ଦୁଇ ଶତାବ୍ଦୀର ବିଶ୍ୱାସ ଦୃଢ଼ କରୁଛି ମାନସିକଧାରୀଙ୍କ ଆସ୍ଥା
ଓଡ଼ଗାଁ, ୨୦।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ପନ୍ତିଖାରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଶାବାରୀ ଗ୍ରାମରେ ମା’ ମଙ୍ଗଳାଙ୍କ କୋଠିରେ ଆଶ୍ୱିନ ମାସର ମଙ୍ଗଳବାର ଗୁଡ଼ିକରେ ବିଶେଷ ଧାର୍ମିକ ଉତ୍ସାହ ଦେଖିବାକୁ ମିଳୁଛି। ଦୀର୍ଘ ଦୁଇ ଶତାବ୍ଦୀ ଧରି ଚଳିଆସୁଥିବା ଏହି ପରମ୍ପରା ଶ୍ରଦ୍ଧାଳୁ ଓ ମାନସିକଧାରୀଙ୍କ ବିଶ୍ୱାସକୁ ଅଧିକ ଦୃଢ଼ କରୁଛି। ଜଣେ ମାନସିକଧାରୀଙ୍କ ମାନସିକ ପୂରଣ ହୋଇଥିବାରୁ ଆଜି ଆଶ୍ୱିନ ମାସର ଚତୁର୍ଥ ମଙ୍ଗଳବାରରେ ଶତାଧିକ ମହିଳା ଓ ପୁରୁଷ ମସ୍ତକରେ ଘଟ କଳସୀ ଧାରଣ କରି ମାନସିକଧାରୀଙ୍କ ଘରକୁ ଯାତ୍ରା କରିଥିଲେ। ସେଠାରେ ଷୋଡ଼ଶ ଉପଚାରରେ ମା’ଙ୍କ ପୂଜାର୍ଚ୍ଚନା କରାଯିବା ପରେ ସମସ୍ତେ ମଙ୍ଗଳାଙ୍କ କୋଠିକୁ ଫେରିଥିଲେ।

ଏହି ଘଟ କଳସୀ ଯାତ୍ରା ମା’ଙ୍କ ପ୍ରତି ଶ୍ରଦ୍ଧାଳୁଙ୍କ ଅଗାଢ଼ ଭକ୍ତି ଓ ଆସ୍ଥାର ପ୍ରତୀକ ପାଲଟିଛି। କେବଳ ମା’ଙ୍କ କୋଠିରେ ନୁହେଁ, ଗ୍ରାମର ଘରେ ଘରେ ମଧ୍ୟ ମହିଳାମାନେ ପରିବାରର ମଙ୍ଗଳ କାମନା କରି ମା’ ମଙ୍ଗଳାଙ୍କ ବ୍ରତ ପାଳନ କରିଥାନ୍ତି। ଏହା ଗ୍ରାମାଞ୍ଚଳର ଧାର୍ମିକ ପରମ୍ପରା ଓ ସାମୂହିକ ଆସ୍ଥାକୁ ଉଜ୍ଜୀବିତ କରି ରଖିଛି। ଅନ୍ୟପକ୍ଷରେ, ଆଜି ମଙ୍ଗଳବାର ସହ ବିଜୟା ଦଶମୀ ପଡ଼ିଥିବାରୁ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଦଶହରା ଅବସରରେ ଲୋକେ ନିଜ ଯାନବାହନରେ ନୂଆ କପଡ଼ା ବାନ୍ଧିବା ସହ ବିଦ୍ୟାର୍ଥୀମାନେ ପୁସ୍ତକ ଓ ପାଠପଢ଼ା ସାମଗ୍ରୀକୁ ସଜାଇ ରଖି ପୂଜାର୍ଚ୍ଚନା ସହ ଅନୁକୂଳ କରିଥିଲେ। ଏହାପରେ ଅପରାହ୍ନରେ ଦଶହରା ଅନୁକୂଳ କରାଯାଇଥିଲା। ମା’ଙ୍କ ଆରାଧନା ଓ ପାରମ୍ପରିକ ରୀତିନୀତି ମଧ୍ୟରେ ଗ୍ରାମରେ ଭକ୍ତିମୟ ପରିବେଶ ପରିଲକ୍ଷିତ ହୋଇଥିଲା।