କିଡ୍ସ-ଗୀ ପବ୍ଲିକ୍ ସ୍କୁଲରେ ଆଡ଼ମ୍ବରପୂର୍ଣ୍ଣ ଗଣେଶ ପୂଜା

8

ଶିକ୍ଷାର୍ଥୀଙ୍କ ଜ୍ଞାନ, ବୁଦ୍ଧି ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବିଘ୍ନରାଜଙ୍କ ଆରାଧନା

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:: ଗଣେଶ ଚତୁର୍ଥୀ ଅବସରରେ ସମଗ୍ର ଗୁଣପୁର ଉପଖଣ୍ଡ ଉତ୍ସବମୁଖର ହୋଇଉଠିଥିବା ବେଳେ, ଗୁଣପୁର ରାମେଶ୍ୱର ନଗରସ୍ଥିତ କିଡ୍ସ-ଗୀ ପବ୍ଲିକ୍ ସ୍କୁଲ ପରିସରରେ ମଧ୍ୟ ଧୁମଧାମରେ ଗଣେଶ ପୂଜା ପାଳିତ ହୋଇଯାଇଛି।
ଏହି ଅବସରରେ ବିଦ୍ୟାଳୟ ପରିସରକୁ ଆକର୍ଷଣୀୟ ଭାବେ ସଜାଯାଇଥିବା ସହ ଏକ ସୁନ୍ଦର ପୂଜା ମଣ୍ଡପ ନିର୍ମାଣ କରାଯାଇଥିଲା। ମଣ୍ଡପରେ ମନୋମୁଗ୍ଧକର ଶୈଳୀରେ ପ୍ରଭୁ ବିଘ୍ନରାଜ ଶ୍ରୀଗଣେଶଙ୍କ ପ୍ରତିମା ସ୍ଥାପନ କରାଯାଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଧ୍ୟକ୍ଷା ଓ ପରିଚାଳନା ବୃନ୍ଦଙ୍କ ମିଳିତ ଉଦ୍ୟମରେ ସମଗ୍ର ପୂଜା କାର୍ଯ୍ୟକ୍ରମ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା।
ସକାଳ ପ୍ରାୟ ୯ଟା ୩୦ ମିନିଟରେ ପୂଜାରମ୍ଭ ହୋଇଥିବା ବେଳେ ପ୍ରାୟ ୧୧ଟାରେ ପୂଜାକର୍ମ ସମାପ୍ତ ହୋଇଥିଲା। ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଜ୍ଞାନ, ସଫଳତା, ସୁସ୍ଥତା ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରଭୁ ଶ୍ରୀଗଣେଶଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା।
ପୂଜା କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସ୍ୱୟଂପ୍ରଭା ମହାପାତ୍ର, ଅଧ୍ୟକ୍ଷ ଶ୍ରୀ ଜିତେନ୍ଦ୍ର କୁମାର ଶତପଥି ଏବଂ ଡିରେକ୍ଟର ଶ୍ରୀ ମୁରଲୀଧର ପଣ୍ଡାଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ।
ତିନି ଦିନ ଧରି ଚାଲିବ ଉତ୍ସବ
ସୂଚନା ଅନୁଯାୟୀ, କିଡ୍ସ-ଗୀ ପବ୍ଲିକ୍ ସ୍କୁଲ ପରିସରରେ ଗଣେଶ ପୂଜା ତିନି ଦିନ ଧରି ପାଳନ କରାଯିବ। ଦ୍ୱିତୀୟ ଦିନ ଛାତ୍ରଛାତ୍ରୀଙ୍କ ପାଇଁ ବୁଗି-ଉଗି ଡ୍ୟାନ୍ସ କମ୍ପିଟିସନ୍ ଆୟୋଜନ କରାଯିବ। ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜର ନୃତ୍ୟ ପ୍ରତିଭା ପ୍ରଦର୍ଶନ କରିବେ। ତୃତୀୟ ଦିନ ପାରମ୍ପରିକ ରୀତିରେ ବିସର୍ଜନ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ବିଦ୍ୟାଳୟର ଅଫିସ୍ ଆଡମିନିଷ୍ଟ୍ରେଟର ଶ୍ରୀକାନ୍ତ ସୂଚନା ଦେଇଛନ୍ତି।
ଶିକ୍ଷା ସହିତ ଭାରତୀୟ ପରମ୍ପରା, ସଂସ୍କୃତି ଓ ଧାର୍ମିକ ମୂଲ୍ୟବୋଧକୁ ଛାତ୍ରଛାତ୍ରୀଙ୍କ ମନରେ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ପକ୍ଷରୁ ଏଭଳି ଉତ୍ସବ ଆୟୋଜନ କରାଯାଉଥିବା ଜଣାପଡ଼ିଛି। ଗଣେଶ ପୂଜାକୁ ନେଇ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା।

Leave A Reply

Your email address will not be published.