ସାଟେଲାଇଟ୍ ହସ୍ପିଟାଲରେ ଅବହେଳା ଅଭିଯୋଗ, ତଦନ୍ତ ଦାବି କଲା ବିଜେଡି

9


ଝାରସୁଗୁଡ଼ା, ୫/୧୦: ଝାରସୁଗୁଡ଼ା ମଙ୍ଗଳବଜାରସ୍ଥିତ ସାଟେଲାଇଟ୍ ହସ୍ପିଟାଲରେ ରୋଗୀଙ୍କ ପ୍ରତି ଦୁର୍ବ୍ୟବହାର, ଚିକିତ୍ସାରେ ଅବହେଳା ଏବଂ ଜରୁରୀକାଳୀନ ସେବାରେ ଅନିୟମିତତା ନେଇ ଅଭିଯୋଗ ଉଠିଛି। ଏନେଇ ସୋମବାର ଝାରସୁଗୁଡ଼ା ଜିଲ୍ଲା ବିଜେଡି ପକ୍ଷରୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି।

ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳ ଉପସ୍ଥିତ ନଥିବାରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ଦିଆଯାଇଥିବା ଜଣାପଡ଼ିଛି।

ଦାବିପତ୍ରରେ ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଗତ କିଛି ସପ୍ତାହ ଧରି ହସ୍ପିଟାଲକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ପ୍ରତି କେତେକ ଡାକ୍ତର ଓ କର୍ମଚାରୀଙ୍କ ବ୍ୟବହାର ଅସନ୍ତୋଷଜନକ ରହିଛି। ଏପରିକି ଜରୁରୀକାଳୀନ ତଥା ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ନମିଳି ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଥିବା ଅଭିଯୋଗ ମଧ୍ୟ ହୋଇଛି। ଏଭଳି ପରିସ୍ଥିତି ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ବିଜେଡି ପକ୍ଷରୁ କୁହାଯାଇଛି।

ଏହାସହ କେତେକ ଡାକ୍ତର ରାଜନୈତିକ ପ୍ରଭାବ ଦେଖାଇ ମନମୁଖୀ ଭାବେ କାର୍ଯ୍ୟ କରୁଥିବା ନେଇ ମଧ୍ୟ ଅଭିଯୋଗ ଉଠିଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ମଙ୍ଗଳବଜାର ସାଟେଲାଇଟ୍ ହସ୍ପିଟାଲ ଉପରେ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ନିର୍ଭରଶୀଳ ଥିବାରୁ ଏଭଳି ଅବ୍ୟବସ୍ଥା ଜାରି ରହିଲେ ସରକାରୀ ସ୍ୱାସ୍ଥ୍ୟସେବା ପ୍ରତି ଲୋକଙ୍କ ଆସ୍ଥା କ୍ଷୁଣ୍ଣ ହେବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

ବିଜେଡି ପକ୍ଷରୁ ହସ୍ପିଟାଲର ଡାକ୍ତର ଓ କର୍ମଚାରୀଙ୍କ କାର୍ଯ୍ୟଶୈଳୀ ଏବଂ ରୋଗୀଙ୍କ ପ୍ରତି ବ୍ୟବହାର ନେଇ ତୁରନ୍ତ ପ୍ରଶାସନିକ ତଦନ୍ତ କରାଯିବା ସହ ଦୋଷୀ ପ୍ରମାଣିତ ହେଲେ ଦୃଢ଼ ଶୃଙ୍ଖଳାଗତ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ତତ୍ତ୍ୱାବଧାନରେ ହସ୍ପିଟାଲରେ ୨୪ ଘଣ୍ଟିଆ ନଜରଦାରୀ ବ୍ୟବସ୍ଥା କରି ଜରୁରୀକାଳୀନ ସେବା ସୁନିଶ୍ଚିତ କରିବାକୁ ମଧ୍ୟ ଦାବି ହୋଇଛି।

ଦାବିପତ୍ରର ଏକ ନକଲ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ନିକଟକୁ ମଧ୍ୟ ଅବଗତି ଓ ଆବଶ୍ୟକ ପ୍ରଶାସନିକ ପଦକ୍ଷେପ ପାଇଁ ପଠାଯାଇଛି।

ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରାଙ୍କ ସହ ପୌରାଧ୍ୟକ୍ଷା ରାନୀ ହାତୀ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପିଣ୍ଟୁ ପାଢ଼ୀ, ପବନ ସିଂ ଯାଦବ, ଆଲୋକ ତ୍ରିପାଠୀ, ଶଶି ଭୂଷଣ ତିୱାରୀ, ତୁଳସୀ ଦାସ, ଅଶୋକ ଦାସ, ଥବିର ମିଶ୍ର, ନାଗେଶ୍ୱରୀ ବୋନେଲା, ନିତାରାଣୀ ଶାହା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.