ସୁରଭି-୨୦୨୬:ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟର ଦଳଗତ ନୃତ୍ୟ ବ୍ଲକ୍‌ସ୍ତରକୁ ମନୋନୀତ,

10


ଓଡ଼ଗାଁ, ୧୩।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍‌ ଅନ୍ତର୍ଗତ ମଶାବାରୀ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ମଙ୍ଗଳବାର ପିଏମ୍‌ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟର ଦଳଗତ ନୃତ୍ୟ ବ୍ଲକ୍‌ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛି। ଓଡ଼ଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେଶ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମହୋତ୍ସବରେ କନିଷ୍ଠ, ବରିଷ୍ଠ ଓ ସର୍ବ ବରିଷ୍ଠ ବର୍ଗର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ‘ସମୃଦ୍ଧ ଭାଷା, ସମୃଦ୍ଧ ଓଡ଼ିଶା’ ବିଷୟବସ୍ତୁକୁ ଆଧାର କରି ଚିତ୍ରାଙ୍କନ, ସଙ୍ଗୀତ, ଦଳଗତ ନୃତ୍ୟ, ବକ୍ତୃତା, କୁଇଜ୍‌, ତର୍କ, ସୃଜନଶୀଳ ଲିଖନ, ଶ୍ରୁତଲିଖନ, ହସ୍ତାକ୍ଷର ଓ ପ୍ରବନ୍ଧ ଲିଖନ ସମେତ ମୋଟ ୧୨ଟି ବିଭାଗରେ ପ୍ରତିଯୋଗିତା ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ ସ୍ୱରୂପ ରଞ୍ଜନ ମିଶ୍ର, ଡାକ୍ତର ଦେବୀପ୍ରସାଦ ପଣ୍ଡା ଓ ନରେନ୍ଦ୍ର ତ୍ରିପାଠୀ ବିଚାରକ ଭାବେ ଯୋଗଦେଇଥିଲେ। ଅପରାହ୍ନରେ ଦଳଗତ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
ଉଦ୍‌ଯାପନୀ ତଥା ପୁରସ୍କାର ବିତରଣ ସଭାରେ ଓଡ଼ଗାଁ ବିଡିଓ ପ୍ରୀତିବାଳା ରଣା ମୁଖ୍ୟ ଅତିଥି ଏବଂ ଓଡ଼ଗାଁ ଆଦର୍ଶ ଥାନାର ସବ୍‌ଇନ୍ସପେକ୍ଟର ଚକ୍ରଧର ସିଂ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସେହିପରି ଅତିରିକ୍ତ ବ୍ଲକ୍‌ ଶିକ୍ଷା ଅଧିକାରୀ ରାଜକିଶୋର ସାହୁ ଓ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ପ୍ରତ୍ୟେକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ବ୍ଲକ୍‌ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ୧୫ଟି ବିଦ୍ୟାଳୟର ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ମଶାବାରୀ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଯଶୋବନ୍ତ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Leave A Reply

Your email address will not be published.