ଡିଏଚ୍‌ଏଚ୍‌ରେ ମଡ୍ୟୁଲାର କିଚେନ୍‌ ପାଇଁ ୨.୧୯ କୋଟି ଟଙ୍କାର ଅନୁମୋଦନ

40


ଝାରସୁଗୁଡ଼ା, ୩/୧୦: ଝାରସୁଗୁଡ଼ା ଜିଲ୍ଲାର ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌) ପରିସରରେ ମଡ୍ୟୁଲାର କିଚେନ୍‌ ନିର୍ମାଣ ପାଇଁ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଶାସନିକ ଅନୁମୋଦନ ମିଳିଛି। ୨୦୨୬-୨୭ ଆର୍ଥିକ ବର୍ଷର ରାଜ୍ୟ ଯୋଜନା ଅଧୀନରେ ଏହି ନିର୍ମାଣ କାର୍ଯ୍ୟ କରାଯିବ। ପ୍ରକଳ୍ପ ପାଇଁ ମୋଟ ୨,୧୯,୫୪,୧୩୬.୫୩ ଟଙ୍କା ଅନୁମୋଦନ ହୋଇଛି।

ଅନୁମୋଦିତ ଅର୍ଥରେ ଚିକିତ୍ସାଳୟର ଗ୍ରାଉଣ୍ଡ ଫ୍ଲୋର୍‌, ପ୍ରଥମ ମହଲା ଓ ଆପ୍ରୋଚ୍‌ ରୋଡ୍‌ର ସିଭିଲ୍‌ କାର୍ଯ୍ୟ ସହ ଇଲେକ୍ଟ୍ରିକାଲ୍‌ ଏବଂ ଜିପିଏଚ୍‌ କାର୍ଯ୍ୟ, କ୍ୱାଲିଟି କଣ୍ଟ୍ରୋଲ୍‌, କଣ୍ଟିଜେନ୍ସି ଏବଂ ମଡ୍ୟୁଲାର କିଚେନ୍‌ର ଆବଶ୍ୟକ ଉପକରଣ ଖର୍ଚ୍ଚ ସାମିଲ ରହିଛି।

ନିର୍ମାଣ କାର୍ଯ୍ୟ କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜମିରେ କରାଯିବ। ସରକାରୀ ନିର୍ଦ୍ଦେଶାନୁସାରେ ସମସ୍ତ ନିୟମ ଓ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରାଯିବ। କାର୍ଯ୍ୟର ତଦାରଖ କରି ନିୟମିତ ପ୍ରଗତି ରିପୋର୍ଟ ଦାଖଲ କରିବାକୁ ଝାରସୁଗୁଡ଼ାର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏନେଇ ଝାରସୁଗୁଡ଼ା ଆର୍‌ଆଣ୍ଡବି ଡିଭିଜନ୍‌ର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର୍‌, ଜିଲ୍ଲାପାଳ ଏବଂ ସମ୍ପୃକ୍ତ ଅଧିକାରୀଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶାଳୟ ପକ୍ଷରୁ ଅବଗତ କରାଯାଇଛି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଡ୍ୟୁଲାର କିଚେନ୍‌ ନିର୍ମାଣ ପାଇଁ ସ୍ୱାସ୍ଥ୍ୟ ବିଭାଗର ଅନୁମୋଦନ ମିଳିଥିବାରୁ ବିଧାୟକ ଟଙ୍କଧର ତ୍ରିପାଠୀ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ମଧ୍ୟ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି।

Leave A Reply

Your email address will not be published.