କେନ୍ଦ୍ରାପଡା:07/10(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ାର ତିଖିରି ପଞ୍ଚାୟତରୁ ଉଠିଛି ଏକ ଭୟଙ୍କର ଅଭିଯୋଗ ।ମହିଳା ସରପଞ୍ଚ ଚାମେଲି ଓଝାଙ୍କ ଉପରେ ହୋଇଥିବା ନିର୍ଯାତନା ମାମଲା ଏବେ ଜାତୀୟ ମାନବାଧିକାର କମିଶନର ଦୁଆର ପର୍ଯ୍ୟନ୍ତ ପହଞ୍ଚିଛି ।ବିଗତ ଦିନରେ ମହାକାଳପଡ଼ା ବିଡିଓଙ୍କ କାର୍ଯ୍ୟାଳୟରେ ଚାମେଲି ଓଝା କେବଳ ପଞ୍ଚାୟତର ବିକାଶ କାମର ବିଲ୍ ମାଗିବାକୁ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ଅମାନୁଷିକ ଦୁର୍ବ୍ୟବହାର ଓ ମାରପିଟ କରାଯାଇଥିବା ଅଭିଯୋଗ ହୋଇଥିଲା । ପରେ ପୋଲିସ ଦ୍ୱାରା ମଧ୍ୟ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିବା ଦାବି କରି ସେ NHRC ପାଖରେ ଫରିଆଦ କରିଥିଲେ ।ତେବେ ଏନେଇ ଅଭିଯୋଗର ସତ୍ୟ ବାହାର କରିବା ପାଇଁ ଦିଲ୍ଲୀରୁ ଆସିଛି NHRC ର ତିନି ଜଣିଆ ତଦନ୍ତକାରୀ ଟିମ୍ । ଟିମ୍ ସଦସ୍ୟମାନେ ପ୍ରଥମେ ପୋଲିସ ଓ ବିଡିଓଙ୍କୁ କଡ଼ା ପଚରାଉଚରା କରିଛନ୍ତି । ତା’ପରେ ସିଧାସଳଖ ତିଖିରି ଗାଁରେ ଚାମେଲି ଓଝାଙ୍କ ଘରେ ପହଞ୍ଚି ତାଙ୍କ ବିବୃତି ଗ୍ରହଣ କରିଛନ୍ତି ।NHRC ଟିମ ଆଜି ଦ୍ଵିତୀୟ ଦିନରେ ତଦନ୍ତକୁ ପହଚାଇଛି ।ଏକ ନିର୍ବାଚିତ ମହିଳା ଜନପ୍ରତିନିଧିଙ୍କ ସହ ଏଭଳି ବ୍ୟବହାର ହୋଇଥିବା ଅଭିଯୋଗ ଏବେ ରାଜ୍ୟ ସମଗ୍ରରେ ଆଲୋଡ଼ନ ସୃଷ୍ଟି କରିଛି। NHRCର ତଦନ୍ତ କ’ଣ ବାହାର କରିବ? ଦୋଷୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ହେବ? ସମସ୍ତଙ୍କ ଦୃଷ୍ଟି ଏବେ ଏହି ତଦନ୍ତ ଉପରେ ।