ପରିବେଶ ସୁରକ୍ଷା ପାଇଁ ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ ଦ୍ବାରା ବୃକ୍ଷ ରୋପଣ ଅଭିଯାନ କାର୍ଯକ୍ରମର ଶୁଭାରମ୍ଭ

12

ଖରସଣ୍ଢାରେ ଶତାଧିକ ଚାରାରୋପଣ , ଏନ ଏସ୍ ଏସ୍ ସ୍ୱେଚ୍ଛାସେବୀ ଏବଂ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପରିବେଶ ସୁରକ୍ଷା , ଜଳବାୟୁ ପରିବର୍ତ୍ତନର ମୁକାବିଲା , ସାମାଜିକ ସଚେତନତା ଓ ସବୁଜ ପରିବେଶ ସୃଷ୍ଟି ଲକ୍ଷ୍ୟରେ ସେଞ୍ଚୁରିଆନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ , ପାରଳାଖେମୁଣ୍ଡି କ୍ୟାମ୍ପସର ଏନ ଏସ୍ ଏସ୍ ୟୁନିଟ୍ ପକ୍ଷରୁ ଆୟୋଜିତ ମେଗା ବୃକ୍ଷରୋପଣ ଅଭିଯାନର ଉଦ୍ଘାଟନୀ ସମାରୋହ ଖରସଣ୍ଢାରେ ସ୍ଥିତ ରାଜୀବ ମେମୋରିଆଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଗଜପତି ଜିଲ୍ଲାର ଡିଭିଜନାଲ ଫରେଷ୍ଟ ଅଫିସର ଶ୍ରୀ କେ, ନାଗରାଜୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଗୌରବାନ୍ବିତ କରିଥିଲେ। ମଞ୍ଚରେ ଏମ୍.ଏସ୍. ସ୍ବାମୀନାଥନ୍ କୃଷି ବିଦ୍ୟାଳୟର ଡିନ୍ ପ୍ରଫେସର ସାଗର ମୈତ୍ର , ସେଞ୍ଚୁରିଆନ୍ ୟୁନିଭର୍ସିଟି ପାରଳାଖେମୁଣ୍ଡିର ଡିନ୍ ଷ୍ଟୁଡେଣ୍ଟ ଆଫେୟାର୍ସ ଡଃ ରିତେଶ କୁମାର , ଚାରାରୋପଣ କାର୍ଯ୍ୟକ୍ରମ ସଂଯୋଜକ ତଥା ଏନ୍‌ଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଡଃ ବିଷ୍ଣୁପ୍ରସାଦ ଦାଶ , ରାଜୀବ ମେମୋରିଆଲ ହାଇସ୍କୁଲର ପ୍ରଧାନଶିକ୍ଷକ ଶ୍ରୀ ବି. ରାଜଶେଖରମ୍ , ସରପଞ୍ଚଙ୍କ ପ୍ରତିନିଧ ଏବଂ ବନ ବିଭାଗର ଅଧିକାରୀମାନେ ସମ୍ମାନିତ ଅଡିଥି ଭାବେ ଉପସ୍ଥିତ ଥିଲେ।
ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ଦୀପ ପ୍ରଜ୍ଜ୍ଵଳନ କରାଯାଇ ଔପଚାରିକ ଭାବେ ଅଭିଯାନର ଶୁଭାରମ୍ଭ କରାଯାଇଥିଲା। ଉଦ୍ଘାଟନୀ ଅଭିଭାଷଣରେ ଡଃ ବିଷ୍ଣୁପ୍ରସାଦ ଦାଶ ପରିବର୍ତ୍ତିତ ଜଳବାୟୁ ପରିସ୍ଥିତିରେ ବୃକ୍ଷରୋପଣର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, କେବଳ ଚାରା ରୋପଣ କରିଦେଲେ ଆମର ଦାୟିତ୍ଵ ଶେଷ ହୁଏ ନାହିଁ; ରୋପଣ କରାଯାଇଥିବା ଗଛଗୁଡ଼ିକର ଯତ୍ନ ନେବା ମଧ୍ୟ ସମାନ ଭାବରେ ଆବଶ୍ୟକ। ଛାତ୍ରଛାତ୍ରୀମାନେ ଗଛଗୁଡ଼ିକର ଯତ୍ନ ନେଇ ଏକ ସବୁଜ , ସୁସ୍ଥ ଓ ସମୃଦ୍ଧ ଓଡ଼ିଶା ଗଠନରେ ନିଜର ଅବଦାନ ରଖିବାକୁ ସେ ଆହ୍ୱାନ ଜଣାଇଥିଲେ।
ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବି. ରାଜଶେଖରମ୍ ନିଜ ଅଭିଭାଷଣରେ ମାନବ ଜୀବନ ଓ ପରିବେଶ ପାଇଁ ଗଛର ଅପରିହାର୍ଯ୍ୟତା ବିଷୟରେ ଆଲୋଚନା କରିଥିଲେ। ତାଙ୍କ ବିଦ୍ୟାଳୟରେ ଏଭଳି ଏକ ମହତ୍ତ୍ୱପୂର୍ଣ୍ଣ ଅଭିଯାନ ଆୟୋଜନ କରିଥିବାରୁ ସେ ଡିଏଫଓ ଓ ସେଞ୍ଚୁରିଆନ୍ ୟୁନିଭର୍ସିଟିର ସମଗ୍ର ଟିମକୁ ଧନ୍ୟବାଦ ଜଣାଇଥିଲେ।
ଡଃ ରିତେଶ କୁମାର ତାଙ୍କ ଅଭିଭାଷଣରେ ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ହ୍ରାସ କରିବାରେ ବୃକ୍ଷର ଗୁରୁତ୍ବ ଉପରେ ମତ ପ୍ରକାଶ କରିଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ଅଧିକରୁ ଅଧିକ ଗଛ ଲଗାଇବା ସହିତ ନିଜ ଅଞ୍ଚଳ ଓ ସମ୍ପ୍ରଦାୟକୁ ସବୁଜ କରିବା ପାଇଁ ପ୍ରେରିତ କରିଥିଲେ ।
ମୁଖ୍ୟ ଅତିଥି ଡି ଏଫ ଓ ଶ୍ରୀ କେ. ନାଗରାଜୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଖୁସି ବ୍ୟକ୍ତ କରିଥିଲେ ସେ ସେଞ୍ଚୁରିଆନ୍ ୟୁନିଭର୍ସିଟି ର ଏହି ମହତ୍ତ୍ଵପୂର୍ଣ୍ଣ ପରିବେଶ ସଚେତନତାମୂଳକ ପଦକ୍ଷେପକୁ ପ୍ରଶଂସା କରିବା ସହିତ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦାୟକ ବାର୍ତ୍ତା ଦେଇଥିଲେ। ସେ କହିଥିଲେ ଯେ, ଏକ ଚାରାକୁ ପ୍ରଥମ ତିନି ବର୍ଷ ଯତ୍ନର ସହିତ ଲାଳନପାଳନ କରିବା ଆବଶ୍ୟକ; ଗଛଟି ଥରେ ଭଲ ଭାବରେ ପ୍ରତିଷ୍ଠିତ ହୋଇଗଲେ ପରବର୍ତ୍ତୀ ସମୟରେ ସେହି ଗଛ ଆମର ଯତ୍ନ ନେବ । ଏହା ସହିତ ସେ “ଏକ ପେଜ୍‌ ମା କେ ନାମ” ଅଭିଯାନର ମହତ୍ତ୍ବ ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରଫେସର ସାଗର ମୈତ୍ର , ଡିନ୍, ଏମ୍ . ଏସ୍.ସ୍ଵମିନାଥାନ ସ୍କୁଲ ଅଫ ଏଗ୍ରିକଲ୍ଚର ଧନ୍ୟବାଦ ଅର୍ପଣ କରିଥିଲେ। ସେ ମୁଖ୍ୟ ଅତିଥି , ବନ ବିଭାଗର ଅଧିକାରୀ , ବିଦ୍ୟାଳୟ କର୍ତ୍ତୃପକ୍ଷ , ଗ୍ରାମବାସୀ , କୃଷକ ଏବଂ ଛାତ୍ରଛାତ୍ରୀଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ।
ଏହି ଅବସରରେ ବୃକ୍ଷରୋପଣ ପାଇଁ ନିଜସ୍ବ ଜମି ଯୋଗାଇଦେଇଥିବା ଶ୍ରୀ କୋରା ସାମ୍ବା ମୂର୍ତ୍ତି ଏବଂ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବି. ରାଜଶେଖରମ୍‌ଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ସମ୍ବର୍ଦ୍ଧନା କରାଯାଇଥିଲା। ପରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା I ଏଥିରେ ପ୍ରାୟ ୩୦ଟି ଚାରା ରୋପଣ କରାଯାଇଥିଲା । ଉପସ୍ଥିତ ସମସ୍ତ ଅତିଥିଙ୍କ ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ବୃକ୍ଷରୋପଣରେ ଅଂଶଗ୍ରହଣ କରିଥିଲେ।
ଏହି ଅଭିଯାନର ଅନ୍ୟତମ ପ୍ରମୁଖ ଆକର୍ଷଣ ଭାବେ କୋରସଣ୍ଢା ଗ୍ରାମର ଜଣେ କୃଷକଙ୍କ ଜମିରେ “ବହୁବର୍ଷୀୟ ଫଳ ବଗିଚା ବିକାଶ କାର୍ଯ୍ୟକ୍ରମ” ଆରମ୍ଭ କରାଯାଇଥିଲା। ଦୀର୍ଘମିଆଦୀ ଭିତ୍ତିରେ ଫଳ ଉତ୍ପାଦନ ଓ ସ୍ଥାୟୀ ସବୁଜ ପରିବେଶ ସୃଷ୍ଟି ଦିଗରେ ଏହି ପଦକ୍ଷେପ ଏକ ଅର୍ଥପୂର୍ଣ୍ଣ ପ୍ରୟାସ ବୋଲି ବିବେଚିତ ହୋଇଛି I ଏହି ଫଳ ବଗିଚାରେ ଏନ ଏସ ଏସ ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ପ୍ରାୟ ୧୦୦ଟି ଗଛ ରୋପଣ କରିଥିଲେ।
ଏହି ମେଗା ବୃକ୍ଷରୋପଣ ଅଭିଯାନ ମାଧ୍ଯମରେ କେବଳ ବୃକ୍ଷରୋପଣ ନୁହେଁ, ବରଂ ଛାତ୍ରଛାତ୍ରୀ , ବିଦ୍ୟାଳୟ , କୃଷକ , ଗ୍ରାମବାସୀ ଓ ସରକାରୀ ବିଭାଗ ମଧ୍ୟରେ ସମନ୍ବିତ ସହଯୋଗ ମାଧ୍ୟମରେ ଏକ ସବୁଜ , ସୁସ୍ଥ ଓ ପରିବେଶ-ସହନଶୀଳ ସମାଜ ଗଠନର ଦୃଢ଼ ବାର୍ତ୍ତା ପ୍ରଦାନ କରାଯାଇଛି।

Leave A Reply

Your email address will not be published.