ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଂଗଠନର ନୂଆଁଖାଇ ଭେଟଘାଟ

13

ଚାଷୀଙ୍କ ଏକତା, ବିଷମୁକ୍ତ ଖାଦ୍ୟ ଓ ଋଣମୁକ୍ତ କୃଷି ପାଇଁ ସଂକଳ୍ପ

ବିଜେପୁର : ସହିଦ ମାଟି ଘେଁସ ଧାନମଣ୍ଡିଠାରେ ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଂଗଠନ ଓ ସଂଯୁକ୍ତ କୃଷକ ସଂଗଠନର ମିଳିତ ଆନୁକୂଲ୍ୟରେ ତୃତୀୟ ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ପଶ୍ଚିମ ଓଡ଼ିଶାର ଅସ୍ମିତା, ଗର୍ବ ଓ ଗୌରବ ସହ ଜଡ଼ିତ ହଜାର ବର୍ଷର ସଂସ୍କୃତି ଓ ପରମ୍ପରାର ପ୍ରତୀକ ବୋଲି ଅତିଥି ଓ ବକ୍ତାମାନେ ମତ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ମା’ ସମଲେଶ୍ୱରୀ ଓ ସହିଦ ବୀର ମାଧୋ ସିଂଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ପିତୃପୂଜା ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ଭାଗବତ ପଧାନ ଓ ପଦ୍ମଶ୍ରୀ ସୁଶ୍ରୀ ଡାକ୍ତର କ୍ରିଷ୍ଣା ପଟେଲଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଏସ୍‌ପି ରବୀନ୍ଦ୍ରନାଥ ଶତପଥୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରଗଡ଼ ଉକିଲ ସଂଘର ସଭାପତି ଭୀଷ୍ମଦେବ ସରାଫ ଉପସ୍ଥିତ ଥିଲେ। ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ପଙ୍କଜ ଜାଲ, ମାନସୀ ପାଣିଗ୍ରାହୀ, ଶିବଶଙ୍କର ପଧାନ, ସମାଜସେବୀ ନିହାଲ ସିଂ, ମୁରଲୀଧର ମହାନନ୍ଦ, ଅମିନ ମହାନନ୍ଦ, ପାଣ୍ଡବ କର୍ଣ୍ଣ, କିଶୋର ସାହୁ, ଭବାନୀ ସାହୁ, ଆକାଶ ପଣ୍ଡା, ସୁଶାନ୍ତ ମିଶ୍ର ଓ ବୀରବଳ ମହାକୁଡ଼ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମଞ୍ଚର ଶୋଭାବର୍ଦ୍ଧନ କରି ଆୟୋଜକଙ୍କୁ ଉତ୍ସାହିତ କରିଥିଲେ।ସଭାରେ ନୂଆଁଖାଇର ମହତ୍ତ୍ୱ ଉପରେ ଆଲୋଚନା କରି ବକ୍ତାମାନେ କହିଥିଲେ ଯେ ମାଟି, ପାଣି, ପବନ, ଶ୍ରମ ଓ ଅନ୍ନ ପ୍ରତି କୃତଜ୍ଞତା ଜଣାଇବା ନୂଆଁଖାଇର ମୂଳ ଭାବନା। ଏହି ପର୍ବ ପରିବାର, ସମାଜ ଓ ଚାଷୀଙ୍କ ମଧ୍ୟରେ ପ୍ରେମ, ମୈତ୍ରୀ, ଏକତା ଓ ଭାଇଚାରାର ବାର୍ତ୍ତା ଦେଇଥାଏ।ବକ୍ତାମାନେ କୃଷି ସମସ୍ୟାକୁ ନେଇ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ। ଅଧିକ ଉତ୍ପାଦନ ଆଶାରେ ରାସାୟନିକ ସାର ଓ କୀଟନାଶକର ବ୍ୟବହାର ବଢ଼ିବା ଯୋଗୁଁ ଚାଷ ଖର୍ଚ୍ଚ ବୃଦ୍ଧି ପାଉଛି ଏବଂ ଚାଷୀ ଋଣଗ୍ରସ୍ତ ହେଉଛନ୍ତି ବୋଲି ସେମାନେ କହିଥିଲେ। ତେଣୁ ବିଷମୁକ୍ତ ଖାଦ୍ୟ ଓ ଋଣମୁକ୍ତ ଚାଷୀ ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।

ଉତ୍ପନ ଭୋଇ କହିଥିଲେ ଯେ ନୂଆଁଖାଇ ଆମକୁ ଶ୍ରମର ମହତ୍ତ୍ୱ, ମାଟି ଓ ପ୍ରକୃତି ପ୍ରତି କୃତଜ୍ଞତା ଏବଂ ଅନ୍ନ ପ୍ରତି ସମ୍ମାନର ବାର୍ତ୍ତା ଦେଇଥାଏ। ଚାଷୀ ସମସ୍ୟାର ସମାଧାନ ପାଇଁ ସଂଗଠନ ଓ ସଂଘର୍ଷ ଆବଶ୍ୟକ। ଚାଷୀଙ୍କ ସ୍ୱାର୍ଥ ପ୍ରତି ହେଉଥିବା ଅନ୍ୟାୟକୁ ବରଦାସ୍ତ ନକରିବା ପାଇଁ ନୂଆଁଖାଇ ଅବସରରେ ସମସ୍ତେ ସଂକଳ୍ପ ନେବାକୁ ସେ ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମରେ ସଂକଳ୍ପ ପରିବାରର ସହଯୋଗରେ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ ୪ ଜଣ ମହିଳା ସମେତ ମୋଟ ୫୫ ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ। ପରେ ଅଞ୍ଚଳର ବିଭିନ୍ନ ଏସ୍‌ଏଚ୍‌ଜିଙ୍କୁ ସମ୍ମାନିତ କରାଯାଇଥିଲା। ଜିଲ୍ଲାର ସାମ୍ବାଦିକମାନଙ୍କୁ ମଧ୍ୟ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ଶେଷରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ହଜାର ହଜାର ଚାଷୀ ଏକାଠି ହୋଇ ପାରମ୍ପରିକ ପିଠାପଣା ସହ ଶାଳପତ୍ର ଖଲିରେ ସାମୂହିକ ଭୋଜନ କରିଥିଲେ। ଚାଷୀ ଏକତା, ଲୋକସଂସ୍କୃତି ଓ ଭାଇଚାରାର ଏହି ନିଆରା ଦୃଶ୍ୟ ଅନୁଷ୍ଠାନକୁ ଅଧିକ ଆକର୍ଷଣୀୟ କରିବା ସହ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

Leave A Reply

Your email address will not be published.