ଗୋପାଳ ସମାଜ ପକ୍ଷରୁ ନନ୍ଦ ଉତ୍ସବ ;ଗିନି, ମୃଦଙ୍ଗ ଓ ହରିନାମରେ ମୁଖରିତ ହେଲା କୁଲାଙ୍ଗି ଗାଁ

1

ବେଲଗୁଣ୍ଠା,୦୫/୦୯,-(ଶିବରାମ ଚୌଧୁରୀ )-ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗୋପାଳ ସମାଜ କୋଠାଘର ପରିସରରେ ଗୋପାଳ ସମାଜ ପକ୍ଷରୁ ପାରମ୍ପରିକ ରୀତିନୀତି ଓ ଆଧ୍ୟାତ୍ମିକ ଭାବାବେଗର ସହ ନନ୍ଦ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀକୃଷ୍ଣଙ୍କ ବିଧିବଦ୍ଧ ପୂଜାର୍ଚ୍ଚନା ସହ ଠାକୁରଙ୍କ ନଗର ପରିକ୍ରମା କରାଯାଇଥିଲା। ଗିନି, ମୃଦଙ୍ଗ ଓ ହରିନାମ ସଂକୀର୍ତ୍ତନରେ ସମଗ୍ର ଗ୍ରାମ ମୁଖରିତ ହୋଇ ଉଠିଥିଲା। ଉତ୍ସବରେ ଘୁମୁସର ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜର ତାଲୁକା ସଭାପତି ଶିବ ଶଙ୍କର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଭୂତପଲ୍ଲୀ ମୁଠା ସଭାପତି ରାମଚନ୍ଦ୍ର ଗୌଡ଼ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସମାଜର ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ଼, ସହସମ୍ପାଦକ ରାମନାଥ ଗୌଡ଼ ଓ କୋଷାଧ୍ୟକ୍ଷ ଭିକାରୀ ଚରଣ ଗୌଡ଼ଙ୍କ ସମେତ ବହୁ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ନନ୍ଦ ଉତ୍ସବ ମାଧ୍ୟମରେ ଗୋପାଳ ସମାଜର ପାରମ୍ପରିକ ପ୍ରଥା, ପରମ୍ପରା ଓ ସାଂସ୍କୃତିକ ଐତିହ୍ୟକୁ ଉଜ୍ଜୀବିତ କରିବା ସହ ଉତ୍ତରପିଢ଼ିକୁ ଏହା ସମ୍ପର୍କରେ ସଚେତନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶେଷରେ ଦଧି ହାଣ୍ଡି ଭଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହାକୁ ନେଇ ଗ୍ରାମରେ ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

Leave A Reply

Your email address will not be published.