ଝାରସୁଗୁଡ଼ା, ୧୩/୧୦: ସରକାରୀ ଯୋଜନାର ସୁଫଳ ଯେପରି ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ସହଜରେ ପହଞ୍ଚିପାରିବ, ସେଥିପାଇଁ ସରକାର ପ୍ରତିବଦ୍ଧ। ଜନସାଧାରଣଙ୍କୁ ସୁଗମ, ସ୍ୱଚ୍ଛ ଓ ସହଜ ଉପାୟରେ ସରକାରୀ ସେବା ଯୋଗାଇଦେବା ଆମର ଲକ୍ଷ୍ୟ ବୋଲି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରକାଶ କରିଛନ୍ତି।
ଝାରସୁଗୁଡ଼ା ସଦର ବ୍ଲକ ଅନ୍ତର୍ଗତ ଏଚ୍. କଟାପାଲି ପଞ୍ଚାୟତର କେ.ବି. ହାଇସ୍କୁଲ ପଡ଼ିଆରେ ଆୟୋଜିତ ବ୍ଲକସ୍ତରୀୟ ‘ସେବା ସେତୁ ଅଭିଯାନ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଶ୍ରୀ ତ୍ରିପାଠୀ ଏହା କହିଥିଲେ।
କାର୍ଯ୍ୟକ୍ରମରେ ତହସିଲଦାର ସଦାକର କୁମ୍ଭାର, ବିଡିଓ ଅନିଲ ଆଚାର୍ଯ୍ୟ, ସାଂସଦ ପ୍ରତିନିଧି ହେମରଞ୍ଜନ ସିଂ ଏବଂ ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିନିଧି ଆଲୋକ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି ଅବସରରେ ବିଧାୟକ ଶ୍ରୀ ତ୍ରିପାଠୀ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ସିଧାସଳଖ ମତବିନିମୟ କରିବା ସହ ବିଭିନ୍ନ ସରକାରୀ ଜନକଲ୍ୟାଣକାରୀ ଯୋଜନା ଓ ଜନସେବା ସମ୍ପର୍କରେ ଆଲୋଚନା କରିଥିଲେ। ସରକାରୀ ଯୋଜନାର ସୁବିଧା ହିତାଧିକାରୀମାନେ କିପରି ସହଜରେ ପାଇପାରିବେ, ସେଥିପ୍ରତି ଗୁରୁତ୍ୱ ଦେଇଥିଲେ।
କାର୍ଯ୍ୟକ୍ରମରେ ଜନଅଭିଯୋଗ ଶୁଣାଣି ମଧ୍ୟ ଅନୁଷ୍ଠିତ ହୋଇଥିଲା। ବିଧାୟକ ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିବା ସହ ଏହାର ତ୍ୱରିତ ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଝାରସୁଗୁଡ଼ା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହା ସହିତ ସମବାୟ ବିଭାଗ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସମେତ ଅନ୍ୟ ମହିଳା ଓ ଯୁବତୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ବିଧାୟକ ଶ୍ରୀ ତ୍ରିପାଠୀ ପୁରସ୍କୃତ କରିଥିଲେ।
ସେବା ସେତୁ ଅଭିଯାନ ଶିବିରକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦଳୀୟ କର୍ମୀଙ୍କ ସମେତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।