ବେଦାନ୍ତ ଆଲୁମିନିୟମର ବେଦକ୍ଷତା ପଦକ୍ଷେପ ମାଧ୍ଯମରେ ଝାରସୁଗୁଡ଼ାର ଯୁବପିଢ଼ିଙ୍କୁ ବିଶ୍ୱସ୍ତରୀୟ ପ୍ରଯୁକ୍ତି କମ୍ପାନୀରେ ନିଯୁକ୍ତି
କମ୍ପାନୀର ଦକ୍ଷତା ବିକାଶ ପଦକ୍ଷେପର ସଦ୍ୟତମ ପ୍ରଶିକ୍ଷାର୍ଥୀ ବ୍ୟାଚ୍ର ଯୁବକ-ଯୁବତୀମାନେ ଟାଟା ଇଲେକ୍ଟ୍ରୋନିକ୍ସ, ଫକ୍ସକନ୍ ଏବଂ ଡିକ୍ସନ୍ ଟେକ୍ନୋଲୋଜିଜ୍ ଭଳି ପ୍ରମୁଖ କମ୍ପାନୀରେ ନିଯୁକ୍ତି ପାଇଛନ୍ତି। ଏହା ଦକ୍ଷତା ବିକାଶ କାର୍ଯ୍ୟକ୍ରମର ବଢ଼ୁଥିବା ସଫଳତାକୁ ପ୍ରତିଫଳିତ କରୁଛି।
ଝାରସୁଗୁଡ଼ା, ୧୧ ସେପ୍ଟେମ୍ବର ୨୦୨୬: ବେଦାନ୍ତ ଆଲୁମିନିୟମ୍ର କୌଶଳ ବିକାଶ ପଦକ୍ଷେପ ‘ବେଦକ୍ଷତା’ ଅଧୀନରେ ପ୍ରଶିକ୍ଷଣ ନେଇଥିବା ଝାରସୁଗୁଡ଼ାର ୩୦ ଜଣ ଯୁବକଯୁବତୀଙ୍କୁ ଦେଶର ପ୍ରମୁଖ ବୈଦ୍ୟୁତିକ ଉପକରଣ ନିର୍ମାତା କମ୍ପାନିରେ ନିଯୁକ୍ତି ସୁଯୋଗ ମିଳିଛି। ମୋବାଇଲ୍ ହାର୍ଡୱେର ମରାମତି ପ୍ରଯୁକ୍ତିବିଦ୍ ଭାବେ ପ୍ରଶିକ୍ଷିତ ଏହି ଯୁବପିଢ଼ି ଟାଟା ଇଲେକ୍ଟ୍ରୋନିକ୍ସ, ଫକ୍ସକନ୍ ଏବଂ ଡିକ୍ସନ୍ ଟେକ୍ନୋଲୋଜିଜ୍ର ଭାରତୀୟ ୟୁନିଟ୍ରେ ନିଯୁକ୍ତି ପାଇଛନ୍ତି।
୨୦୨୫ରେ ଆରମ୍ଭ ହୋଇଥିବା ‘ବେଦକ୍ଷତା’ ପ୍ରକଳ୍ପ ଝାରସୁଗୁଡ଼ାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ କ୍ରମାଗତ ଭାବେ ପ୍ରଭାବ ବଢ଼ାଇ ଚାଲିଛି। ଚଳିତ ବର୍ଷ ଆରମ୍ଭରେ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ମୋବାଇଲ୍ ମରାମତି ଓ ଖାଦ୍ୟ ଏବଂ ପାନୀୟ ସେବା କ୍ଷେତ୍ରରେ ୬୦ ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଏହାପରେ ଆଉ ୩୦ ଜଣ ଖାଦ୍ୟ ଓ ପାନୀୟ ସେବା ପ୍ରଶିକ୍ଷଣ ସଫଳତାର ସହ ଶେଷ କରିଥିଲେ। ଏ ପର୍ଯ୍ୟନ୍ତ ଏହି ପଦକ୍ଷେପ ମାଧ୍ୟମରେ ୧୨୦ରୁ ଅଧିକ ଯୁବକଯୁବତୀ ପ୍ରଶିକ୍ଷିତ ହୋଇସାରିଛନ୍ତି।
ସଦ୍ୟ ପ୍ରଶିକ୍ଷିତ ଦଳର ମହିଳା ପ୍ରଶିକ୍ଷାର୍ଥୀମାନେ ବେଙ୍ଗାଲୁରୁସ୍ଥିତ ଟାଟା ଇଲେକ୍ଟ୍ରୋନିକ୍ସ ଓ ଫକ୍ସକନ୍ରେ ନିଯୁକ୍ତି ସୁଯୋଗ ପାଇଥିବା ବେଳେ ପୁରୁଷ ପ୍ରଶିକ୍ଷାର୍ଥୀମାନେ ଚେନ୍ନାଇସ୍ଥିତ ଡିକ୍ସନ୍ ଟେକ୍ନୋଲୋଜିଜ୍ରେ ନିଯୁକ୍ତି ପାଇଛନ୍ତି। ଏହା ମାଧ୍ୟମରେ ଝାରସୁଗୁଡ଼ାର ଯୁବପିଢ଼ି ଦ୍ରୁତଗତିରେ ବିସ୍ତାରଲାଭ କରୁଥିବା ଭାରତୀୟ ବୈଦ୍ୟୁତିକ ଉପକରଣ ନିର୍ମାଣ ଶିଳ୍ପରେ ପ୍ରବେଶ କରିବାର ସୁଯୋଗ ପାଇଛନ୍ତି।
ପ୍ରକଳ୍ପର ପ୍ରଭାବ ସମ୍ପର୍କରେ ବେଦାନ୍ତ ଆଲୁମିନିୟମ୍, ଝାରସୁଗୁଡ଼ାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସି. ଚନ୍ଦ୍ରୁ କହିଛନ୍ତି, “ଦକ୍ଷତା ବିକାଶର ପ୍ରକୃତ ମୂଲ୍ୟ ଏହା ଦ୍ୱାରା ଜୀବିକାର ସ୍ପଷ୍ଟ ସୁଯୋଗ ସୃଷ୍ଟି ହେବାରେ ରହିଛି। ‘ବେଦକ୍ଷତା’ ମାଧ୍ୟମରେ ଆମେ ଝାରସୁଗୁଡ଼ାର ଯୁବପିଢ଼ିଙ୍କୁ ଶିଳ୍ପ ଆବଶ୍ୟକତା ଅନୁଯାୟୀ ଦକ୍ଷତା ଓ ବିଶ୍ୱସନୀୟ ନିଯୁକ୍ତି ସୁଯୋଗ ସହ ଯୋଡ଼ିବା ପାଇଁ ଏକ ସୁଦୃଢ଼ ବ୍ୟବସ୍ଥା ଗଢ଼ି ତୋଳୁଛୁ। ପ୍ରମୁଖ କମ୍ପାନିରେ ନିଯୁକ୍ତି ଏହି ମଡେଲ୍ର ସଫଳତାକୁ ପ୍ରତିଫଳିତ କରୁଛି। ଆଗାମୀ ଦିନରେ ଉଦୀୟମାନ କ୍ଷେତ୍ରଗୁଡ଼ିକରେ ଏଭଳି ସୁଯୋଗକୁ ଆହୁରି ବ୍ୟାପକ କରାଯିବ।”
ଝାରସୁଗୁଡ଼ାସ୍ଥିତ ‘ବେଦକ୍ଷତା’ କେନ୍ଦ୍ରରେ ଆୟୋଜିତ ସମାପନୀ ସମାରୋହରେ ପ୍ରଶିକ୍ଷାର୍ଥୀମାନଙ୍କୁ ନିଯୁକ୍ତି ପ୍ରସ୍ତାବପତ୍ର ଓ ପାଠ୍ୟକ୍ରମ ସମାପନ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ କମ୍ପାନିର ବରିଷ୍ଠ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଝାରସୁଗୁଡ଼ାର ଜାମେରା ଅଞ୍ଚଳର ପ୍ରଶିକ୍ଷାର୍ଥୀ ଜୟଶ୍ରୀ ନାଏକ କହିଛନ୍ତି, “ଏହି ପ୍ରଶିକ୍ଷଣ ମୋତେ ବ୍ୟବହାରିକ ବୈଷୟିକ ଦକ୍ଷତା ହାସଲ କରିବା ସହ ଏକ ପେସାଦାର କାର୍ଯ୍ୟକ୍ଷେତ୍ରରେ କ’ଣ ଆଶା କରାଯାଏ ତାହା ବୁଝିବାରେ ସହାୟତା କରିଛି। ପ୍ରଶିକ୍ଷଣ ଶେଷ କରିବା ପରେ ନିଯୁକ୍ତି ସୁଯୋଗ ପାଇବା ମୋତେ ନିଜ କ୍ୟାରିୟର ଆରମ୍ଭ କରିବା ଓ ପରିବାରକୁ ସହଯୋଗ କରିବା ପାଇଁ ଆତ୍ମବିଶ୍ୱାସ ଦେଇଛି।”
‘ବେଦକ୍ଷତା’ ହେଉଛି ବେଦାନ୍ତ ଆଲୁମିନିୟମ୍ର ପ୍ରମୁଖ ଦକ୍ଷତା ବିକାଶ ପଦକ୍ଷେପ। ଝାରସୁଗୁଡ଼ା ଆଖପାଖ ଅଞ୍ଚଳର ଯୁବପିଢ଼ିଙ୍କ ନିଯୁକ୍ତିଯୋଗ୍ୟତା ବୃଦ୍ଧି ଏହାର ପ୍ରମୁଖ ଲକ୍ଷ୍ୟ। ମୋବାଇଲ୍ ମରାମତି ହାର୍ଡୱେର ପ୍ରଯୁକ୍ତିବିଦ୍ ଓ ଖାଦ୍ୟ ଏବଂ ପାନୀୟ ସେବା କ୍ଷେତ୍ରରେ ଶିଳ୍ପ ଆବଶ୍ୟକତା ଅନୁକୂଳ ପ୍ରଶିକ୍ଷଣ ସହ ଏଥିରେ ବ୍ୟବହାରିକ ଶିକ୍ଷା, କାର୍ଯ୍ୟକ୍ଷେତ୍ର ପାଇଁ ପ୍ରସ୍ତୁତି, କ୍ୟାରିୟର ମାର୍ଗଦର୍ଶନ ଓ ନିଯୁକ୍ତି ସହାୟତାକୁ ସାମିଲ କରାଯାଇଛି।
‘ବେଦକ୍ଷତା’ ସମେତ ବିଭିନ୍ନ ସାମାଜିକ ବିକାଶ କାର୍ଯ୍ୟକ୍ରମ ଜରିଆରେ ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡ଼ା ଜିଲ୍ଲାର ସମୁଦାୟଗୁଡ଼ିକର ସାମଗ୍ରିକ ବିକାଶ ପାଇଁ ନିବେଶ ଜାରି ରଖିଛି। ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ମହିଳା ସଶକ୍ତୀକରଣ, କ୍ରୀଡ଼ା ଓ ସାମାଜିକ ଭିତ୍ତିଭୂମି ଭଳି କ୍ଷେତ୍ରରେ କମ୍ପାନିର ସାମାଜିକ ପ୍ରଭାବ କାର୍ଯ୍ୟକ୍ରମ ଝାରସୁଗୁଡ଼ା ଜିଲ୍ଲାର ୭ ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ପ୍ରଭାବିତ କରିଛି। ଏଥିସହ ୫୦୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଓ ସମବାୟ ଆନ୍ଦୋଳନ ମାଧ୍ୟମରେ ୫,୩୦୦ରୁ ଅଧିକ ମହିଳାଙ୍କୁ ସଶକ୍ତ କରାଯାଇଛି।