କିଡ୍ସ ପବ୍ଲିକ ସ୍କୁଲରେ କ୍ରିକେଟ୍ ଏକାଡେମୀର ଶୁଭ ଉଦ୍‌ଘାଟନ

9

କେନ୍ଦୁଝର,ତା୭/୧୦- ସ୍ଥାନୀୟ ଗୁମୁରା ଠାରେ ଅବସ୍ଥିତକିଡ୍ସ ପବ୍ଲିକ ସ୍କୁଲ ପରିସରରେ ଆଜି ଛାତ୍ରଛାତ୍ରୀମାନଙ୍କ କ୍ରୀଡ଼ା ପ୍ରତିଭାକୁ ଉନ୍ନତ କରିବା ଓ ଭବିଷ୍ୟତରେ ଉତ୍ତମ କ୍ରିକେଟର ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ କ୍ରିକେଟ୍ ଏକାଡେମୀର ଶୁଭ ଉଦ୍‌ଘାଟନ ହୋଇଯାଇଛି। ବିଦ୍ୟାଳୟର ଖେଳ ପଡ଼ିଆରେ ଆୟୋଜିତ ଏହି ଉଦ୍‌ଘାଟନୀ ସମାରୋହ ଉତ୍ସାହ ଓ ଆନନ୍ଦର ପରିବେଶରେ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ସୁରେନ୍ଦ୍ରନାଥ ପଟ୍ଟନାୟକ,ଏସଏସଆଇ କ୍ରିକେଟ ଏକାଡେମୀ,ବିଡ଼ାନାସୀ, କଟକର ମ୍ୟାନେଜର ତଥା କୋଚ୍ ଶ୍ରୀମତୀ ପାଭନୀ କିରଣ, କେନ୍ଦୁଝର ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍‌ର କାଉନସିଲ୍ ସଦସ୍ୟ ତଥା କ୍ରିକେଟ୍ କୋଚ୍ ଶ୍ରୀ ଗିରିଶ ଚନ୍ଦ୍ର ହୋତା, କେନ୍ଦୁଝର ହ୍ୟାଣ୍ଡବଲ୍ ଆସୋସିଏସନ୍‌ର ସମ୍ପାଦକ ଶ୍ରୀ ଋତିକ୍ ଅଧିକାରୀ ଏବଂ ବିଦ୍ୟାଳୟର କ୍ରିକେଟ୍ କୋଚ୍ ଶ୍ରୀ ଅନୁପ ପାଲ୍ ଓ ବିଦ୍ୟାଳୟର ଖେଳ ସମ୍ପାଦକ ଶ୍ରୀଯୁକ୍ତ ପ୍ରତାପ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।କାର୍ଯ୍ୟକ୍ରମର ଆରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସମସ୍ତ ଅତିଥିଙ୍କୁ ଉଷ୍ମ ସ୍ୱାଗତ ଜଣାଇଥିଲେ। ପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହାପରେ ପାରମ୍ପରିକ ରୀତିରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ହନୁମାନ ଚାଳିଶା ପାଠ ସହ ଉଦ୍‌ଘାଟନୀ ସମାରୋହର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ଉପସ୍ଥିତ ଅତିଥିମାନେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଆଚାର୍ଯ୍ୟ ଉପ ଅଧ୍ୟକ୍ଷା ଶ୍ରୀମତୀ ମିନା ବିଗ ଓ ମୁଖ୍ୟ ପ୍ରଶାସନିକ ଅଧିକାରୀ ଶ୍ରୀମତୀ ସୁସ୍ମିତା ମହାନ୍ତି ନିଜ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ା ପ୍ରତି ଆଗ୍ରହୀ ହେବା ସହ ନିୟମିତ ଅଭ୍ୟାସ, ଶୃଙ୍ଖଳା, ଆତ୍ମବିଶ୍ୱାସ ଓ ଦୃଢ଼ ମନୋବଳ ମାଧ୍ୟମରେ ନିଜର ଲକ୍ଷ୍ୟ ହାସଲ କରିବାକୁ ପ୍ରେରଣା ଦେଇଥିଲେ। ସେମାନେ ବିଦ୍ୟାଳୟର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଭବିଷ୍ୟତରେ ଏଠାରୁ ଅନେକ ପ୍ରତିଭାବାନ କ୍ରିକେଟର ତିଆରି ହେବେ ବୋଲି ଆଶା ପ୍ରକାଶ କରିଥିଲେ। ଉଦ୍‌ଘାଟନୀ ସମାରୋହର ଏକ ମୁଖ୍ୟ ଆକର୍ଷଣ ଥିଲା ନୂତନ କ୍ରିକେଟ୍ ପଡ଼ିଆରେ ପ୍ରଥମ ବଲ୍‌ର ଶୁଭାରମ୍ଭ। ପ୍ରଥମ ବଲ୍ ବୋଲିଂ କରାଯିବା ପରେ କୋଚ୍ ଓ ଛାତ୍ରଛାତ୍ରୀମାନେ ମିଶି କ୍ରିକେଟ୍ ଖେଳି ଏହି ଐତିହାସିକ ମୁହୂର୍ତ୍ତକୁ ଆହୁରି ଉତ୍ସାହଜନକ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏହି ସମୟରେ ବେଶ୍ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା। ପରେ ବିଦ୍ୟାଳୟର ଚେୟାରପର୍ସନ ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ନିଜ ବକ୍ତବ୍ୟରେ ନୂତନ କ୍ରିକେଟ୍ ଏକାଡେମୀ ପାଇଁ ସମସ୍ତ ଛାତ୍ରଛାତ୍ରୀ, କୋଚ୍ ଓ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ଖେଳରେ ନିଷ୍ଠାର ସହ ଅଭ୍ୟାସ କରି ବିଦ୍ୟାଳୟ ଓ ଜିଲ୍ଲାର ଗୌରବ ବଢ଼ାଇବାକୁ ପ୍ରେରଣା ଦେଇଥିଲେ।
ଶେଷରେ କାର୍ଯ୍ୟକ୍ରମର ଆଙ୍କର ଶ୍ରୀ ବିଶାଲ ଚାୱଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ସେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଅବଦାନ ରଖିଥିବା ସମସ୍ତ ଅତିଥି, କୋଚ୍, ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ବିଦ୍ୟାଳୟର ଏହି ନୂତନ କ୍ରିକେଟ୍ ଏକାଡେମୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ରିକେଟ୍ ପ୍ରତି ଆଗ୍ରହ ବଢ଼ାଇବା ସହ ସେମାନଙ୍କୁ ଆତ୍ମବିଶ୍ୱାସୀ, ଶୃଙ୍ଖଳିତ ଓ ଦକ୍ଷ କ୍ରିକେଟର ଭାବେ ଗଢ଼ି ତୋଳିବାରେ ଏକ ନୂତନ ଦିଗ ଖୋଲିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.