କିର୍ମିରାରେ ସେବା ସେତୁ କ୍ୟାମ୍ପ, ହିତାଧିକାରୀଙ୍କୁ ବଣ୍ଟନ ହେଲା ବିଭିନ୍ନ ସରକାରୀ ସେବା

9

ଝାରସୁଗୁଡ଼ା, ୬/୧୦ : ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଜି. ପାନପାଲି ପଞ୍ଚାୟତ ଅନ୍ତର୍ଗତ କାଦୋବାହାଲଠାରେ ମଙ୍ଗଳବାର ବ୍ଲକସ୍ତରୀୟ ‘ସେବା ସେତୁ’ କ୍ୟାମ୍ପ ଉଦ୍‌ଘାଟିତ ହୋଇଛି। ସରକାରୀ ଯୋଜନା ଓ ଜନସେବାକୁ ସହଜ, ସ୍ୱଚ୍ଛ ଓ ସୁଗମ ଭାବେ ଲୋକଙ୍କ ନିକଟରେ ପହଞ୍ଚାଇବା ଏହି କ୍ୟାମ୍ପର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି।

କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଞ୍ଚଳବାସୀଙ୍କ ସହ ସିଧାସଳଖ ମତବିନିମୟ କରିଥିଲେ। ଏଥିସହ ବିଭିନ୍ନ ସରକାରୀ ଜନକଲ୍ୟାଣ ଯୋଜନା ଓ ସେବା ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଥିଲେ। ସରକାରୀ ଯୋଜନାର ସୁଫଳ ଶେଷ ପାହାଚରେ ଥିବା ଲୋକଙ୍କ ନିକଟରେ ପହଞ୍ଚାଇବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଥିଲେ।

କ୍ୟାମ୍ପ ପରିସରରେ ବିଭିନ୍ନ ବିଭାଗ ପକ୍ଷରୁ ସଚେତନତା ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏହି ଅବସରରେ ହିତାଧିକାରୀଙ୍କୁ ରାସନ କାର୍ଡ, ଶ୍ରମିକ କାର୍ଡ ଓ ଅନ୍ତୋଦୟ ଗୃହ ପ୍ରଦାନ କରାଯାଇଥିଲା। ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଋଣ ପ୍ରଦାନ କରାଯାଇଥିଲା। ଏଥିସହ ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ନେଇ ବିଧାୟକଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ କିର୍ମିରା ବିଡିଓ ଅବିନାଶ ଲାକ୍ରା, ତହସିଲଦାର ସଞ୍ଜୀବ କୁଲୁ, ସାଂସଦ ନୋମିନି ଉଦ୍ଧବ ସିଂ ନାୟକ, ବ୍ଲକ ଉପାଧ୍ୟକ୍ଷା ସାବିତ୍ରୀ ମାଝୀ, କିର୍ମିରା ସରପଞ୍ଚ ସନ୍ତୋଷିନୀ ପଟେଲ ଓ ଜି. ପାନପାଲି ସରପଞ୍ଚଙ୍କ ସମେତ ବହୁ ଅଧିକାରୀ, ଦଳୀୟ କର୍ମୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। କ୍ୟାମ୍ପକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା।

Leave A Reply

Your email address will not be published.