ଆଭାସି ମାଧ୍ୟମରେ ସରକାରୀ ଓକିଲଙ୍କର ସମନ୍ୱୟ ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶୁନ୍ୟ ଅପରାଧ ସହନଶୀଳତାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଗୃହ ବିଭାଗର ପ୍ରସିକ୍ୟୁସନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଦୀପ୍ତି ରଞ୍ଜନ କାନୁନଗୋ ସମାଜରେ ବୃଦ୍ଧି ପାଉଥିବା ଅପରାଧର କିପରି ହ୍ରାସ ଘଟିବ ତଥା ସମସ୍ତ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ମିଳିପାରିବ ସେ କଥାକୁ ଚିନ୍ତା କରି ଗଜପତି ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଅଜିତ କୁମାର ପଟ୍ଟନାୟକ ତଥା ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟରେ ଗଜପତି ଜିଲ୍ଲାର ସମସ୍ତ ପ୍ରସିକ୍ୟୁଟରଙ୍କୁ ନେଇ ଆଜି ଭର୍ଚ୍ୟୁଆଲ (ଆଭାସି) ମାଧ୍ୟମରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
ପାଖାପାଖି ଏକ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଜିଲ୍ଲା ନ୍ୟାୟାଳୟର ସମସ୍ତ ପ୍ରସିକ୍ୟୁଟର ତଥା ମୋହନା ନ୍ୟାୟାଳୟର ସରକାରୀ ଓକିଲ ସୁଶାନ୍ତ ମଲ୍ଲିକ ଓ ଆର. ଉଦୟଗିରି ନ୍ୟାୟାଳୟର ସରକାରୀ ଓକିଲ ଦୁର୍ଯ୍ୟୋଧନ କରଡ ଉପସ୍ଥିତ ରହିଥିଲେ। ଉକ୍ତ ବୈଠକରେ ମୁଖ୍ୟତଃ ମାମଲାର ତଥ୍ୟାବଳୀ କିପରି ପ୍ରସ୍ତୁତ କରାଯିବ ଏବଂ ତଦନ୍ତ ପ୍ରକ୍ରିୟାରେ ଥିବା ତ୍ରୁଟି-ବିଚ୍ୟୁତିକୁ କିପରି ସୁଧରାଯିବ , ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହା ସହିତ ଜନସାଧାରଣଙ୍କ ନିକଟତର ହୋଇ କିପରି ତ୍ୱରିତ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରାଯାଇପାରିବ , ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।
ଏତଦବ୍ୟତୀତ ସର୍ବ ପ୍ରଥମେ ଯୁଗ୍ମ ନିର୍ଦ୍ଦେଶକ ଅଜିତ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବୈଠକରେ ବିଭିନ୍ନ ସଙ୍ଗିନ ମାମଲାରେ ଅଭିଯୋଜକମାନେ ନ୍ୟାୟାଳୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। ଏହି ପ୍ରସଙ୍ଗରେ ବିଶେଷ ଭାବେ ମାନ୍ୟବର ସୁପ୍ରିମକୋର୍ଟଙ୍କର ବିଭିନ୍ନ ଦିଶା ନିର୍ଦ୍ଦେଶ ଉପରେ ମଧ୍ୟ ଆଲୋଚନା କରାଯାଇ କିପରି ଦଣ୍ଡ ହାର ବୃଦ୍ଧି କରାଯାଇପାରିବ ସେ ନେଇ ବିଶେଷ ଭାବେ ଆଲୋଚନା କରାଯାଇଥିଲା। ସେହିପରି ପୋକ୍ସୋ ମାମଲା ଓ ଗଞ୍ଜେଇ ଚାଲାଣ ମାମଲାରେ କିପରି ଦଣ୍ଡ ବିଧାନ କରାଯାଇ ଦୋଷୀଙ୍କୁ ସଜା ଦିଆଯାଇପାରିବ ସେ ନେଇ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଏମ. ପୃଥ୍ବୀରାଜ ଓ କେ. ତାତେୟା ନିଜର ମତ ରଖିଥିଲେ। ସର୍ବଶେଷରେ ଏହି ବୈଠକର ସଫଳ ଆୟୋଜନ ନିମନ୍ତେ ସହାୟକ ନିର୍ଦ୍ଦେଶକ ଡ଼ି.ଅନୁପରାଜ ଆଚାରି ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।