ଲୁହା କାରଖାନା ହେଲା କାଳ: ମାତ୍ରାଧିକ ପ୍ରଦୂଷଣର ଶିକାର ଉଲିବୁରୁ ଗ୍ରାମବାସୀ

0

ବଡ଼ବିଲ: ବଡ଼ବିଲ ନିକଟସ୍ଥ ଉଲିବୁରୁ ଗ୍ରାମ ନିମନ୍ତେ ଶ୍ରୀ ଜଗନ୍ନାଥ ଷ୍ଟିଲ ଏଣ୍ଡ ପାୱାର ଲୁହା କାରଖାନା ଅଭିଶାପ ପାଲଟିଛି ବୋଲି ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। କାରଖାନାରୁ ନିର୍ଗତ ଧୂଆଁ ସ୍ଥାନୀୟ ବାତାବରଣକୁ ଦୂଷିତ କରୁଥିବା ବେଳେ ସ୍ଥାନୀୟ ଲୋକେ ଏହାଯୋଗୁଁ ବିଭିନ୍ନ ମାରାତ୍ମକ ବ୍ୟାଧିର ଶିକାର ହେଉଛନ୍ତି। ସେହିପରି ଅସୁରକ୍ଷିତ ଡମ୍ପି ୱାର୍ଡରୁ କୋଇଲା ଓ ଲୁହାପଥର ଗୁଣ୍ଡ ଉଡି କାରଖାନା ନିକଟସ୍ଥ ଚାଷ ଜମି ଆଉ ଚାଷ ଉପଯୋଗୀ ହୋଇ ରହିନାହିଁ। କିଛି ବର୍ଷ ପୂର୍ବେ ଏ ସବୁ ଜମିରେ ଚାଷ ହେଉଥିଲା ବେଳେ ଏବେ ଜମି ଉପରେ ବହଳ କୋଇଲା ଓ ଲୁହଗୁଣ୍ଡର ଆସ୍ତରଣ ଦେଖିବାକୁ ମିଳୁଛି। ସେହିପରି କମ୍ପାନୀ ସ୍ଥାନୀୟ ବାସିନ୍ଦାଙ୍କ ଦଖଲରେ ଥିବା ଗୋଚର ଜମି ସବୁକୁ ନିଜ ଲିଜ ଅଞ୍ଚଳରେ ଥିବା ଦର୍ଶାଇ ପରିବହନ ନିମନ୍ତେ ରାସ୍ତା ନିର୍ମାଣ କରିଛି। ଏପରିକି ଉଲିବୁରୁ ସଂରକ୍ଷିତ ଜଙ୍ଗଲରେ ୧୯୭୯ରୁ ଥିବା ଏକ ଜଳାଶୟକୁ ପୋତି ସେଠାରେ ରାସ୍ତା ନିର୍ମାଣ କରିବାକୁ ଚକ୍ରାନ୍ତ ଚଳାଇଛି ବୋଲି ଉଲିବୁରୁ ଗ୍ରାମ ବାସିନ୍ଦା ରଞ୍ଜନ ମହାନ୍ତ, ବିଜୟ ମହାନ୍ତ, ରମେଶ ମହାନ୍ତ ଓ ବିଜୁ ମହାନ୍ତ ପ୍ରମୁଖ ଅଭିଯୋଗ କରିଛନ୍ତି। 

କାରଖାନାରେ କାର୍ଯ୍ୟରତ ଜଣେ  ସ୍ଥାନୀୟ ଯୁବକ କୃଷ୍ଣ ପାତ୍ର ପ୍ରଦୂଷଣରେ ଜର୍ଜରିତ ଗ୍ରାମର ଦୁଃଖ ଜଣାଇ ପ୍ରଦୂଷଣ ବୋର୍ଡରେ ଏକ ପିଟିସନ ଦାଖଲ କରିଥିଲେ। କମ୍ପାନୀକୁ ପ୍ରଦୂଷଣ ବୋର୍ଡରୁ ନୋଟିସ ଆସିଲା ପରେ କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶୋଧ ପରାୟଣ ହୋଇ ଗତ ଫେବୃଆରୀ ୨୫ ତାରିଖରେ କୃଷ୍ଣଙ୍କୁ ଚାକିରିରୁ ବରଖାସ୍ତ କରିଥିବା ସେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ସରଳ ଗ୍ରାମବାସୀ କାମଧନ୍ଦା ଓ ରୋଜଗାର ଆଶାରେ କମ୍ପାନୀକୁ କାରଖାନା ନିମନ୍ତେ ଜମି ଦେଇ ଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ ସ୍ଥାନୀୟ ବେରୋଜଗାର ଯୁବକଙ୍କୁ ଅଣଦେଖା କରୁଛନ୍ତି। ଫଳରେ ସ୍ଥାନୀୟ ଯୁବକ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସମସ୍ତ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Leave A Reply

Your email address will not be published.