ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ମହାସଚିବ ଭାବେ ନିର୍ବାଚିତ ହେଲେ ଆକାଶ କୁମାର ତ୍ରିପାଠୀ

14

ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ

ବଲାଙ୍ଗୀର, ଅକ୍ଟୋବର ୧୧: ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘ ର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ ତା. ୧୧.୧୦.୨୦୨୬ ରିଖରେ ବଲାଙ୍ଗୀରସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସଭାଗୃହରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ଓଡ଼ିଶାର ବିଭିନ୍ନ ଜଜ୍‌ସିପ୍‌ରୁ ଆସିଥିବା ନ୍ୟାୟିକ କର୍ମଚାରୀ ଓ ପ୍ରତିନିଧିମାନେ ଯୋଗଦେଇଥିଲେ।

ଏହି ସମାରୋହରେ ବଲାଙ୍ଗୀରର ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ହିରଣ୍ମୟ ବିଶୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ବଲାଙ୍ଗୀରର ଭିଜିଲାନ୍ସ ଜଜ୍ ଶ୍ରୀ ବେଣୁଧର ପାତ୍ର, ବରିଷ୍ଠ ଆଇନଜୀବୀ ଶ୍ରୀ ଅମରେନ୍ଦ୍ର ମିଶ୍ର ଏବଂ ବଲାଙ୍ଗୀର ବାର୍ ଆସୋସିଏସନର ସଭାପତି ଶ୍ରୀ ବାସୁଦେବ ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ପୂର୍ବତନ ସଭାପତି ଶ୍ରୀ ରାଜେଶ ଦୋରା ଙ୍କ ଅଧ୍ୟକ୍ଷତାରେ ବୈଠକଟି ପରିଚାଳିତ ହୋଇଥିଲା।

ଏହି ରାଜ୍ୟସ୍ତରୀୟ ସମାବେଶରେ ସଂଘର ନୂତନ ରାଜ୍ୟ କାର୍ଯ୍ୟକାରିଣୀ ଗଠନ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଶ୍ରୀ ନିତ୍ୟାନନ୍ଦ ଦାସ ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ, ଆୟୋଜକ ବଲାଙ୍ଗୀର ଜଜ୍‌ସିପ୍‌ର ପ୍ରତିନିଧି ଶ୍ରୀ ଆକାଶ କୁମାର ତ୍ରିପାଠୀ ସଂଘର ରାଜ୍ୟ ମହାସଚିବ ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କର ଏହି ବିଜୟ ବଲାଙ୍ଗୀର ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଥିବାବେଳେ ଜିଲ୍ଲାର ନ୍ୟାୟିକ କର୍ମଚାରୀଙ୍କ ପାଇଁ ଏକ ଉଲ୍ଲେଖନୀୟ ସଫଳତା ଭାବେ ବିବେଚିତ ହୋଇଛି।

ଅନ୍ୟାନ୍ୟ ପଦବୀ ମଧ୍ୟରେ ଶ୍ରୀ ଦିଲେଶ୍ୱର ଦାଶ ଉପସଭାପତି ଏବଂ ଶ୍ରୀ ସୁବେନ୍ଦୁ ସାହୁ ସଂଗଠନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ସତ୍ୟବ୍ରତ ସାହୁ, ଶ୍ରୀ ଅଜିତ କୁମାର ଷଡ଼ଙ୍ଗୀ ଓ ଶ୍ରୀ ବୀରେନ୍ଦ୍ର କର୍ଣ୍ଣ ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବାବେଳେ ଶ୍ରୀ ଗଗନ ପାଣିଗ୍ରାହୀ, ଶ୍ରୀ ଅଂଶୁମାନ ଦାଶ, ଶ୍ରୀ ସୁରେଶ କିରୋ ଓ ଶ୍ରୀ ବିକ୍ରମ ମହାରଣା ସହକାରୀ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।

ଶ୍ରୀ ପ୍ରକାଶ ନେପାକଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ କମିଟି ସମଗ୍ର ନିର୍ବାଚନ ପ୍ରକ୍ରିୟାକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିଥିଲେ। ନିର୍ବାଚନ ପ୍ରକ୍ରିୟାର ସଫଳ ପରିଚାଳନା ଫଳରେ ସଂଘର ନୂତନ ରାଜ୍ୟ କାର୍ଯ୍ୟକାରିଣୀ ଗଠନ ସମ୍ଭବ ହୋଇପାରିଥିଲା।

ଏହି ରାଜ୍ୟସ୍ତରୀୟ ସମାବେଶକୁ ସଫଳତାର ସହ ଆୟୋଜନ କରିବାରେ ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ବଲାଙ୍ଗୀର ଜିଲ୍ଲା ଶାଖାର ଅବଦାନ ଉଲ୍ଲେଖନୀୟ ଥିଲା। ଜିଲ୍ଲା ଶାଖାର ସଭାପତି ଶ୍ରୀ ସୁବ୍ରତ କୁମାର ମିଶ୍ରଙ୍କ ସମେତ ଶ୍ରୀ ଅନିଲ କୁମାର ତ୍ରିପାଠୀ, ଶ୍ରୀ ଉତ୍ତମ ପଣ୍ଡା, ଶ୍ରୀ ଚିତ୍ତରଞ୍ଜନ ପାଢ଼ୀ, ଶ୍ରୀ ସୁଜିତ କୁମାର ସ୍ୱାଇଁ, ଶ୍ରୀ ବିଶ୍ୱରଞ୍ଜନ ପ୍ରୁସେଠ, ଶ୍ରୀ ଲକ୍ଷ୍ମୀନାରାୟଣ ସିଂହ ଓ ଶ୍ରଦ୍ଧାଞ୍ଜଳି ମେହେରଙ୍କ ସକ୍ରିୟ ସହଯୋଗ ଓ ନିଷ୍ଠାପର ଉଦ୍ୟମ ଏହି ଆୟୋଜନକୁ ସଫଳ କରିଥିଲା।

ଶ୍ରୀ ଆକାଶ କୁମାର ତ୍ରିପାଠୀଙ୍କ ରାଜ୍ୟ ମହାସଚିବ ଭାବେ ନିର୍ବାଚନ ବଲାଙ୍ଗୀର ଜଜ୍‌ସିପ୍‌ ପାଇଁ ଏକ ଗର୍ବର ମୁହୂର୍ତ୍ତ। ତାଙ୍କର ଏହି ନୂତନ ଦାୟିତ୍ୱ ରାଜ୍ୟସ୍ତରରେ ବଲାଙ୍ଗୀରର ପ୍ରତିନିଧିତ୍ୱକୁ ଆହୁରି ସୁଦୃଢ଼ କରିବା ସହ ନ୍ୟାୟିକ କର୍ମଚାରୀଙ୍କ ସମସ୍ୟା ଓ ଦାବିଗୁଡ଼ିକୁ ଉପଯୁକ୍ତ ମଞ୍ଚରେ ଉପସ୍ଥାପନ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।

Leave A Reply

Your email address will not be published.