ସମ୍ଭାବ୍ୟ ବାତ୍ୟା (ଆକ୍ଭାନ୍ ) ର ମୁକାବିଲା ପାଇଁ ଭଞ୍ଜନଗର ପ୍ରଶାସନର ଆଗୁଆ ପ୍ରସ୍ତୁତି

14

ଗ୍ରାମାଞ୍ଚଳରେ ସ୍ଥାନାନ୍ତରଣ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ଉପଜିଲ୍ଲାପାଳ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: : ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ଜନସାଧାରଣଙ୍କ ଧନଜୀବନର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଆସନ୍ତା ୧୮ ଓ ୧୯ ତାରିଖରେ ଜିଲ୍ଲାରେ ବର୍ଷା ଓ ପବନର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ବ୍ଲକ୍ ସମ୍ମିଳନୀ କକ୍ଷରେ ଆଜି ନଭେମ୍ବର ୧୫ ତାରିଖ ସଂଧ୍ୟା ସମୟରେ ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବାତ୍ୟା ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବାତ୍ୟା ଓ ପରବର୍ତ୍ତୀ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବିଭାଗ ନିଜ ନିଜ ଦାୟିତ୍ୱ ସମ୍ପାଦନରେ ତତ୍ପର ରହିବା ସହ ପୂର୍ବ ଅଭିଜ୍ଞତାକୁ ଆଧାର କରି ଯେକୌଣସି ପରିସ୍ଥିତିର ସଫଳ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଆବଶ୍ୟକସ୍ଥଳେ ବିପଦସଙ୍କୁଳ ଅଞ୍ଚଳର ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନ ଓ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟ ଜଳ, ଖାଦ୍ୟ, ଆଲୋକ ଓ ଶୌଚାଳୟ ଆଦିର ସୁବିଧା ସୁନିଶ୍ଚିତ କରିବାକୁ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ କୁହାଯାଇଛି। ପଞ୍ଚାୟତସ୍ତରରେ ମାଇକ୍ ଯୋଗେ ଜନସଚେତନତା ସୃଷ୍ଟି କରାଯିବ। ଗର୍ଭବତୀ ମହିଳାଙ୍କ ଆଗୁଆ ସ୍ଥାନାନ୍ତରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ମହିଳା ଓ ଶିଶୁ ବିକାଶ ବିଭାଗ ମଧ୍ୟରେ ସମନ୍ୱୟ ରଖାଯିବ। ଗୃହପାଳିତ ପଶୁଙ୍କ ସୁରକ୍ଷା ପାଇଁ ପଶୁ ସମ୍ପଦ ବିଭାଗ ଆବଶ୍ୟକୀୟ ବ୍ୟବସ୍ଥା କରିବ। ସେହିପରି ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ସାପକାମୁଡ଼ା ନିରୋଧୀ ଇଞ୍ଜେକ୍ସନ ସମେତ ଆବଶ୍ୟକ ଔଷଧ ମହଜୁଦ ରଖିବା, ପାନୀୟ ଜଳ ଯୋଗାଣ ଅବ୍ୟାହତ ରଖିବା ପାଇଁ ପାଣି ଟ୍ୟାଙ୍କର ପ୍ରସ୍ତୁତ ରଖିବା ଏବଂ ପାଇପ୍‌ଲାଇନ୍ ଯାଞ୍ଚ ଓ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟୁତ୍, ଅଗ୍ନିଶମ, ଟେଲିଯୋଗାଯୋଗ, ରାସ୍ତା ଓ କୋଠାବାଡ଼ି ଏବଂ ଜଳସେଚନ ବିଭାଗକୁ ମଧ୍ୟ ସଜାଗ ରହିବାକୁ କୁହାଯାଇଛି। ସମ୍ଭାବ୍ୟ ବର୍ଷା ପୂର୍ବରୁ ପାଚିଲା ଫସଲ ଅମଳ କରିନେବାକୁ ଚାଷୀମାନଙ୍କୁ ଅନୁରୋଧ କରାଯାଇଛି। ବ୍ଲକ୍‌ରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିବା ସହ ଏନ୍‌ଡିଆରଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀକୁ ଉଦ୍ଧାର ଓ ସ୍ଥାନାନ୍ତରଣ କାର୍ଯ୍ୟ ପାଇଁ ପ୍ରସ୍ତୁତ ରଖାଯିବ। କୌଣସି ଅଧିକାରୀ ବିନା ଅନୁମତିରେ ସଦର ମହକୁମା ଛାଡ଼ି ନଯିବାକୁ ଉପଜିଲ୍ଲାପାଳ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ଜରୁରୀ ପରିସ୍ଥିତିରେ ସାଧାରଣ ଲୋକେ ଜରୁରୀକାଳୀନ ସହାୟତା ନମ୍ବର ୧୧୨ କୁ ଫୋନ୍ କରି ସହାୟତା ଲୋଡ଼ିପାରିବେ। ୧୧୨କୁ ଆସୁଥିବା କଲ୍‌ଗୁଡ଼ିକ ସମ୍ପୃକ୍ତ ବିଭାଗକୁ ହସ୍ତାନ୍ତର କରାଯାଇ ଆବଶ୍ୟକୀୟ ସହାୟତା ଓ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ। ଅନ୍ୟପକ୍ଷରେ, ଉପଜିଲ୍ଲାପାଳ ଶ୍ରୀ ବେହେରା ଧରାକୋଟ ବ୍ଲକ୍‌ର ସାବା ପଞ୍ଚାୟତ ଅନ୍ତର୍ଗତ ଜୟସିଂ, ଝିଲିମିଲି ଓ ସାଗକିଆରୀ ଗ୍ରାମ ପରିଦର୍ଶନ କରି ବାତ୍ୟା ମୁକାବିଲା ପାଇଁ ଗ୍ରାମାଞ୍ଚଳରେ ଚାଲିଥିବା ପ୍ରସ୍ତୁତି, ଉଦ୍ଧାର ଓ ସ୍ଥାନାନ୍ତରଣ କାର୍ଯ୍ୟର ତଦାରଖ କରିଥିଲେ। ଅସୁରକ୍ଷିତ ଅଞ୍ଚଳର ଲୋକଙ୍କୁ ସମୟୋଚିତ ଭାବେ ସୁରକ୍ଷିତ ସ୍ଥାନକୁ ନେବା ଏବଂ ଆବଶ୍ୟକୀୟ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ କହିଥିଲେ । ଏହି ଗସ୍ତ ସମୟରେ ଧରାକୋଟ ବିଡିଓ ଶ୍ରୀମତୀ ଲିପିନା ଦାସ ଓ ତହସିଲଦାର ଶ୍ରୀ ଲମ୍ବୋଦର ମାରାଣ୍ଡିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
ବୈଠକରେ ଭଞ୍ଜନଗର ବିଡିଓ ଶ୍ରୀମତୀ ଭାରତୀ ଦେବୀ, ତହସିଲଦାର ଶ୍ରୀମତୀ ଅଭିପ୍ସା ପଟ୍ଟନାୟକ, ଏବିଡିଓ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମୁରଲୀକୃଷ୍ଣ ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.