ଜ୍ଞାନେଶ କୁମାରଙ୍କୁ ସିଇସି ପଦରୁ ହଟାଇବା ଦାବି, ଜିଲ୍ଲାପାଳଙ୍କୁ ଦିଆଗଲା ସ୍ମାରକପତ୍ର
ଝାରସୁଗୁଡ଼ା, ୨୮: ଭୋଟର ତାଲିକାରେ ହେରଫେର ଅଭିଯୋଗ ଏବଂ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ପ୍ରସଙ୍ଗକୁ ନେଇ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଏହି ଅବସରରେ ଦଳ ପକ୍ଷରୁ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ସହ ତାଙ୍କ ବିରୋଧରେ ଆଇନାନୁସାରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
କଂଗ୍ରେସ ପକ୍ଷରୁ ଏ ସମ୍ପର୍କିତ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଦଳୀୟ ନେତାମାନେ ଅଭିଯୋଗ କରିଥିଲେ ଯେ ଭୋଟର ତାଲିକା ସଂଶୋଧନ ଏବଂ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର) ପ୍ରକ୍ରିୟାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ନିର୍ବାଚନ ପ୍ରକ୍ରିୟାରେ ଜନସାଧାରଣଙ୍କ ଆସ୍ଥା ଓ ଗଣତାନ୍ତ୍ରିକ ବ୍ୟବସ୍ଥାର ସୁରକ୍ଷା ପାଇଁ ଏହି ପ୍ରସଙ୍ଗରେ ନିରପେକ୍ଷ ତଦନ୍ତ ଆବଶ୍ୟକ ବୋଲି ସେମାନେ କହିଥିଲେ।
ଏହି ଅବସରରେ କଂଗ୍ରେସ ନେତାମାନେ ରାହୁଲ ଗାନ୍ଧିଙ୍କ ପକ୍ଷରୁ ଉଠାଯାଇଥିବା ‘ଭୋଟ୍ ଚୋରି’ ଅଭିଯୋଗକୁ ଉଲ୍ଲେଖ କରିଥିଲେ। ୨୦୨୫ ଅଗଷ୍ଟ ୭ରେ ରାହୁଲ ଗାନ୍ଧି କର୍ଣ୍ଣାଟକର ମହାଦେବପୁରା ବିଧାନସଭା ଆସନ ସମ୍ପର୍କରେ ଭୋଟର ତାଲିକାରେ ଅନିୟମିତତା ନେଇ ତଥ୍ୟ ଉପସ୍ଥାପନ କରିଥିବା ଦଳୀୟ ନେତାମାନେ କହିଥିଲେ। ଏହାସହ ନିର୍ବାଚନ ଆୟୋଗର କାର୍ଯ୍ୟପ୍ରଣାଳୀ ଓ ନିଷ୍ପତ୍ତି ନେବା ପ୍ରକ୍ରିୟାକୁ ନେଇ ଉଠିଥିବା ପ୍ରଶ୍ନର ତଦନ୍ତ ଦାବି କରିଥିଲେ।
ନିର୍ବାଚନ ଆୟୋଗର ଦୁଇ ନିର୍ବାଚନ କମିସନରଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ମତପାର୍ଥକ୍ୟ ରହିଥିବା ନେଇ ପ୍ରକାଶିତ ଖବରକୁ ମଧ୍ୟ କଂଗ୍ରେସ ନେତାମାନେ ଉଲ୍ଲେଖ କରିଥିଲେ। ଫର୍ମ-୬ରେ ପରିବର୍ତ୍ତନ, ଆୟୋଗର ବୈଠକର ଏଜେଣ୍ଡା ଓ ନିଷ୍ପତ୍ତି ପ୍ରକାଶ ଆଦି ପ୍ରସଙ୍ଗରେ ସ୍ୱଚ୍ଛତା ରକ୍ଷା କରାଯିବା ଆବଶ୍ୟକ ବୋଲି ସେମାନେ ଦାବି କରିଥିଲେ।
ଅନ୍ୟପକ୍ଷରେ, ନିର୍ବାଚନ ଆୟୋଗ ପକ୍ଷରୁ କମିସନରମାନଙ୍କ ମଧ୍ୟରେ ମତପାର୍ଥକ୍ୟ ଥିଲେ ମଧ୍ୟ ନିଷ୍ପତ୍ତିଗୁଡ଼ିକ ସର୍ବସମ୍ମତିରେ ନିଆଯାଇଥିବା ଦାବି କରାଯାଇଥିବା କଂଗ୍ରେସ ନେତାମାନେ କହିଥିଲେ। ଏହି ଦାବି ଓ ଅଭିଯୋଗ ମଧ୍ୟରେ ସ୍ୱଚ୍ଛତା ପାଇଁ ସମଗ୍ର ପ୍ରସଙ୍ଗର ସ୍ପଷ୍ଟୀକରଣ ଆବଶ୍ୟକ ବୋଲି ସେମାନେ ମତ ଦେଇଥିଲେ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ସିଇସି ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏହାସହ ନିର୍ବାଚନ ଆୟୋଗର ନିଷ୍ପତ୍ତି ଓ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ପ୍ରତିବାଦ ସ୍ଲୋଗାନ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଜୀବନ ସାର୍ଥକ ଦାସ, ରାଜ୍ୟ ସମ୍ପାଦକ ସଞ୍ଜୟ ମହାପାତ୍ର, ପୂର୍ବତନ ସଭାପତି ଭାରତ ଅବସ୍ତି, ଅଲେଖ କୁମାର, ସାଲିମ ଖାନ, ୱାରିଶ ଚାଚା, ମନୀଷ ବାଜପେୟୀ, ମାନବ ଘୋଷ, ଶୈଳେଶ ଅବସ୍ତି, ରିୟାଜ ହୁସେନ, ଦେବାନନ୍ଦ ବାରିକ, ଭାସ୍କର ପଟେଲ, ଆରତ ବେନିଆ ଓ ରାଜେନ୍ଦ୍ର କରଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। ଇଣ୍ଡିଆ ମେଣ୍ଟ ସହଯୋଗୀ ସମାଜବାଦୀ ଦଳ ପକ୍ଷରୁ ମହମ୍ମଦ ଅଖତର ଓ ସୁବାସ ବେହେରା ଏବଂ ସିପିଆଇ ପକ୍ଷରୁ ସାରଙ୍ଗ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।