ରାଜରାଜେଶ୍ୱର ସୁନାବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
ଓଡ଼ଗାଁ, ୨୦।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ବିଜୟା ଦଶମୀ ଅବସରରେ ଓଡ଼ଗାଁର ଆରାଧ୍ୟ ଠାକୁର ଶ୍ରୀ ରଘୁନାଥ ଜିଉଙ୍କ ବିଜୟ ଉତ୍ସବ ପାରମ୍ପରିକ ରୀତିନୀତି ଅନୁଯାୟୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀଜିଉଙ୍କ ମନୋରମ ରାଜରାଜେଶ୍ୱର ସୁନାବେଶ ଦର୍ଶନ କରିବା ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା। ଦୈନନ୍ଦିନ ନୀତିକାନ୍ତି ସମାପନ ପରେ ଦଶହରା ସନ୍ଧ୍ୟାରେ ଶ୍ରୀ ରଘୁନାଥ ଜିଉ ମାତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହ ସ୍ୱତନ୍ତ୍ର ବିମାନରେ ବିଜେ କରି ଦଶହରା ପଡ଼ିଆ ଅଭିମୁଖେ ବାହାରିଥିଲେ। ଏହି ପଟୁଆରରେ ଓଡ଼ଗାଁ ମଠାଧୀଶ ଶ୍ରୀ ରାଧାକୃଷ୍ଣଙ୍କ ଚଳନ୍ତି ପ୍ରତିମା ମଧ୍ୟ ସାମିଲ ହୋଇଥିଲେ। ଥାଟପଟୁଆର, ଖୋଳତାଳ ସଂକୀର୍ତ୍ତନ, ଘଣ୍ଟଘଣ୍ଟା, ବିଜୟଭେରୀ ଓ ତୁରୀର ଗମ୍ଭୀର ନାଦରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା। ଏଥିସହ ହାତୀ, ବାଘ, ଷଣ୍ଢ ଓ ଘୋଡ଼ା ନାଚ, ବାଜା ଓ ରୋଷଣୀର ଆକର୍ଷଣୀୟ ଆୟୋଜନ ପଟୁଆରର ଶୋଭା ବୃଦ୍ଧି କରିଥିଲା।

ନଗର ପରିକ୍ରମା ପରେ ଶ୍ରୀଜିଉ ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ଦଶହରା ମଣ୍ଡପରେ ବିଜେ କରିଥିଲେ। ସେଠାରେ ମନ୍ଦିର ପୁରୋଧା ରଶ୍ମୀରଞ୍ଜନ ଷଡ଼ଙ୍ଗୀ ଓ ଶେଷଦେବ ଷଡ଼ଙ୍ଗୀଙ୍କ ଦ୍ୱାରା ସ୍ୱତନ୍ତ୍ର ହୋମଯଜ୍ଞ ସମ୍ପନ୍ନ ହୋଇଥିଲା। ପରେ ପାଳିଆ ପଣ୍ଡା ବେଣୁଧର ନନ୍ଦ ଷୋଡ଼ଶ ଉପଚାରରେ ଭୋଗ ଓ ନୈବେଦ୍ୟ ଅର୍ପଣ କରିବା ସହ କର୍ପୂର ଆଳତି ଓ କାଠି ଆଳତି ସମ୍ପନ୍ନ କରିଥିଲେ। ଏହାପରେ ତାଳପତ୍ରରେ ଲିଖିତ ବିଜୟା ଦଶମୀ ଶ୍ଳୋକ ପାଠ କରାଯାଇଥିଲା। ରାତି ୧୧ଟା ପରେ ଶ୍ରୀଜିଉଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ ହୋଇଥିଲା। ମନ୍ଦିର ନିକଟସ୍ଥ ବିଭିନ୍ନ ସାହିରେ ଚାଚେରୀ ଭୋଗ ଗ୍ରହଣ କରିବା ପରେ ରାତି ପ୍ରାୟ ୧୨ଟା ପରେ ଶ୍ରୀଜିଉ ମନ୍ଦିରରେ ପ୍ରବେଶ କରିଥିଲେ। ଏହାପରେ ଅନ୍ୟାନ୍ୟ ନୀତିକାନ୍ତି ସମାପନ ହେବା ସହ ଶ୍ରୀଜିଉଙ୍କ ପହଡ଼ ପଡ଼ିଥିଲା। ପାରମ୍ପରିକ ରୀତିନୀତି, ଭକ୍ତିପୂର୍ଣ୍ଣ ପରିବେଶ ଓ ଆକର୍ଷଣୀୟ ପଟୁଆର ମଧ୍ୟରେ ଓଡ଼ଗାଁର ଏହି ବିଜୟ ଉତ୍ସବ ଶ୍ରଦ୍ଧାଳୁଙ୍କ ମନରେ ଆଧ୍ୟାତ୍ମିକ ଭାବନା ଭରିଦେଇଥିଲା।