ଦିନେ ଯେଉଁ ରୋଗ ଛଡ଼ାଇ ନେଇଥିଲା କଥା କହିବାର ଶକ୍ତି, ଆଜି ସେହି କଥା କହିବା ଶୈଳୀ ହିଁ ଦେଇଛି ସ୍ୱତନ୍ତ୍ର ପରିଚୟ
ବଲାଙ୍ଗିର, ୭/୯ : ମାଉଥ୍ କ୍ୟାନ୍ସର। ଏଭଳି ଏକ ରୋଗ, ଯେଉଁଥିରେ ପାଟିରୁ କଥା ବାହାର କରିବା ମଧ୍ୟ କଷ୍ଟକର ହୋଇପଡ଼େ। କ୍ୟାନ୍ସର ଯୋଗୁଁ ଜିଭର ଏକ ଅଂଶ କାଟିବାକୁ ପଡ଼ିଲା। ତଥାପି ହାର ମାନିନାହାନ୍ତି ବଲାଙ୍ଗିରର ଟିକେଶ୍ୱର ସାହୁ। ବରଂ ନିଜର ନିଆରା କଥା କହିବା ଶୈଳୀକୁ ହିଁ ସେ କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ।
ବଲାଙ୍ଗିର ସହରର ଶାନ୍ତିପଡ଼ାର ବାସିନ୍ଦା ଟିକେଶ୍ୱର ପ୍ରାୟ ୬ ବର୍ଷ ଧରି ମାଉଥ୍ କ୍ୟାନ୍ସର ସହ ଲଢ଼େଇ କରିଛନ୍ତି। ଜୀବନର ସେହି କଠିନ ସମୟରେ ସେ ସହିଛନ୍ତି ଅସହ୍ୟ ଯନ୍ତ୍ରଣା। ଚିକିତ୍ସା ସମୟରେ ତାଙ୍କ ଜିଭର ଏକ ଅଂଶ କାଟିବାକୁ ପଡ଼ିଥିଲା। ଏବେ ମଧ୍ୟ ସ୍ପଷ୍ଟ ଭାବେ କଥା କହିବା ତାଙ୍କ ପାଇଁ ସହଜ ନୁହେଁ।
କିନ୍ତୁ ରୋଗକୁ ନିଜ ଉପରେ ଭାରି ହେବାକୁ ଦେଇନାହାନ୍ତି ଟିକେଶ୍ୱର। କ୍ୟାନ୍ସରକୁ ପରାସ୍ତ କରିବା ପରେ ଧୀରେ ଧୀରେ ସୋସିଆଲ୍ ମିଡିଆ ଦୁନିଆରେ ପାଦ ରଖିଥିଲେ। ନିଜ ଅନୁଭବ, ଜୀବନଶୈଳୀ ଓ ଦୈନନ୍ଦିନ ଘଟଣାକୁ ନେଇ ଭିଡିଓ କରିବା ଆରମ୍ଭ କଲେ।
ବିଶେଷକରି ଫୁଡ୍ ଭ୍ଲଗିଂ ସହ ପଶ୍ଚିମ ଓଡ଼ିଶାର ଚାଲିଚଳଣ, ଖାଦ୍ୟ, ପରମ୍ପରା ଓ ସ୍ଥାନୀୟ ଜୀବନଶୈଳୀକୁ ନିଜ ଭିଡିଓ ମାଧ୍ୟମରେ ଦର୍ଶକଙ୍କ ନିକଟରେ ପହଞ୍ଚାଉଛନ୍ତି ଟିକେଶ୍ୱର।
ତାଙ୍କର ନିଆରା କଥା କହିବା ଶୈଳୀ ଓ ସରଳ ଉପସ୍ଥାପନାକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ବଲାଙ୍ଗିରରୁ ଆରମ୍ଭ ହୋଇଥିବା ତାଙ୍କ ଏହି ଯାତ୍ରା ଏବେ ସାରା ଓଡ଼ିଶାର ଦର୍ଶକଙ୍କ ପାଖରେ ପହଞ୍ଚିଛି। ତାଙ୍କ ଭିଡିଓ ଲକ୍ଷାଧିକ ଦର୍ଶକଙ୍କ ନିକଟରେ ପହଞ୍ଚୁଥିବା କୁହାଯାଉଛି।
ଦିନେ ଯେଉଁ ରୋଗ ତାଙ୍କ କଥା କହିବାର ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲା, ଆଜି ସେହି କଥା କହିବା ଶୈଳୀ ହିଁ ତାଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ।
ଏହି ସଫଳତା ପଛରେ ପରିବାରର ସମର୍ଥନ, ଭଲପାଇବା ଓ ପ୍ରେରଣାକୁ ଟିକେଶ୍ୱର ଗୁରୁତ୍ୱ ଦେଉଛନ୍ତି। ତାଙ୍କ ସଫଳତାରେ ପରିବାର ମଧ୍ୟ ବେଶ୍ ଖୁସି ଅଛନ୍ତି।
କ୍ୟାନ୍ସର ଭଳି ଏକ ମାରାତ୍ମକ ରୋଗ ସହ ଦୀର୍ଘ ଲଢ଼େଇ ପରେ ଜୀବନକୁ ନୂଆ ଢଙ୍ଗରେ ବଞ୍ଚିବା ଶିଖିଛନ୍ତି ଟିକେଶ୍ୱର। ତାଙ୍କ କାହାଣୀ କେବଳ ଜଣେ ଭ୍ଲଗରଙ୍କ ସଫଳତାର କାହାଣୀ ନୁହେଁ; ଏହା ପ୍ରତିକୂଳ ପରିସ୍ଥିତିରେ ହାର ନମାନି ଆଗକୁ ବଢ଼ିବାର ଏକ ପ୍ରେରଣାଦାୟୀ ଉଦାହରଣ।