,
ଦ୍ବିତୀୟ ଦିବସରେ ସହିଦନଗର ଭୁବନେଶ୍ୱର ସେମିଫାଇନାଲରେ
ଓଡ଼ଗାଁ, ୨୦।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ଦ୍ୱିତୀୟ ଡେଭିଡ୍ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ-୨୦୨୬ର ଦ୍ୱିତୀୟ ଦିବସରେ ଦୁଇଟି ଲିଗ୍ ମ୍ୟାଚ୍ ଓ ଗୋଟିଏ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଦିବସର ଶେଷ ମ୍ୟାଚ୍ରେ ପାଢ଼ୀ ଇଲେଭେନ୍ ଗଞ୍ଜାମକୁ ୬୨ ରନ୍ରେ ପରାସ୍ତ କରି ସହିଦନଗର ଭୁବନେଶ୍ୱର ସେମିଫାଇନାଲ୍ରେ ପ୍ରବେଶ କରିଛି। ମଙ୍ଗଳବାର ପ୍ରଥମ ଲିଗ୍ ମ୍ୟାଚ୍ ନୟାଗଡ଼ର ଜ୍ୟୋତି ଇଲେଭେନ୍ ଓ ଗଞ୍ଜାମର ପାଢ଼ୀ ଇଲେଭେନ୍ ମଧ୍ୟରେ ଖେଳାଯାଇଥିଲା। ଜ୍ୟୋତି ଇଲେଭେନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା। ପାଢ଼ୀ ଇଲେଭେନ୍ ନିର୍ଦ୍ଧାରିତ ୮ ଓଭରରେ ୪ ଉଇକେଟ୍ ହରାଇ ୧୧୬ ରନ୍ ସଂଗ୍ରହ କରିଥିଲା। ଜବାବରେ ଜ୍ୟୋତି ଇଲେଭେନ୍ ୮ ଓଭରରେ ୩ ଉଇକେଟ୍ ହରାଇ ୯୮ ରନ୍ କରିବାକୁ ସକ୍ଷମ ହୋଇଥିଲା। ଫଳରେ ପାଢ଼ୀ ଇଲେଭେନ୍ ୧୮ ରନ୍ରେ ବିଜୟୀ ହୋଇଥିଲା। ବୈଭବ ଜେନାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା। ଦ୍ୱିତୀୟ ଲିଗ୍ ମ୍ୟାଚ୍ରେ ସହିଦନଗର ଭୁବନେଶ୍ୱର ଓ ଭବାନୀପାଟଣା ଏକାଦଶ ମୁହାଁମୁହିଁ ହୋଇଥିଲେ। ସହିଦନଗର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୭ ଓଭରରେ ୩ ଉଇକେଟ୍ ହରାଇ ୧୪୧ ରନ୍ର ବିଶାଳ ସ୍କୋର୍ କରିଥିଲା। ଏହାର ଜବାବରେ ଭବାନୀପାଟଣା ଏକାଦଶ ୬.୨ ଓଭରରେ ସମସ୍ତ ଉଇକେଟ୍ ହରାଇ ୯୬ ରନ୍ ସଂଗ୍ରହ କରିଥିଲା। ଫଳରେ ସହିଦନଗର ୪୫ ରନ୍ରେ ବିଜୟ ହାସଲ କରିଥିଲା। ସନ୍ତୋଷ ପାତ୍ରଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ଚୟନ କରାଯାଇଥିଲା। ଦିବସର ତୃତୀୟ ତଥା ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ପ୍ରଥମ ଦୁଇଟି ମ୍ୟାଚ୍ର ବିଜୟୀ ଦଳ ପାଢ଼ୀ ଇଲେଭେନ୍ ଗଞ୍ଜାମ ଓ ସହିଦନଗର ଭୁବନେଶ୍ୱର ପରସ୍ପରକୁ ଭେଟିଥିଲେ। ଏହି ମ୍ୟାଚ୍ରେ ସହିଦନଗର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୯ ଓଭରରେ ୪ ଉଇକେଟ୍ ହରାଇ ୧୫୪ ରନ୍ ସଂଗ୍ରହ କରିଥିଲା। ଜବାବରେ ପାଢ଼ୀ ଇଲେଭେନ୍ ୮.୩ ଓଭରରେ ସମସ୍ତ ଉଇକେଟ୍ ହରାଇ ମାତ୍ର ୯୨ ରନ୍ କରିଥିଲା। ଫଳରେ ସହିଦନଗର ୬୨ ରନ୍ରେ ବିଜୟୀ ହୋଇ ସେମିଫାଇନାଲ୍ରେ ସ୍ଥାନ ପକ୍କା କରିଥିଲା। କିରଣ ଖାନ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ଆସନ୍ତାକାଲି ଟୁର୍ଣ୍ଣାମେଣ୍ଟରେ ଆଉ ଦୁଇଟି ଲିଗ୍ ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ରେ କନ୍ଧମାଳ ଇଲେଭେନ୍ ଓ କେନ୍ଦୁଝର ଇଲେଭେନ୍ ଏବଂ ଦ୍ୱିତୀୟ ମ୍ୟାଚ୍ରେ ଜେଏମ୍ଡି ଭୁବନେଶ୍ୱର ଓ ପୁରୀ ଇଲେଭେନ୍ ମଧ୍ୟରେ ମୁକାବିଲା ହେବ। ଏହି ଦୁଇ ମ୍ୟାଚ୍ର ବିଜୟୀ ଦଳଙ୍କ ମଧ୍ୟରେ ତୃତୀୟ କ୍ୱାର୍ଟର ଫାଇନାଲ୍ ଅନୁଷ୍ଠିତ ହେବ। ରଘୁନାଥ ଆଥଲେଟିକ୍ ଆସୋସିଏସନ୍ର ସମ୍ପାଦକ ତଥା କ୍ରୀଡ଼ା ସଂଗଠକ ଦିବାକର ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜ୍ଞାନରଞ୍ଜନ ଓ ଜ୍ୟୋତୀ ପ୍ରକାଶ ଆଜିର ମ୍ୟାଚ୍ଗୁଡ଼ିକ ପରିଚାଳନା କରିଥିଲେ।