧ୍ୟରେ ପୁଣି ଥରେ ଭଡ଼ା ବୃଦ୍ଧି କରାଯାଇଛି। ପୂର୍ବରୁ ପ୍ରତି କିଲୋମିଟର ପିଛା ୨ରୁ ୫ ପଇସା ବୃଦ୍ଧି କରାଯାଇଥିବା ବେଳେ ସଦ୍ୟତମ ନିଷ୍ପତ୍ତି ଅନୁଯାୟୀ ସାଧାରଣ ବସ୍ର ଭଡ଼ା କିଲୋମିଟର ପିଛା ୨୬ ପଇସା ଏବଂ ଏକ୍ସପ୍ରେସ୍ ବସ୍ର ଭଡ଼ା ୨୮ ପଇସା ବୃଦ୍ଧି କରାଯାଇଛି।
ବିକ୍ଷୋଭରେ ସିଆଇଟିୟୁ ସମର୍ଥିତ ସୁନ୍ଦରଗଡ଼ ମୋଟର କର୍ମଚାରୀ ସଂଘ ଏବଂ ମିନି ବସ୍ ଆସୋସିଏସନ୍ର ପଦାଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ। ବିକ୍ଷୋଭକାରୀମାନେ ସାଧାରଣ ପରିବହନର ବର୍ଦ୍ଧିତ ପରିଚାଳନା ଖର୍ଚ୍ଚ ହ୍ରାସ କରିବାକୁ ସରକାର ପଦକ୍ଷେପ ନେବା ସହ ଭଡ଼ା ବୃଦ୍ଧି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଦାବି କରିଥିଲେ।
ସେମାନେ କହିଥିଲେ, ବାରମ୍ବାର ବସ୍ ଭଡ଼ା ବୃଦ୍ଧି କରିବା ପରିବର୍ତ୍ତେ ବସ୍ ଚାଳନା ଖର୍ଚ୍ଚ କମାଇବା ଉପରେ ସରକାର ଗୁରୁତ୍ୱ ଦେବା ଆବଶ୍ୟକ। ଏଥିପାଇଁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ, ବୀମା ପ୍ରିମିୟମ୍ ଏବଂ ଟୋଲ୍ ଟିକସ ହ୍ରାସ କରିବାକୁ ସେମାନେ ଦାବି କରିଥିଲେ। ଏହାଦ୍ୱାରା ବସ୍ ମାଲିକ ଓ କର୍ମଚାରୀଙ୍କ ଉପରେ ଆର୍ଥିକ ବୋଝ କମିବା ସହ ଯାତ୍ରୀମାନଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିପାରିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।