ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ ): ବିଚାରାଧୀନ ମାମଲାରେ ଦଣ୍ଡହାର ବୃଦ୍ଧି, ତଦନ୍ତ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ତ୍ୱରାନ୍ୱିତ କରିବା ସହ କୋର୍ଟରେ ମାମଲାର ପ୍ରଗତି ଉପରେ ନଜର ରଖିବା ଉଦ୍ଦେଶ୍ୟରେ ପଶ୍ଚିମାଞ୍ଚଳ ପୋଲିସ ରେଞ୍ଜ ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁକ୍ରବାର ରାଉରକେଲା ସେକ୍ଟର-୨୦ସ୍ଥିତ ରାଉରକେଲା କ୍ଲବ୍ଠାରେ ଅନୁଷ୍ଠିତ ହୋଇଯାଇଛି।
କୋର୍ଟ ପ୍ୟାରବିକାରଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ, ତଦନ୍ତ ପରେ ଚାର୍ଜସିଟ୍ ଦାଖଲ ହେବା ପରବର୍ତ୍ତୀ ସମୟରେ ପୋଲିସର ଭୂମିକା, ବିଚାର ପ୍ରକ୍ରିୟାର ପ୍ରଗତି ଉପରେ ନଜର ରଖିବା ଏବଂ ମାମଲାରେ ଦୋଷୀଙ୍କୁ ଦଣ୍ଡିତ କରାଇବା ପାଇଁ ଆବଶ୍ୟକ ପଦକ୍ଷେପ ଆଦି ବିଷୟରେ ଏହି ପ୍ରଶିକ୍ଷଣ ଦିଆଯାଇଥିଲା।
ପଶ୍ଚିମାଞ୍ଚଳ ପୋଲିସ ରେଞ୍ଜ ଅଧୀନରେ କାର୍ଯ୍ୟରତ ପୋଲିସ କର୍ମଚାରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରଶିକ୍ଷଣ ସମୟରେ ବିଭିନ୍ନ ମାମଲାରେ ବିଚାର ପ୍ରକ୍ରିୟାକୁ କିପରି ଅଧିକ ପ୍ରଭାବଶାଳୀ କରାଯାଇପାରିବ ଏବଂ ଦଣ୍ଡହାର ବୃଦ୍ଧି ପାଇଁ ପୋଲିସ ଓ ଅଭିଯୋଗ ପକ୍ଷ ମଧ୍ୟରେ ସମନ୍ୱୟ କିପରି ସୁଦୃଢ଼ କରାଯିବ, ସେନେଇ ଆଲୋଚନା ହୋଇଥିଲା। ଏଥିସହ ଅଂଶଗ୍ରହଣକାରୀମାନଙ୍କଠାରୁ ବିଭିନ୍ନ ପ୍ରଶ୍ନ ଓ ମତାମତ ନେଇ ଫିଡ୍ବ୍ୟାକ୍ ସଂଗ୍ରହ କରାଯାଇଥିଲା।
କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ବ୍ରିଜେଶ କୁମାର ରାୟ, ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନୀଙ୍କ ସମେତ ରାଉରକେଲା ଅତିରିକ୍ତ ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟର ପବ୍ଲିକ୍ ପ୍ରସିକ୍ୟୁଟରମାନେ ଉପସ୍ଥିତ ରହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଏହି ଅବସରରେ ଡିଆଇଜି ବ୍ରିଜେଶ କୁମାର ରାୟ ଓ ଏସ୍ପି ନିତେଶ ୱାଧୱାନୀ ଦୁଇଜଣ ପବ୍ଲିକ୍ ପ୍ରସିକ୍ୟୁଟରଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।
ଡିଆଇଜି ବ୍ରିଜେଶ କୁମାର ରାୟ କହିଥିଲେ ଯେ, ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଅପରାଧିକ ମାମଲାର ଦଣ୍ଡହାର କମ୍ ରହିଛି। ତେଣୁ ଦଣ୍ଡହାର ବୃଦ୍ଧି ପାଇଁ ତଦନ୍ତର ଗୁଣବତ୍ତା, ମାମଲାର ତଦାରଖ ଏବଂ କୋର୍ଟରେ ମାମଲାର ପ୍ରଗତି ଉପରେ ନିୟମିତ ନଜର ରଖିବା ଆବଶ୍ୟକ। ଏଥିପାଇଁ ପୋଲିସ ପକ୍ଷରୁ ନିୟମିତ ବୈଠକ ଓ ସମୀକ୍ଷା କରାଯିବା ସହ ଆଗାମୀ ଦିନରେ ଦଣ୍ଡହାର ବୃଦ୍ଧିକୁ ଗୁରୁତ୍ୱ ଦେଇ ଅଧିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସେ କହିଥିଲେ।
Sign in
Sign in
Recover your password.
A password will be e-mailed to you.