ଛେଣ୍ଡ ଥାନା ଲୁଟ୍ ମାମଲାରେ ୪ ଗିରଫ, ଆଇଫୋନ୍-୧୪, ନଗଦ ଟଙ୍କା ସହ ୨ଟି ସ୍କୁଟି ଜବତ

12

ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ଛେଣ୍ଡ ଥାନା ପୁଲିସ ଏକ ଲୁଟ୍ ମାମଲାର ପର୍ଦ୍ଦାଫାସ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହିତ ଲୁଟ୍ ହୋଇଥିବା ଆଇଫୋନ୍-୧୪, ନଗଦ ୧ ହଜାର ଟଙ୍କା ଏବଂ ଘଟଣାରେ ବ୍ୟବହୃତ ୨ଟି ସ୍କୁଟି ଜବତ କରାଯାଇଛି। ଏନେଇ ଛେଣ୍ଡ ଥାନା କେସ୍ ନମ୍ବର ୨୭୩, ତାରିଖ ୦୨.୧୦.୨୦୨୬, ଧାରା ୩୦୯(୪)/୩(୫) ବିଏନଏସ୍‌ରେ ମାମଲା ରୁଜୁ ହୋଇଛି।
ପୁଲିସ ସୂଚନା ଅନୁଯାୟୀ, ଅଭିଯୋଗକାରୀ ଆନନ୍ଦ ଦାସ (୨୧) ଓ ତାଙ୍କ ବନ୍ଧୁ ସୁଶାନ୍ତ ଧୁଳିଆ (୨୧) ଗତ ୧ ତାରିଖ ରାତି ପ୍ରାୟ ୮ଟା ୩୦ରେ ଏୟାରପୋର୍ଟ ପଡ଼ିଆକୁ ଯାଇଥିଲେ। ସେଠାରେ ୪ ଜଣ ବ୍ୟକ୍ତି ଲୁହା ରଡ୍ ଓ ଲାଠି ଧରି ସେମାନଙ୍କୁ ଆକ୍ରମଣ କରିବା ସହ ଧମକ ଦେଇଥିଲେ। ପରେ ସେମାନଙ୍କଠାରୁ ଏକ ଆଇଫୋନ୍-୧୪ ଓ ନଗଦ ୧ ହଜାର ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗ ହୋଇଥିଲା।
ଅଭିଯୋଗ ଆଧାରରେ ପୁଲିସ ତୁରନ୍ତ ମାମଲା ରୁଜୁ କରି ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଥିଲା। ବିଶ୍ୱସନୀୟ ସୂଚନା ଓ ତ୍ୱରିତ ତଦନ୍ତ ଆଧାରରେ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ ସେକ୍ଟର-୧୪ ଶାନ୍ତିନଗର ବସ୍ତିର ଉମେଶ ପଣ୍ଡା (୪୩), ସେହି ଅଞ୍ଚଳର ଆକାଶ ବଡ଼ାଇକ (୨୨), ତୁମକେଲା ଖଟାଲ ବସ୍ତିର ମନୋଜ କୁମାର ଠାକୁର (୨୨) ଏବଂ ଚିଣ୍ଟୁ ରାୟ (୨୭)।
ପୁଲିସ ସେମାନଙ୍କ ନିକଟରୁ ଏକ ଆଇଫୋନ୍-୧୪, ନଗଦ ୧ ହଜାର ଟଙ୍କା ଏବଂ OD-14-AG-9034 ଓ OD-14-AD-5580 ନମ୍ବର ବିଶିଷ୍ଟ ୨ଟି ସ୍କୁଟି ଜବତ କରିଛି।
ପୁଲିସର ସୂଚନା ଅନୁସାରେ, ଅଭିଯୁକ୍ତ ଉମେଶ ପଣ୍ଡାଙ୍କ ବିରୋଧରେ ପୂର୍ବରୁ ସେକ୍ଟର-୧୫ ଥାନାରେ ୨ଟି ଏବଂ ଟାଙ୍ଗରପାଲି ଥାନାରେ ଗୋଟିଏ ମାମଲା ରହିଛି। ଆକାଶ ବଡ଼ାଇକଙ୍କ ବିରୋଧରେ ସେକ୍ଟର-୧୫ ଥାନାରେ ପୂର୍ବରୁ ଏକ ମାମଲା ଥିବା ବେଳେ ମନୋଜ କୁମାର ଠାକୁରଙ୍କ ବିରୋଧରେ ଆର୍‌.ଏନ୍‌. ପାଲି ଥାନାରେ ଏକ ମାମଲା ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି।
ମାମଲାରେ ଆଗକୁ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.