ଓଡ଼ଗାଁ ଏନ୍‌ଏସିରେ ସ୍ୱଚ୍ଛତା ସମ୍ବର୍ଦ୍ଧନା ଉତ୍ସବ

13


‘ସବୁଦିନ ଆମ ପାଇଁ, ଆଜି ଦିନଟି ସଫେଇ ମିତ୍ରଙ୍କ ପାଇଁ’


ଓଡ଼ଗାଁ, ୧୬।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ପକ୍ଷରୁ ବଡ଼ଖାନା ଓ ସ୍ୱଚ୍ଛତା ସମ୍ବର୍ଦ୍ଧନା ଉତ୍ସବ ଶୁକ୍ରବାର ସ୍ଥାନୀୟ ବ୍ଲକ୍‌ ରୋଡ୍‌ସ୍ଥିତ କଲ୍ୟାଣୀ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ‘ସବୁଦିନ ଆମ ପାଇଁ, ଆଜିର ଦିନଟି ସଫେଇ ମିତ୍ରଙ୍କ ପାଇଁ’ ବାର୍ତ୍ତାକୁ ନେଇ ଆୟୋଜିତ ଏହି ଉତ୍ସବରେ ସଫେଇ କର୍ମଚାରୀଙ୍କ ଅବଦାନକୁ ସମ୍ମାନ ଜଣାଇବା ସହ ସ୍ୱଚ୍ଛତା ପ୍ରତି ସାମୂହିକ ଦାୟିତ୍ୱବୋଧ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଜିଲ୍ଲା ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ ଲଗ୍ନଜିତ୍‌ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ବିଡିଓ ପ୍ରୀତିବାଳା ରଣା ଏବଂ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ଚଳିତ ବର୍ଷ ଓଡ଼ିଶାରେ ଓଡ଼ଗାଁ ଏନ୍‌ଏସି ଶ୍ରେଷ୍ଠ ଏନ୍‌ଏସି ଭାବେ ପୁରସ୍କୃତ ହୋଇଥିବାରୁ ମୁଖ୍ୟ ଅତିଥି ଖୁସି ପ୍ରକାଶ କରିଥିଲେ। ଉତ୍ତମ କାର୍ଯ୍ୟଧାରା ଜାରି ରଖି ଓଡ଼ଗାଁ ଏନ୍‌ଏସି ପ୍ରତିବର୍ଷ ନିଜର ଶ୍ରେଷ୍ଠତ୍ୱ ବଜାୟ ରଖିବା ସହ ପୁରସ୍କୃତ ହେଉ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ସେହିପରି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସ୍ୱଚ୍ଛତା ଅପରିହାର୍ଯ୍ୟ ଏବଂ ବିଶେଷକରି ବରିଷ୍ଠ ନାଗରିକଙ୍କ ପାଇଁ ଏହା ମୃତ୍ୟୁସଞ୍ଜୀବନୀ ସଦୃଶ ବୋଲି ତହସିଲଦାର ଡ. ଭୋଇ ମତବ୍ୟକ୍ତ କରିଥିଲେ। ଏନ୍‌ଏସି ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ନିଜ ବକ୍ତବ୍ୟରେ ସଫେଇ କର୍ମଚାରୀଙ୍କ ଗୁରୁତ୍ୱକୁ ଉଲ୍ଲେଖ କରି କହିଥିଲେ ଯେ, ସହରର ସ୍ୱଚ୍ଛତା ହେଉଛି ତାହାର ଆତ୍ମପରିଚୟ। ଆମ ପାଇଁ ସଫେଇ କର୍ମଚାରୀମାନେ ପ୍ରତିଦିନ କାର୍ଯ୍ୟ କରୁଥିବାବେଳେ ଏହି ଦିନଟି ସେମାନଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ଜଣାଇବାର ଅବସର ବୋଲି ସେ କହିଥିଲେ।
ସ୍ୱଚ୍ଛତା, ସବୁଜ ପରିବେଶ ସୃଷ୍ଟି ଏବଂ ଏକକ ବ୍ୟବହାରଯୋଗ୍ୟ ସାମଗ୍ରୀ ଓ ପ୍ଲାଷ୍ଟିକ୍‌ ବର୍ଜନ ଦିଗରେ କାର୍ଯ୍ୟ କରୁଥିବା ସୁକାନ୍ତ ଚୌଧୁରୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ସ୍ୱଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଓଡ଼ଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ କର୍ତ୍ତବ୍ୟନିଷ୍ଠ ସଫେଇ କର୍ମଚାରୀ ଭାବେ ସୁରେଶ ନାୟକ, ଆଲୋକ ଓ ଅନୀତାଙ୍କୁ ସମ୍ମାନିତ କରାଯାଇଥିଲା।
ଶିକ୍ଷକ ରଞ୍ଜନ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅବସରପ୍ରାପ୍ତ ଶିକ୍ଷକ ପଞ୍ଚାନନ ପଣ୍ଡା ସଂଯୋଜନା କରିଥିଲେ। ଏନ୍‌ଏସିର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.