ଶିକ୍ଷାର ବିକାଶ ପାଇଁ ଛାତ୍ର ସାମ୍ମୁଖ୍ୟର ରିଲେ ଅନଶନ ତୃତୀୟ ଦିନରେ

8


ବିଭିନ୍ନ ସଂଗଠନ ଓ ନେତାଙ୍କ ସମର୍ଥନ, ୪ ଦଫା ଦାବି ପୂରଣ ପାଇଁ ଆନ୍ଦୋଳନ ଜାରି


ଝାରସୁଗୁଡ଼ା,: ଝାରସୁଗୁଡ଼ା ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ବିକାଶ ଓ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ସମ୍ବଳିତ ୪ ଦଫା ଦାବି ନେଇ ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ରିଲେ ଅନଶନ ଗୁରୁବାର ତୃତୀୟ ଦିବସରେ ପହଞ୍ଚିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ସାମ୍ମୁଖ୍ୟ ପକ୍ଷରୁ କୁହାଯାଇଛି।

ଛାତ୍ର ସାମ୍ମୁଖ୍ୟର ପ୍ରମୁଖ ଦାବି ମଧ୍ୟରେ ଏଲ୍‌.ଏନ୍‌. କଲେଜର ସମ୍ପୂର୍ଣ୍ଣ ସରକାରୀକରଣ, ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟକୁ ଇଞ୍ଜିନିୟରିଂ କଲେଜରେ ରୂପାନ୍ତର, ଉପାନ୍ତ ୧୯ ଖଣ୍ଡ ମୌଜାରେ ସରକାରୀ ଡିଗ୍ରୀ କଲେଜ ସ୍ଥାପନ ଏବଂ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ଖୋଲିବା ଅନ୍ତର୍ଭୁକ୍ତ।

ରିଲେ ଅନଶନର ତୃତୀୟ ଦିବସରେ ବିଭିନ୍ନ ସାମାଜିକ ସଂଗଠନ, ଯୁବନେତା ଓ ରାଜନୈତିକ ବ୍ୟକ୍ତିବିଶେଷ ଧାରଣାସ୍ଥଳରେ ପହଞ୍ଚି ଛାତ୍ର ସାମ୍ମୁଖ୍ୟକୁ ସମର୍ଥନ ଜଣାଇଥିଲେ। ଗଣ୍ଡା ସମାଜ ବିକାଶ ପରିଷଦର ସଭାପତି ଚିନ୍ତାମଣି ସାମନ୍ତରା, ରବୀନ୍ଦ୍ର ସୋହେଲା, ସିଆରମା ଗ୍ରାମର ଯୁବନେତା ପ୍ରଦୀପ ତାଜନ, ଆଦିବାସୀ ନେତା ପ୍ରଭାକର ଓରାମ ଏବଂ କବି ପ୍ରେମସାଗର ଦେହେରିଆ ପ୍ରମୁଖ ଧାରଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ।

ଅପରାହ୍ନରେ ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳୀ ଦାସଙ୍କ ସହ ବିଜେଡି ଜିଲ୍ଲା ସଭାପତି ହରିଶ ଗଣତ୍ରା, ପୌରପାଳିକା ଅଧ୍ୟକ୍ଷା ରାନୀ ହାତୀ, କାଉନସିଲର ନବନୀତ କୌର, ବିଜୁ ଛାତ୍ର ଜନତା ଦଳ ସଭାପତି ଶିବାଶିଷ ପଟ୍ଟନାୟକ ଓ ଆଇନଜୀବୀ ବି. ନାଗେଶ୍ୱରୀ ଧାରଣାସ୍ଥଳରେ ପହଞ୍ଚି ଛାତ୍ର ସାମ୍ମୁଖ୍ୟର ଦାବି ପ୍ରତି ସମର୍ଥନ ପ୍ରକାଶ କରିଥିଲେ।

ସନ୍ଧ୍ୟା ୫ଟାରେ ଜାତୀୟ ସଙ୍ଗୀତ ଗାନ ପରେ ତୃତୀୟ ଦିନର ରିଲେ ଅନଶନ ସ୍ଥଗିତ ରହିଥିଲା। ଏହି ଅବସରରେ ସାମ୍ମୁଖ୍ୟ ସଭାପତି ଅସୀମ ପଟେଲ, ସମ୍ପାଦକ ଜିତେନ୍ଦ୍ରୀୟ ଧୁରୁଆ, ରବି ରୋହିଦାସ, ସମ୍ବିତ ନାଏକ, ନନ୍ଦୁ ରୋହିଦାସ, ବାପି ନାଏକ, ଗୌରବ ବେସନ ଓ ନରେନ ମାଝୀଙ୍କ ସମେତ ବହୁ ଛାତ୍ର ଉପସ୍ଥିତ ଥିଲେ।

Leave A Reply

Your email address will not be published.