ହତ୍ୟାକାଣ୍ଡ ର ପର୍ଦ୍ଦାଫାଶ କଲା ଗୁଣପୁର ପୋଲିସ

10

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:: ଗୁଣପୁର : ୧୮/୯/୨୬ : କିଛିଦିନ ତଳେ ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ନୂଆ ଲବା ଗ୍ରାମ ନିକଟରେ ଜଣେ ବ୍ୟକ୍ତିଙ୍କ କ୍ଷତଵିକ୍ଷତ ମୃତଦେହ ମିଳିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ରାସ୍ତା ପାର୍ଶ୍ୱରେ ଥିବା ଏକ ଖାଲରେ ୫୬ ବର୍ଷୀୟ ପାତିକା ମାତିଆଙ୍କ ମୃତଦେହ ପଡ଼ିଥିବା ବେଳେ ନିକଟରେ ତାଙ୍କ ବାଇକ୍‌ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲା । ଗୁଣପୁର ପୋଲିସ ୧୫ ଦିନ ମଧ୍ୟରେ ଘଟଣାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି । ଗୁଣପୁର ବ୍ଲକ ଗୋଠଳପଦର ପଞ୍ଚାୟତ ଅନ୍ତର୍ଗତ କାକିତରା ଗ୍ରାମର ପାତିକା ମାତିଆଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ଗ୍ରାମର ୧୨ ଜଣ ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରି ମାରିଦେଇଥିବା ପୋଲିସ ସୂଚନା ଦେଇଛି । ଦୁର୍ବୃତ୍ତ ମାନେ ଠେଙ୍ଗାରେ ପିଟି ପିଟି ମାରିଦେବା ପରେ ଗ୍ରାମ ନିକଟ ଏକ ମାଟି ରାସ୍ତା ପାର୍ଶ୍ୱରେ ଥିବା ଖାଲ ଭିତରକୁ ବାଇକ ସହ ମୃତଦେହକୁ ଫିଙ୍ଗି ଦେଇଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ନେଇ ମୃତକଙ୍କ ପରିବାର ସେପ୍ଟେମ୍ବର ୩ ତାରିଖରେ ଗୁଣପୁର ଥାନାରେ ଅଭିଯୋଗ କରିଥିଲେ । ଗୁଣପୁର ଥାନା ଅଧିକାରୀ କେ କେ ବି କେ କଅଁର ଏକ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌ ସହ ଅନୁସନ୍ଧାନ କୁକୁର ସହାୟତାରେ ତଦନ୍ତ କରିଥିଲେ । ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତକୁ ଆଗକୁ ବଢାଇଥିଲା । ଆଜି ମୃତ ବ୍ୟକ୍ତି ପାତିକା ମାତିଆ ହତ୍ୟାକାଣ୍ଡ ଘଟଣାରେ ୧୨ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ କାକିତାରା ଗ୍ରାମର ବିଡିକା ରାମ ଚନ୍ଦ୍ର (୨୨), ବିଡିକା ରମେଶ (୨୩) , ବିଡିକା ସନ୍ତୋଷ (୨୧), ଲିଙ୍ଗରାଜ ମାଣ୍ଡାଙ୍ଗି(୨୪), ପାତିକା ମୋଜେଶ(୩୦), ପାତିକା ଯୋଗେନ୍ଦ୍ର(୨୦), ନିମାଲା କୁମାରୁ(୨୧), ବିଡିକା ବଡ଼ମା (୨୦), ରବି ବିଡିକା(୨୫), ବିଡିକା କୈଳାସ (୨୨), ରାମଦାସ ବିଡିକା (୨୦),ମଣ୍ଡାଙ୍ଗି କେଶବ(୩୫) । ଗିରଫ ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ମାନଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ସରଞ୍ଜାମ ସହ ଠେଙ୍ଗାକୁ ମଧ୍ୟ ପୋଲିସ ଜବତ କରିଥିବା ସୂଚନା ମିଳିଛି । ୧୫ ଦିନ ମଧ୍ୟରେ ହତ୍ୟାକାଣ୍ଡ ର ପର୍ଦ୍ଦାଫାଶ କରିଥିବାରୁ ଅଞ୍ଚଳଵାସୀ ପୋଲିସକୁ ପ୍ରଶଂସା କରିଛନ୍ତି ।
ସୂଚନାଯୋଗ୍ୟ ଯେ , ମୃତକଙ୍କ ଝିଅ ସାଇଲଜା ପାତିକା ଓ ତାଙ୍କ ସ୍ତ୍ରୀ ଗତ ଦୁଇ ତାରିଖ ସନ୍ଧ୍ୟାରୁ ପାତିକା ମାତିଆ ଘରକୁ ନ ଫେରିବାରୁ ପରିବାର ଓ ଗ୍ରାମବାସୀ ମିଶି ଖୋଜାଖୋଜି କରିଥିଲେ । ପରଦିନ ନୂଆ ଲବା ନିକଟ ରାସ୍ତା କଡ଼ରେ ଏକ ଖାଲରୁ ମାତିଆଙ୍କ ମୃତଦେହ ସହ ବାଇକ୍‌ ପଡ଼ିଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.