ସମ୍ମାନିତ ହେଲେ କ୍ୟାଡ଼ର ପିପି , ସ୍ପେଶାଲ ପିପି ଓ ଥାନାଧିକାରୀ

15

ପୋଲିସ ଓ ସରକାରୀ ଓକିଲ ସମନ୍ୱୟ ବୈଠକ –

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବଢୁଥିବା ଅପରାଧକୁ କମ କରାଯାଇ କିପରି ସମାଜରେ ଶାନ୍ତି ପ୍ରତିଷ୍ଠା କରାଯାଇପାରିବ, ସେ କଥାକୁ ନଜରରେ ରଖି ଆଜି ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନାଙ୍କ ସଭାପତିତ୍ୱରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକାରୀ କାର୍ଯ୍ୟାଳୟ ରେ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ତଥା ସରକାରୀ ଓକିଲମାନଙ୍କର ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅବକାରୀ ବିଭାଗ ଆରକ୍ଷୀ ଅଧିକ୍ଷକ ପ୍ରଦୀପ ସାହୁ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିରଞ୍ଚି ବାଗ , ଆର. ଉଦୟଗିରି ଏସଡିପିଓ ଆଇପିଏସ ରାକେଶ କୁମାର ସାହୁ , ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ତଥା ଅଭିଯୋଜନ ବିଭାଗର ସହ-ନିର୍ଦ୍ଦେଶକ ଡ଼ି.ଅନୁପରାଜ ଆଚାରି ପ୍ରମୁଖ ଉପସ୍ଥିତ ଥିଲେ।
ପାଖାପାଖି ଦୁଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ମୁଖ୍ୟତଃ ମାମଲାର ତଥ୍ୟାବଳୀ କିପରି ପ୍ରସ୍ତୁତ କରାଯିବ ଏବଂ ତଦନ୍ତ ପ୍ରକ୍ରିୟାରେ ଥିବା ତ୍ରୁଟି-ବିଚ୍ୟୁତିକୁ କିପରି ସୁଧରାଯିବ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହା ସହିତ ପୋଲିସ ଜନସାଧାରଣଙ୍କ ନିକଟତର ହୋଇ କିପରି ତ୍ୱରିତ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରାଯାଇପାରିବ, ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।
ଏତଦବ୍ୟତୀତ ଏହି ବୈଠକରେ ବିଭିନ୍ନ ସଙ୍ଗିନ ମାମଲାରେ ପୋଲିସ ତଥା ଅଭିଯୋଜକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇ କିପରି ଦଣ୍ଡ ହାର ବୃଦ୍ଧି କରାଯାଇପାରିବ ସେ ନେଇ ବିଶେଷ ଭାବେ ଆଲୋଚନା କରାଯାଇଥିଲା। ସର୍ବଶେଷରେ ବିଭିନ୍ନ ନ୍ୟାୟାଳୟରେ ମାମଲା ପରିଚାଳନା କରି ଅପରାଧୀଙ୍କ ବିରୁଦ୍ଧରେ କଠୋର ଦଣ୍ଡବିଧାନ କରାଇଥିବା ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର , ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଏମ. ପୃଥ୍ବୀରାଜ ଓ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସରୋଜ କୁମାର ରଥ ତଥା ବିଭିନ୍ନ ଥାନା ଅଧିକାରୀଙ୍କୁ ଶ୍ରୀ ମୀନା ମାନପତ୍ର ଦେଇ ସମ୍ମାନିତ କରି ଭବିଷ୍ୟତରେ ଏଭଳି ଆହୁରି ଉତ୍ତମ କାର୍ଯ୍ୟ କରି ଜନସାଧାରଣଙ୍କ ଆସ୍ଥାଭାଜନ ହେବା ନିମନ୍ତେ ଆହ୍ୱାନ ଦେଇ ବୈଠକ ଶେଷ କରିଥିଲେ।

Leave A Reply

Your email address will not be published.