୪୪ ଗ୍ରାମର ହେରୋଇନ, ନଗଦ ୧୨,୬୦୦ ଟଙ୍କା ସହ ଯୁବକ ଗିରଫ।।
ଜଗତସିଂହପୁର: ଜଗତସିଂହପୁର ଥାନା ଅନ୍ତର୍ଗତ ଆଳିପିଙ୍ଗଳ ବଜାର ରୁ ଜଣେ ନିଶା ମାଫିଆଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା। ଯାଞ୍ଚ ପରେ ତାଙ୍କ ପାଖରୁ ୪୪ ଗ୍ରାମର ହେରୋଇନ୍, ଏକ ଆଣ୍ଡ୍ରଏଡ ଫୋନ, ନଗଦ ୧୨,୬୦୦ ଟଙ୍କା ଏବଂ ଏକ ଟି ଭି ଏସ୍ ଲୁନା (ନଂ- ଓଡ଼ି-୨୧-ପି-୧୮୨୭) ଜବତ କରାଯାଇଛି। ସୂଚନାଯୋଗ୍ଯ ଯେ ଜଗତସିଂହପୁର ଥାନା ଖମଙ୍ଗ ଗ୍ରାମର ଯୋଗେନ୍ଦ୍ର ନାଥ ଦୀର୍ଘ ଦିନ ଧରି ଆଳିପିଙ୍ଗଳ ଅଞ୍ଚଳରେ ହେରୋଇନ୍ ବେପାର କରୁଥିବା ବେଳେ ତାକୁ ଧରିବା ପାଇଁ ଅବକାରୀ ବିଭାଗ ବହୁବାର ଜାଲ ବିଛାଇ ଥିଲା। ସବୁଥର ଭଳି ଅବକାରୀ ବିଭାଗକୁ ଚକମା ଦେଇ ଖସିଯାଉଥିବାବେଳେ ଅନେକ କସରତ୍ ପରେ ଆଜି କିନ୍ତୁ ତାଙ୍କୁ ଅବକାରୀ ବିଭାଗ କାବୁ କରିନେଇଥିଲା। ଏକ ଗୁଇନ୍ଦା ଖବର କୁ ଭିତ୍ତି କରି ଯୋଗେନ୍ଦ୍ର ଙ୍କ ସର୍ମ୍ପକରେ ତଥ୍ଯ ବାହାର କରିଥିଲେ ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀ। ଗ୍ରାହକଙ୍କୁ ବିକ୍ରି କରିବା ପାଇଁ ସେ ଆଜି ହେରୋଇନ ରଖିଥିବାର ସୂଚନା ପାଇବା ପରେ ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ସବ୍-ଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ଦଳାଇ, ଏ ଏସ୍ ଆଇ କ୍ଷୀରୋଦ କୁମାର ସାହୁ, କନଷ୍ଟେବଳ ଶୁଭଶ୍ରୀ ବିଶ୍ବାଳ, ସୁକାନ୍ତ ମାଝୀ, ବିଶ୍ବରଞ୍ଜନ ସ୍ବାଇଁ, ଙ୍କୁ ନେଇ ଏକ ଟିମ ଗଠନ ହୋଇଥିଲା ଯାହାର ନେତୃତ୍ବ ନେଇଥିଲେ ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀ। ଆଳିପିଙ୍ଗଳ ବଜାର ଠାରେ ଆଜି ସେ ଗ୍ରାହକଙ୍କୁ ହେରୋଇନ ବିକ୍ରି କରୁଥିବା ବେଳେ ଗ୍ରାହକ ବେଶରେ ଅଭିଯୁକ୍ତଙ୍କୁ କାବୁ କରିନେଇଥିଲେ ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର କର୍ମଚାରୀ। ଗିରଫ ଅଭିଯୁକ୍ତ ଜଣକ ହେଲେ ଖମଙ୍ଗ ଗ୍ରାମର ଯୋଗେନ୍ଦ୍ର ନାଥ (୩୮)। ଜବତ ସାମଗ୍ରୀର ଆନୁମାନିକ କଳାବଜାରୀ ମୂଲ୍ଯ ପ୍ରାୟ ୫ ଲକ୍ଷ ଟଙ୍କା ହେବ। ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନ୍ ଡି ପି ଏସ୍ ଆକ୍ଟ ୧୯୮୫ ଅନୁସାରେ ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥାର କେସ୍ ସଂଖ୍ୟା ୧୫୬୵୨୦୨୬-୨୭ ରେ ମାମଲା ରୁଜ୍ଜୁ କରାଯାଇ ଜିଲ୍ଲା ଦୌରାଜଜ ଜଗତସିଂହପୁରଙ୍କ ନିକଟରେ ହାଜର କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ୧୪ଦିନିଆ ବିଚାର ବିଭାଗୀୟ ହାଜତ୍ କୁ ପଠାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ପୂର୍ବ ରୁ ଅନେକ ଏନ୍ ଡି ପି ଏସ୍ ମାମଲ ମଧ୍ଯ ଅବକାରୀ ବିଭାଗରେ ଅଛି। ଜଗତସିଂହପୁର ଅଞ୍ଚଳରେ ହେରୋଇନ୍ ବ୍ୟବସାୟ କୁ ଦମନ କରିବାକୁ ସ୍ବତନ୍ତ୍ର ଅପରେସନ୍ ଚାଲିଥିବାର ପ୍ରକାଶ କରିଛନ୍ତି ଜଗତସିଂହପୁର ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ ଓ ସମସ୍ତ ନିଶାବେପାରୀଙ୍କୁ ଜେଲ୍ ରେ ପୁରାଇବାକୁ ଜଗତସିଂହପୁର ଅବକାରୀ ବିଭାଗ ଉଦ୍ୟମ ରତ ଥିବାର ସେ କହିଛନ୍ତି।