,ସମ୍ପାଦିକାଙ୍କ ମନମାନି ଅଭିଯୋଗରେ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ
କେନ୍ଦ୍ରାପଡା: ୨୯/୦୯ (ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ଅନ୍ତର୍ଗତ କାଉପଡ଼ା ପ୍ରାଥମିକ କୃଷି ସମବାୟ ସମିତିକୁ ନେଇ ଗମ୍ଭୀର ଅସନ୍ତୋଷ ପ୍ରକାଶ ପାଇଛି। ଭାରପ୍ରାପ୍ତ ସମ୍ପାଦିକାଙ୍କ ସ୍ୱେଚ୍ଛାଚାରୀ କାର୍ଯ୍ୟପ୍ରଣାଳୀ ଓ ଚରମ ଅବହେଳା ବିରୋଧରେ ଆନ୍ଦୋଳନର ଡାକ ଦିଆଯିବା ସହ କାଉପଡ଼ା ସମବାୟ ସମିତି କାର୍ଯ୍ୟାଳୟ ପ୍ରାଙ୍ଗଣରେ ହୋଇଚି ଆମରଣ ଅନଶନ।
ସୁଚନାରୁ ପ୍ରକାଶ ଯେ, ସମିତିର କାର୍ଯ୍ୟ ସୁଚାରୁ ରୂପେ ପରିଚାଳନା କରିବା ଏବଂ ଭାରପ୍ରାପ୍ତ ସମ୍ପାଦିକାଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବା ଦାବିରେ ସ୍ଥାନୀୟ ଲୋକେ ଓ ହିତାଧିକାରୀମାନେ ଅନଶନରେ ବସିଛନ୍ତି। ଅଭିଯୋଗ ଅନୁସାରେ, ସମ୍ପାଦିକାଙ୍କ ମନମାନି ଓ ଦାୟିତ୍ୱହୀନତା ଯୋଗୁଁ ନୂତନ ଭାବେ ଗଠିତ ‘ଚଟରାଚକଡ଼ା’ ସମବାୟ ସମିତି ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଏହାଦ୍ୱାରା ଅଞ୍ଚଳର ଶହ ଶହ ଚାଷୀ ଓ ସାଧାରଣ ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସମସ୍ୟାର ତୁରନ୍ତ ସମାଧାନ, ଅବହେଳାର ନିରପେକ୍ଷ ତଦନ୍ତ ଏବଂ ସମିତିର ସ୍ୱାଭାବିକ ସେବା ପ୍ରଦାନ ନେଇ ଦାବି ଜୋର୍ ଧରିଛି। ତେବେ ଏତେ ସବୁ ଅଭିଯୋଗ ଏବଂ ଆମରଣ ଅନଶନ ଭଳି ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଥିଲେ ସୁଦ୍ଧା ପ୍ରଶାସନର ଭୂମିକାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆନ୍ଦୋଳନକାରୀଙ୍କ ଦାବି ଉପରେ ପ୍ରଶାସନ କେବେ ଆଲୋଚନା କରିବ ଏବଂ ଠୋସ୍ ପଦକ୍ଷେପ ନେବ, ତାହାକୁ ନେଇ ସନ୍ଦେହ ଉପୁଜିଛି । ଯଦି ଅନଶନ ଯୋଗୁଁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ତେବେ ଏଥିପାଇଁ କିଏ ଦାୟୀ ରହିବ ବୋଲି ସାଧାରଣରେ ଆଲୋଚନା ହେଉଛି ।