ମେଗା ସ୍ୱଚ୍ଛ ଝାରସୁଗୁଡ଼ା ଅଭିଯାନ’; ସଫେଇ ଅଭିଯାନରେ ସାମିଲ ହେଲେ ବିଧାୟକ ଓ ଜିଲ୍ଲାପାଳ

8

ଝାରସୁଗୁଡ଼ା, ସ୍ୱଚ୍ଛ, ସୁନ୍ଦର ଓ ସବୁଜ ଝାରସୁଗୁଡ଼ା ଗଠନ ଦିଗରେ ଆଜି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ‘ମେଗା ସ୍ୱଚ୍ଛ ଝାରସୁଗୁଡ଼ା ଅଭିଯାନ’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ୭ଟାରୁ ସହରର ୫୦ଟି ନିର୍ଦ୍ଧାରିତ ସ୍ଥାନରେ ଆୟୋଜିତ ଏହି ମହା ସ୍ୱଚ୍ଛତା ଅଭିଯାନରେ ଝାରସୁଗୁଡ଼ାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ ଏବଂ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ପ୍ରମୁଖ ଯୋଗଦେଇ ଅଭିଯାନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଚହ୍ବାଣ ଉପସ୍ଥିତ ଜନସାଧାରଣ, ସ୍ୱେଚ୍ଛାସେବୀ ଓ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟମାନଙ୍କୁ ସ୍ୱଚ୍ଛତାର ଶପଥ ପାଠ କରାଇଥିଲେ ।
କାର୍ଯ୍ୟକ୍ରମରେ ଯୋଗଦେଇ ବିଧାୟକ ଶ୍ରୀ ତ୍ରିପାଠୀ ଏବଂ ଜିଲ୍ଲାପାଳ ସହରର ଝଣ୍ଡାଚୌକ ଓ ମନମୋହନ ପଡ଼ିଆଠାରେ ସ୍ୱଚ୍ଛକର୍ମୀ ଭାଇଭଉଣୀମାନଙ୍କ ସହ ମିଶି ହାତରେ ଝାଡ଼ୁ ଧରି ସଫେଇ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ତ୍ରିପାଠୀ କହିଥିଲେ ଯେ, ସ୍ୱଚ୍ଛତା କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କର ସାମାଜିକ ଦାୟିତ୍ୱ ଓ ନାଗରିକ କର୍ତ୍ତବ୍ୟ । ଏହି ସଂକଳ୍ପକୁ କେବଳ ଶପଥରେ ସୀମିତ ନରଖି ନିଜ ଦୈନନ୍ଦିନ ଜୀବନର ଅଭ୍ୟାସରେ ପରିଣତ କରିବାକୁ ସେ ଆହ୍ୱାନ ଜଣାଇଥିଲେ । ସମସ୍ତଙ୍କ ଛୋଟ ଛୋଟ ପ୍ରୟାସ ଓ ସାମୂହିକ ସହଭାଗିତା ହିଁ ଆମ ସ୍ୱପ୍ନର ସ୍ୱଚ୍ଛ, ସବୁଜ ଓ ସୁନ୍ଦର ଝାରସୁଗୁଡ଼ା ଗଠନରେ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ କାଉନସିଲର ବନ୍ଦନା ମୂନ୍ଦ୍ରା, ତରଙ୍ଗ ଦୁବେ ଏବଂ ଦେବବ୍ରତ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ।ଏହି ସ୍ୱଚ୍ଛତା ଅଭିଯାନ ପରେ ବିଧାୟକ ଶ୍ରୀ ତ୍ରିପାଠୀ ଓ ଜିଲ୍ଲାପାଳ ଶ୍ରୀ ଚହ୍ବାଣ ଆଗାମୀ ପବିତ୍ର ଛଟ୍ ପୂଜା ଏବଂ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରଦ୍ଧାଳୁମାନଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଟାଉନସ୍ଥିତ ମାରୱାଡ଼ି ତଲାବ ପରିଦର୍ଶନ କରିଥିଲେ । ପର୍ବପର୍ବାଣୀ ସମୟରେ ଶ୍ରଦ୍ଧାଳୁମାନଙ୍କ ପାଇଁ ତଲାବ ପରିସରରେ ପରିମଳ, ସ୍ୱଚ୍ଛତା, ଆଲୋକୀକରଣ, ସୁରକ୍ଷା ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବା ସହ ସମସ୍ତ ଆବଶ୍ୟକୀୟ କାର୍ଯ୍ୟ ସମୟୋଚିତ ଭାବେ ସମ୍ପନ୍ନ କରିବାକୁ ଉଭୟେ ବିଭାଗୀୟ ଅଧିକାରୀମାନଙ୍କ ସହ ସମୀକ୍ଷା କରିଥିଲେ । ପବିତ୍ର ପର୍ବଗୁଡ଼ିକ ଶାନ୍ତି, ଶୃଙ୍ଖଳା ଓ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେବା ପ୍ରଶାସନର ସର୍ବୋଚ୍ଚ ପ୍ରାଥମିକତା ବୋଲି ବିଧାୟକ ପ୍ରକାଶ କରିଥିଲେ । ଆଜିର ଏହି ମହା ସ୍ୱଚ୍ଛତା ଅଭିଯାନରେ ସହରର ବହୁ ଯୁବବର୍ଗ, ସ୍ୱେଚ୍ଛାସେବୀ, ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା, ପୌର ପରିଷଦର ସ୍ୱଚ୍ଛକର୍ମୀ, ପ୍ରଶାସନିକ ଅଧିକାରୀ ଏବଂ ସାଧାରଣ ଜନତା ବିପୁଳ ସଂଖ୍ୟାରେ ସାମିଲ ହୋଇ ଅଭିଯାନକୁ ସଫଳ କରିଥିଲେ ।

Leave A Reply

Your email address will not be published.