- ବଳଦେବଜୀଉ ମନ୍ଦିର ସାମ୍ନାରେ ଧାରଣା ହେଲା,
- ବିଶ୍ୱବିଦ୍ୟାଳୟ କୋଠାରେ ଡାଟା ସେଣ୍ଟର ପ୍ରତିଷ୍ଠାକୁ ଘୋର ବିରୋଧ।
କେନ୍ଦୁଝର,ତା୨୮/୯-ଆଜି କେନ୍ଦୁଝରଗଡ଼ ସ୍ଥିତ ପୁରୁଣାସହର, ବଳଦେବଜୀଉ ମନ୍ଦିର ସାମ୍ନାରେ ବିଭିନ୍ନ ସଂଗଠନର ବରିଷ୍ଠ ସଦସ୍ୟଙ୍କ ପକ୍ଷରୁ ସ୍ଥାନୀୟ ସୁଲେଇଖମାର ଠାରେ ବିଶ୍ୱବିଦ୍ୟାଳୟ ପୁନଃ ଆରମ୍ଭ କରିବାକୁ ଗଣଧାରଣା ହୋଇଯାଇଛି। ଏଥିରେ ପୁରୁଣା ସହରର ଅନେକ ଯୁବକ ତଥା ସହରର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି ନିଜ ମତ ରଖିଥିଲେ। ସୂଚନାଯୋଗ୍ୟ କି କେନ୍ଦୁଝର ଠାରେ ଏକ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଲାଗି ଅନେକ ବର୍ଷରୁ ଦାବି ଆନ୍ଦୋଳନ ହୋଇଥିଲା। ୧୯୯୫ରେ ମହାନ୍ତି କମିଶନକୁ ଦାବିପତ୍ର ଦିଆଯାଇଥିଲା ସେହିପରି ୧୯୯୬ରେ ବିରାଟ ଛାତ୍ର ଆନ୍ଦୋଳନ ହୋଇଥିଲା ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ପରୀକ୍ଷା ବର୍ଜନ କରିଥିଲେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ କରିଥିଲେ। ତେବେ ୧୯୯୯ ମସିହାରେ କେନ୍ଦୁଝର ଜିଲ୍ଲା ସାରା ଛଅ ମାସ ଧରି ବିରାଟ ଆନ୍ଦୋଳନ ହୋଇଥିଲା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଗି। ତେବେ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୩ରେ କେନ୍ଦୁଝର ଆସି ନୂଆ ବିଶ୍ୱବିଦ୍ୟାଳୟର ଶୁଭାରମ୍ଭ କରିଥିଲେ। ୟୁଜିସି ତଥ୍ୟ ଅନୁସାରେ ଏହା ଉତ୍କଳ ବିଶ୍ୱବିଦ୍ୟାଳୟ ପରି ଓପନ ୟୁନିଭର୍ସିଟି ହେବା କଥା। ତେବେ ବର୍ଷେ ପରେ ପୁଣି ଏକ ତ୍ରୁଟିପୂର୍ଣ୍ଣ ଗେଜେଟ ପ୍ରକାଶ କରି ଧରଣୀଧର ମହାବିଦ୍ୟାଳୟକୁ ଉନ୍ନତ କରି ଏହି ବିଶ୍ଵବିଦ୍ୟାଳୟ କରାଗଲା କୁହାଯାଏ କଲେଜ କ୍ୟାମ୍ପସରେ ଆରମ୍ଭ କରାଗଲା। ଏହି କାର୍ଯ୍ୟକ୍ରମ ବେଳେ ଆଲୁମିନି ଆସୋସିଏସନ ଅନୁମତି ପରାମର୍ଶ ନିଆଯାଇନଥିଲା। ଯାହା ବିଶ୍ୱବିଦ୍ୟାଳୟ କ୍ରିୟାନୁଷ୍ଠାନ କମିଟି ଆବାହକ ତଥା ଆଲୁମିନି ଆସୋସିଏସନ ସଦସ୍ୟ ଦିଲୀପ କୁମାର ସାହୁ ଅଭିଯୋଗ କରିଛନ୍ତି। ପ୍ରଥମ ଦିନରୁ ଏହି ବେନିୟମ କାମକୁ ବିରୋଧ କରାଯାଉଥିଲେ ମଧ୍ୟ ପ୍ରଶାସନ କିଛି ଶୁଣୁନଥିଲା। କଲେଜ କ୍ୟାମ୍ପସ ବିଶ୍ୱବିଦ୍ୟାଳୟ ହେଲା କୁଳପତି ଆସିଲେ ତେଣୁ +୨, +୩ ପିଲାନୂଆ ପରିବେଶ ସହ ଖାପ ଖୁଆଇ ପାରିଲେନି, ଏଯାଏ ନୂଆ +୨ ବିଲଡିଂ ହେଇପାରିନି। ପୂର୍ବର କଲେଜ ପାଣ୍ଠି ବିଶ୍ୱବିଦ୍ୟାଳୟ ହାତରେ ପଡ଼ି ହରିଲୁଟ ହେଲା। କଲେଜ ପିଲେ ଅଧିକା ଫି ଦେଉଛନ୍ତି ସବୁବେଳେ ସେମିନାର, ୱାର୍କ୍ସସପ ଲାଗି ପାଠପଢା ପରିବେଶ ନାହିଁ। ଏହି ଅଭିଯୋଗ କରି ଛାତ୍ରଛାତ୍ରୀ ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ ପୁଣି ଆରମ୍ଭ କରି ବିଶ୍ୱବିଦ୍ୟାଳୟକୁ ପୁରୁଣା ସହରର ସୁଲେଇଖମାର ବିଶ୍ୱବିଦ୍ୟାଳୟ କୋଠାକୁ ପଠେଇ ଦେବାକୁ ଦାବି କରି ଜିଲ୍ଲପାଳଙ୍କ ଅଫିସ ସାମ୍ନାରେ ବିକ୍ଷୋଭ କରିଥିଲେ। ସେହିପରି ଧରଣୀଧର ସୁରକ୍ଷା ମଞ୍ଚ ତିନିଦିନ ଧରି ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ଗଣଧାରଣା କରିଥିଲା। ତେବେ ଏସବୁ ଦାବି ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ଧରଣୀଧର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ଏକ ବୈଠକ କରିଥିଲେ ପ୍ରାୟ ସବୁ ସେଠାରେ ପୁରୁଣାସହର ସୁଲେଇଖମାରକୁ ଏହା ଯାଉବୋଲି କହିଥିଲେ। ତେବେ ନିଜେ ମୁଖ୍ୟମନ୍ତ୍ରୀ କିଛି ଦିନ ତଳେ ବିଶ୍ୱବିଦ୍ୟାଳୟ କୋଠାରେ ଏକ ଡାଟା ସେଣ୍ଟର ଉଦଘାଟନ କରି ସ୍ଥାପନ କରିଥିବାରୁ ଏବେ ବିଶ୍ୱବିଦ୍ୟାଳୟ ସେଠାରେ ଆରମ୍ଭ ହେବା ନେଇ ଅସୁବିଧା ସୃଷ୍ଟି ହେଇଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଭୁଲ ନିଷ୍ପତ୍ତିକୁ ସଠିକ ପ୍ରତିପାଦିତ କରିବାକୁ ଜଣେ ବ୍ୟକ୍ତି ବିଶ୍ୱବିଦ୍ୟାଳୟ ଉଠିବାକୁ ବିରୋଧ କରି ଏବେ ପଦବୀ ପାଇ ପୁରସ୍କୃତ ହୋଇଛନ୍ତି। ଏସବୁ ଘଟଣା ନଜର ରଖି ଆଗାମୀ ମାର୍ଚ୍ଚ ୨୦୨୭ ପରେ ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟର ୟୁଜିସି ସ୍ୱୀକୃତି ସମାପ୍ତ ହେଉଥିବାରୁ ବିଶ୍ୱବିଦ୍ୟାଳୟ ନଉଠିବାର ସମ୍ଭାବନା ଦେଖାଦେବାରୁ ବୁଦ୍ଧିଜୀବୀ ମାନେ ଆଜି ବଳଦେବଜୀଉ ମନ୍ଦିର ସାମ୍ନାରେ ଧାରଣା କରିଥିଲେ। ଯାହା ଏବେ ଆରମ୍ଭ ହୋଇ ଆଗାମୀ ଦିନରେ ଜିଲ୍ଲା ତମାମ ମୁଖ୍ୟ ପ୍ରସଙ୍ଗ ହୋଇ ଶ୍ରୀ ମୋହନ ମାଝିଙ୍କ ମୁଣ୍ଡବଥା ହେବାର କାରଣ ହୋଇପାରେ ବୋଲି ଆଲୋଚନା ହେଉଛି। ଆନ୍ଦୋଳନକାରୀ ମାନେ ତୁରନ୍ତ ସୁଲେଇଖମାର କୋଠାରେ ବିଶ୍ଵବିଦ୍ୟାଳୟ ପ୍ରଶାସନିକ କାର୍ଯ୍ୟ ଆରମ୍ଭ କରି କ୍ଲାସ କରିବାକୁ ଦାବି କରିଥିଲେ। ଏହି ଗଣଧାରଣାରେ ପ୍ରଫେସର ଗୟାଧର ଦାସ, ବରିଷ୍ଠ ନାଗରିକ ମଞ୍ଚ ସଭାପତି ସରୋଜ କୁମାର ରଣା, ପୂର୍ବତନ ନଗରପାଳ ପ୍ରଭଞ୍ଜନ ପଟ୍ଟନାୟକ, ଧରଣୀଧର କଲେଜ ଛାତ୍ର ସଂଘର ପୂର୍ବତନ ସଭାପତି ଦିଲୀପ କୁମାର ସାହୁ, ପାତ୍ର ତନ୍ତୀ କଲ୍ୟାଣ ପରିଷଦ ଜିଲ୍ଲା ସଭାପତି ବାବାଜୀ ଚରଣ ପାତ୍ର, ବରିଷ୍ଠ ନାଗରିକ ନବକୁମାର ସାହୁ, ଅବସରପ୍ରାପ୍ତ ବିଚାରବିଭାଗୀୟ ଅଧିକାରୀ ବିପ୍ର ରଞ୍ଜନ ମିଶ୍ର, ଶିକ୍ଷାବିତ୍ ପ୍ରଶାନ୍ତ କୁମାର ଦଳେଇ,ବରଷ୍ଠ ନାଗରିକ ଭାଲୁ ସାହୁ,ବିଶ୍ୱବିଦ୍ୟାଳୟ ଛାତ୍ର କ୍ରିୟାନୁଷ୍ଠାନ କମିଟି ଆବାହକ ମଣ୍ଡଳୀ ସଦସ୍ୟ ସିଦ୍ଧେଶ୍ୱର ସାହୁ,ରାଜେଶ ମହାରଣା,ଜିତେନ୍ଦ୍ର ପତି, ରିଣ୍ଟୁ ପତି, ରେବତୀ ସାହୁ, ଆଦିତ୍ୟ ବେଜ, ବିଶ୍ୱଜିତ ପଟ୍ଟନାୟକ, ସୁଦର୍ଶନ ସାହୁ, ସାନୁ ପରିଡ଼ା ଆଦି ଯୋଗ ଦେଇଥିଲେ। ଆଗାମୀ ଦିନରେ ଦାବି ପୂରଣ ନହଲେ ଏହି ଅନ୍ୟାୟର ପ୍ରତିବାଦ ଦୃଢ଼ ଭାବେ କରାଯିବ ବୋଲି ସମସ୍ତେ ଏକମତ ହୋଇଥିଲେ।