ପଦ୍ମପୁର/ ଶିବାଶିଷ ପଟ୍ଟନାୟକ:– ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଶିଶୁ ବାଟିକା ବିଭାଗ ପକ୍ଷରୁ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଶିଶୁମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ସନ୍ତୋଷ ସିଂ ଠାକୁର ଯୋଗଦେଇ ଦୀପ ପ୍ରଜ୍ୱଳନ କରିଥିଲେ। ସେ ଶିଶୁ ବିକାଶରେ ମାତାଙ୍କ ଭୂମିକା ତଥା ଶିଶୁ ଶିକ୍ଷା କ୍ଷେତ୍ରରେ ପ୍ରଚଳିତ ବିଭିନ୍ନ ଭ୍ରାନ୍ତ ଧାରଣା ଓ ତାହାର ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ।
ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥି ପରିଚୟ ପ୍ରଦାନ ସହ ସମ୍ମିଳନୀର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ମାର୍ଗଦର୍ଶନ ପ୍ରଦାନ କରିଥିବା ବେଳେ ସଦସ୍ୟା ଶ୍ରୀମତୀ ଅଲିଭା ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଜୀବନାନନ୍ଦ ଶତପଥୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ଶ୍ରୀମତୀ ସୁଜାତା ତ୍ରିପାଠୀ ସୂଚନା ପ୍ରଦାନ କରିଥିଲେ।
ଏହି ମାତୃ ସମ୍ମିଳନୀରେ ସମୁଦାୟ ୧୫୫ ଜଣ ମାଆ ଯୋଗଦେଇଥିଲେ। ଏହା ସହିତ ଶିଶୁ ବାଟିକା ବିଭାଗର ଗୁରୁଜୀ ଓ ଗୁରୁମାମାନଙ୍କ ଦ୍ୱାରା ଶାରୀରିକ ଶିକ୍ଷା, ଚିତ୍ର ପୁସ୍ତକାଳୟ, ବିଜ୍ଞାନ ପ୍ରୟୋଗଶାଳା, ରଙ୍ଗମଞ୍ଚ ଆଦି ବିଭିନ୍ନ କଳାଂଶ ପରିଚାଳନା କରାଯାଇଥିଲା।
ସମସ୍ତଙ୍କ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣରେ ମାତୃ ସମ୍ମିଳନୀଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।