ଓଡ଼ଗାଁ, ୧୩।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ ଓଡ଼ଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଘରକୁ ଘର ସର୍ଭେ ସମ୍ପର୍କିତ ଏକଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡିଓ ପ୍ରୀତିବାଳା ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଅତିରିକ୍ତ ବିଡିଓ କବିତା ପ୍ରଧାନ ଓ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ବିଶ୍ୱଜିତ୍ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସାଧନକର୍ମୀ ଭାବେ ସୁପରଭାଇଜର ସୁଶେନ୍ଦୁ ଷଡ଼ଙ୍ଗୀ ଓ ଦେବାଶିଷ ଦାଶ ତାଲିମ ପ୍ରଦାନ କରିଥିଲେ। ଓଡ଼ଗାଁ ବ୍ଲକର କୁରାଳ, ଗିରିଡିପଲ୍ଲୀ, କୋମଣ୍ଡ, ଗୌଡ଼ପୁଟ, ଭାଡ଼ିକିଳା, ବାଣ୍ଠପୁର ଓ ଆରଡ଼ା ପଞ୍ଚାୟତର ବୁଥ୍ସ୍ତରୀୟ ଅଧିକାରୀ (ବିଏଲ୍ଓ), ଆଶାକର୍ମୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସୁପରଭାଇଜରଙ୍କ ସମେତ ମୋଟ ୧୧୦ ଜଣ ଏହି ତାଲିମ ଶିବିରରେ ଯୋଗ ଦେଇଥିଲେ। ଆଗାମୀ ୨୦୨୭ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟର ତାଲିକାରେ ଯେପରି କୌଣସି ଯୋଗ୍ୟ ଭୋଟରଙ୍କ ନାମ ବାଦ୍ ନପଡ଼େ ଏବଂ କୌଣସି ଭୋଟରଙ୍କ ନାମ ଏକାଧିକ ସ୍ଥାନରେ ପଞ୍ଜୀକୃତ ନହୁଏ, ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା। ଘରକୁ ଘର ସର୍ଭେ ମାଧ୍ୟମରେ ଭୋଟରଙ୍କ ତଥ୍ୟ ସଠିକ୍ ଭାବେ ସଂଗ୍ରହ, ଯାଞ୍ଚ ଓ ତାଲିକା ପ୍ରସ୍ତୁତି ସମ୍ପର୍କରେ ତାଲିମାର୍ଥୀମାନଙ୍କୁ ବିସ୍ତୃତ ଭାବେ ବୁଝାଇ ଦିଆଯାଇଥିଲା। ଏହି ସର୍ଭେ କାର୍ଯ୍ୟ ଆସନ୍ତା ୨୬ ଅକ୍ଟୋବରରୁ ଆରମ୍ଭ ହୋଇ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ପର୍ଯ୍ୟାୟକ୍ରମେ ନୟାଗଡ଼ ଓ ରଣପୁର ନିର୍ବାଚନମଣ୍ଡଳୀର ସମସ୍ତ ବୁଥ୍ସ୍ତରୀୟ ଅଧିକାରୀଙ୍କୁ ଏହି ତାଲିମ ପ୍ରଦାନ କରାଯିବ। ତାଲିମ କାର୍ଯ୍ୟକ୍ରମରେ ସୁପରଭାଇଜର ରଞ୍ଜନ କୁମାର ଦାଶ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.