ଆସନ୍ତା ନଭେମ୍ବର ୩୦ରୁ ବରଗଡ଼ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ

7

ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି (DLPC) ବୈଠକରେ ସୁବ୍ୟବସ୍ଥିତ ଓ ଚାଷୀ ଅନୁକୂଳ ଧାନ ସଂଗ୍ରହ ନେଇ ବ୍ୟାପକ ପ୍ରସ୍ତୁତି ସମୀକ୍ଷା

ବରଗଡ଼: ରାଜ୍ୟର ଭାତହାଣ୍ଡି ଭାବେ ପରିଚିତ ବରଗଡ଼ ଜିଲ୍ଲାରେ ଚଳିତ ୨୦୨୬-୨୭ ଖରିଫ୍ ଋତୁ ପାଇଁ ଆସନ୍ତା ନଭେମ୍ବର ୩୦ ତାରିଖରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଏ ନେଇ ଆଜି ବରଗଡ଼ ଜିଲ୍ଲାପାଳ ତଥା ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି (DLPC) ର ଅଧ୍ୟକ୍ଷ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ସରକାରଙ୍କ ୨୦୨୬-୨୭ ଧାନ ସଂଗ୍ରହ ନୀତି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ନିର୍ଦ୍ଦେଶନାମା ଏବଂ ଯୋଗାଣ ନିଗମର ନିୟମାବଳୀ ଅନୁଯାୟୀ ଧାନ ସଂଗ୍ରହ ପ୍ରକ୍ରିୟାକୁ ଶତପ୍ରତିଶତ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ବୈଠକରେ ନିୟନ୍ତ୍ରିତ ବଜାର କମିଟି (RMC) ର ଭିତ୍ତିଭୂମି ସ୍ଥିତି ସମୀକ୍ଷା କରାଯିବା ସହ ଆସନ୍ତା ନଭେମ୍ବର ୩୦ ତାରିଖରୁ ଜିଲ୍ଲାର ତିନୋଟି ଯାକ ଆରଏମସି—ବରଗଡ଼, ଅତାବିରା ଏବଂ ପଦ୍ମପୁର ଅଧୀନରେ ପ୍ରାଥମିକ କୃଷି ସମବାୟ ସମିତି (PACS) ଜରିଆରେ ଏକକାଳୀନ ମଣ୍ଡି ଖୋଲାଯାଇ ଧାନକ୍ରୟ ଆରମ୍ଭ କରିବାକୁ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି।ଚଳିତ ଖରିଫ୍ ଋତୁରେ ଚାଷୀଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇ ପ୍ରକୃତ ଚାଷୀ ଯେପରି ସୁବିଧାରେ ନିଜର ଅମଳ ଧାନ ବିକ୍ରି କରିପାରିବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି। ସାଟେଲାଇଟ୍ ସର୍ଭେ ସମ୍ବନ୍ଧୀୟ ବୈଷୟିକ ଦିଗଗୁଡ଼ିକର ତୁରନ୍ତ ସମାଧାନ, ଟୋକନ୍ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା ଏବଂ ମଣ୍ଡିଗୁଡ଼ିକରେ ଚାଷୀଙ୍କ ପାଇଁ ପାନୀୟ ଜଳ, ଛାଇ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଏହା ସହିତ ସମ୍ଭାବ୍ୟ ଅଦିନିଆ ବର୍ଷା ଓ ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ମଣ୍ଡିରେ ଚାଷୀଙ୍କ ଅମଳ ଧାନର ସୁରକ୍ଷା ପାଇଁ ଆଗୁଆ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।ଧାନ ସଂଗ୍ରହ ପ୍ରକ୍ରିୟାକୁ ଅଧିକ ଗତିଶୀଳ କରିବା ନିମନ୍ତେ ଚାଉଳକଳ ମାଲିକ ପ୍ରତିନିଧିମାନଙ୍କ ସହ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା। ପୂର୍ବରୁ ମିଲ୍‌ଗୁଡ଼ିକୁ ଯୋଗାଇ ଦିଆଯାଇଥିବା ଧାନରୁ ପ୍ରସ୍ତୁତ ଚାଉଳ ଉଠାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇ ନୂତନ ଧାନ ସଂଗ୍ରହ କାର୍ଯ୍ୟକୁ ସମ୍ପୂର୍ଣ୍ଣ ସୁଗମ କରିବାକୁ ପଦକ୍ଷେପ ନିଆଯାଉଥିବା ବୈଠକରେ ସ୍ପଷ୍ଟ କରାଯାଇଛି। ପ୍ରଶାସନ, କୃଷକ ଏବଂ ଚାଉଳକଳ ମାଲିକମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ଧାନ ସଂଗ୍ରହକୁ ଏକ ସଫଳ ଅଭିଯାନରେ ପରିଣତ କରିବାକୁ ସମସ୍ତେ ସହମତି ପ୍ରକାଶ କରିଛନ୍ତି।
ଆଜିର ଏହି ସମୀକ୍ଷା ବୈଠକରେ ବରଗଡ଼ର ମାନ୍ୟବର ସାଂସଦ ପ୍ରଦୀପ ପୁରୋହିତଙ୍କ ସମେତ ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ, ବିଜେପୁର ବିଧାୟକ ସନତ ଗଡ଼ତିଆ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଗୋବର୍ଦ୍ଧନ ଭୁଏ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଈ, , ବରଗଡ଼ ଆରକ୍ଷୀ ଅଧୀକ୍ଷକ , ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀବୃନ୍ଦ, କୃଷକ ପ୍ରତିନିଧି, ଚାଉଳକଳ ମାଲିକ ପ୍ରତିନିଧି ଏବଂ ଗଣମାଧ୍ୟମର ସାମ୍ବାଦିକଗଣ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.