ଅକାଳ ବିୟୋଗରେ ଭାଙ୍ଗିପଡ଼ିଲେ ପରିବାର ଓ ଆତ୍ମୀୟସ୍ୱଜନ, ଶେଷ ଦର୍ଶନ ପାଇଁ ଛୁଟିଲେ ହଜାର ହଜାର ଲୋକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଏକ ଅକାଳ ବିୟୋଗ ଖବର ସାରା ପାରଳାଖେମୁଣ୍ଡି ସହରକୁ ସ୍ତବ୍ଧ କରିଦେଇଛି। ଗଜପତି ଜିଲ୍ଲାର ଜଣାଶୁଣା ବିଜେଡି ନେତା ତଥା ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ସାନ ପୁଅ ଅନୁରୂପ ନାୟକଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ସହରରେ ଗଭୀର ଶୋକର ଛାୟା ଖେଳିଯାଇଛି।
ଅନୁରୂପଙ୍କ ବିୟୋଗର ଖବର ଯେପରି ପରିବାର ଓ ଆତ୍ମୀୟସ୍ୱଜନଙ୍କ ପାଇଁ ଏକ ବଡ଼ ଆଘାତ ହୋଇଛି, ସେହିପରି ତାଙ୍କୁ ଜାଣିଥିବା ବନ୍ଧୁ, ଶୁଭେଚ୍ଛୁ ଓ ସହରବାସୀଙ୍କ ମଧ୍ୟରେ ମଧ୍ୟ ଗଭୀର ଦୁଃଖ ପ୍ରକାଶ ପାଇଛି। ହସମୁଖ ଚେହେରା , ସରଳ ବ୍ୟବହାର , ମିଷ୍ଟଭାଷୀ ସ୍ୱଭାବ ଓ ସମସ୍ତଙ୍କ ସହ ମିଶି ଚଳିବାର ଗୁଣ ପାଇଁ ଅନୁରୂପ ସ୍ଥାନୀୟ ଅଞ୍ଚଳରେ ଏକ ଆପଣାର ମଣିଷ ଭାବେ ପରିଚିତ ଥିଲେ।
ତାଙ୍କ ଅକାଳ ବିୟୋଗର ଖବର ପାଇବା ପରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ , ବରିଷ୍ଠ ସାମ୍ବାଦିକ ଡିଜେନ ପାଢ଼ୀ , ସାମ୍ବାଦିକ ସରୋଜ ବିରୋ , ସାମ୍ବାଦିକ ସନ୍ତୋଷ ପଟ୍ଟନାୟକ , ସାମ୍ବାଦିକ କୃଷ୍ଣ କୁମାର ବେହେରାଙ୍କ ସମେତ ବହୁ ରାଜନୈତିକ , ସାମାଜିକ ଓ ସାମ୍ବାଦିକ ମହଲର ବ୍ୟକ୍ତିବିଶେଷ ଶୋକସନ୍ତପ୍ତ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଥିଲେ।
ଅନୁରୂପଙ୍କ ଶେଷ ଦର୍ଶନ ପାଇଁ ଧୀରେ ଧୀରେ ଲୋକଙ୍କ ଭିଡ଼ ବଢ଼ିଥିଲା। ବନ୍ଧୁ , ଆତ୍ମୀୟ , ପରିଚିତ ଓ ଶୁଭେଚ୍ଛୁଙ୍କ ସହ ହଜାର ହଜାର ଲୋକ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏକତ୍ରିତ ହୋଇଥିଲେ। ଅନେକଙ୍କ ଆଖିରେ ଲୁହ ଓ ମନରେ ଅବ୍ୟକ୍ତ ବେଦନା ଦେଖିବାକୁ ମିଳିଥିଲା।
ପରିଚିତମାନେ କହିଛନ୍ତି, ଅନୁରୂପଙ୍କ ବ୍ୟବହାରରେ କେବେ ଅହଂକାର ଦେଖିବାକୁ ମିଳୁନଥିଲା। ସମସ୍ତଙ୍କ ସହ ହସିକଥା ହେବା , ଆବଶ୍ୟକ ସମୟରେ ପାଖରେ ଠିଆ ହେବା ଏବଂ ଛୋଟବଡ଼ ସମସ୍ତଙ୍କୁ ଆପଣାର କରିନେବା ତାଙ୍କ ବ୍ୟକ୍ତିତ୍ୱର ଅନ୍ୟତମ ବିଶେଷତା ଥିଲା। ତେଣୁ ତାଙ୍କ ହଠାତ୍ ବିଦାୟକୁ ଅନେକେ ସହଜରେ ଗ୍ରହଣ କରିପାରୁନାହାନ୍ତି।
ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକବାର୍ତ୍ତା ପ୍ରକାଶ ପାଇଛି। ବହୁ ବନ୍ଧୁ, ଶୁଭେଚ୍ଛୁ ଓ ସ୍ଥାନୀୟ ବ୍ୟକ୍ତିବିଶେଷ ଶୋକସନ୍ତପ୍ତ ପରିବାରକୁ ଭେଟି ଗଭୀର ସମବେଦନା ଜଣାଇଛନ୍ତି। ଏପରି ଜଣେ ମିଷ୍ଟଭାଷୀ ଓ ମେଳାପୀ ଯୁବକଙ୍କ ଅକାଳ ବିୟୋଗ ପରିବାର ସହ ସମଗ୍ର ସହର ପାଇଁ ମଧ୍ୟ ଏକ ଅପୂରଣୀୟ କ୍ଷତି ବୋଲି ଅନେକେ ମତ ପ୍ରକାଶ କରିଛନ୍ତି।
ଅନୁରୂପଙ୍କ ଅନ୍ତିମ ଯାତ୍ରାରେ ମଧ୍ୟ ବହୁ ସଂଖ୍ୟକ ବନ୍ଧୁ , ଆତ୍ମୀୟ , ଶୁଭେଚ୍ଛୁ ଓ ସହରବାସୀ ସାମିଲ ହୋଇ ତାଙ୍କୁ ଶେଷ ବିଦାୟ ଜଣାଇଥିଲେ। ଏହି ସମୟରେ ସୃଷ୍ଟି ହୋଇଥିବା ଶୋକାକୁଳ ପରିବେଶ ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା।
ଅନୁରୂପ ନାୟକଙ୍କ ବିୟୋଗରେ ପରିବାର ଯେଉଁ ଅପୂରଣୀୟ ଶୂନ୍ୟତାର ସମ୍ମୁଖୀନ ହୋଇଛି, ତାହା କେବେ ପୂରଣ ହେବ ନାହିଁ ବୋଲି ଶୋକାକୁଳ ମହଲରେ ଆଲୋଚନା ହେଉଛି। ଏହି ଦୁଃଖଦ ସମୟରେ ଭଗବାନ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅସୀମ ବେଦନା ସହିବାକୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରିଛନ୍ତି।
ଦିବଙ୍ଗତ ଅନୁରୂପ ନାୟକଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ସହରବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।