ଖୋର୍ଦ୍ଧାରୁ (ସେକ ଜାଫର ): ବରିଷ୍ଠ ନାଗରିକ ମଞ୍ଚର ସଭାଗୃହରେ “ଗୁରୁ ଦିବସ” ପାଳନ କରାଯାଇଥିଲା l ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ “ଭାରତ ରତ୍ନ” ରେ ସମ୍ମାନିତ ଭୂତପୂର୍ବ ରାଷ୍ଟ୍ରପତି, ଶିକ୍ଷାବିତ ଡ଼. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଆଜି ତାଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l ଏହି ଅବସରରେ ଅବସର ପ୍ରାପ୍ତ ଶିକ୍ଷକ ସର୍ବଶ୍ରୀ ଅଞ୍ଜନ କୁମାର ରାୟ, ଉତ୍ତର କୁମାର ସାହୁ, ରବୀନ୍ଦ୍ର ନାଥ ଶତପଥୀ, ରବୀନ୍ଦ୍ର ନାଥ ମିଶ୍ର, ପ୍ରମୋଦ କୁମାର ସାହୁ, ପ୍ରଫୁଲ୍ଲ କୁମାର ସାମନ୍ତରାୟ, ମଧୁସୂଦନ ମହାପାତ୍ର, ବିନାୟକ ପାଇକରାୟ ପ୍ରମୁଖଙ୍କୁ ମଞ୍ଚର ଉପଦେଷ୍ଟା ଅବସର ପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଦେବ ପ୍ରସାଦ ମଜୁମଦାର ସମ୍ବର୍ଦ୍ଧିତ କରିଥିଲେ l ଅବସର ପ୍ରାପ୍ତ ଶିକ୍ଷକ ଓ ଉପସ୍ଥିତ ବରିଷ୍ଠ ନାଗରିକ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାକୁ ସେମାନେ ଶିକ୍ଷା ଲାଭ କରିଥିବା ବ୍ୟବସ୍ଥା ସହ ତୁଳନା କରି ଆଲୋଚନା ଚକ୍ରରେ ବକ୍ତବ୍ୟ ପ୍ରଦାନ କରିଥିଲେ l ମଞ୍ଚର ସମ୍ପାଦକ ରାମଶଙ୍କର ସ୍ୱାଗତ ବକ୍ତବ୍ୟରେ ଶିକ୍ଷାର ଆବଶ୍ୟକତା, ବ୍ୟବସ୍ଥା ଓ ଶିକ୍ଷକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ l ଶିକ୍ଷା, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କ୍ଷମତା ଅନ୍ତର୍ଗତ ବିଷୟ l ଶିକ୍ଷା କ୍ଷେତ୍ରକୁ ଘରୋଇକରଣ କଲାପରେ ଶିକ୍ଷାନୁଷ୍ଠାନଗୁଡିକ ବ୍ୟବସାୟ ପେଣ୍ଠରେ ପରିଣତ ହୋଇଛି l ବ୍ୟୟବହୁଳ ଉଚ୍ଚ ଶିକ୍ଷା, ବୈଷୟିକ ଶିକ୍ଷା, ଗବେଷଣାତ ଦୂରର କଥା ଗୁଣାତ୍ମକ ମାନର ପ୍ରାଥମିକ ଶିକ୍ଷା ଆର୍ଥିକ ଦୁର୍ବଳ ଶ୍ରେଣୀ ଏବଂ ମଧ୍ୟବିତ୍ତ ଶ୍ରେଣୀ ପାଇଁ ଅପହଞ୍ଚ ହୋଇ ପଡିଛି l ସରକାରୀ ବିଦ୍ୟାଳୟରେ ଶ୍ରେଣୀ ଗୃହ, ଶିକ୍ଷକ, ଶିକ୍ଷା ଉପକରଣ, ଶୌଚାଳୟ ଏପରିକି ପାନୀୟ ଜଳର ସୁବିଧା ନାହିଁ l ଜଣେ ନେତାଙ୍କୁ 40 ଜଣ ସୁରକ୍ଷା କର୍ମୀ ସରକାର ଯୋଗାଇ ଦେଉଛନ୍ତି ଅଥଚ 40 ଜଣ ବିଦ୍ୟାର୍ଥୀଙ୍କୁ ଜଣେ ଶିକ୍ଷକ ଦେଉ ନାହାଁନ୍ତି l ସରକାରୀ ବିଦ୍ୟାଳୟ ଆଉ ମଣିଷ ତିଆରି କାରଖାନା ହୋଇ ରହିନାହିଁ l ସରକାରୀ ବିଦ୍ୟାଳୟରେ ନିଯୁକ୍ତ ଜଣେ ଶିକ୍ଷକ ନିର୍ବାଚନ ଆୟୋଗ, ଜନଗଣନା କାର୍ଯ୍ୟାଳୟ, ସ୍ୱାସ୍ଥ୍ୟ ବିଭାଗ ଇତ୍ୟାଦିର କାର୍ଯ୍ୟ କଲା ପରେ ଶିକ୍ଷାଦାନ ପାଇଁ ସମୟ ପାଉ ନାହାଁନ୍ତି ଏବଂ ଶିକ୍ଷାଦାନ ବ୍ୟତୀତ ଅନ୍ୟ କାର୍ଯ୍ୟରେ ସରକାର ଶିକ୍ଷକଙ୍କୁ ନିଯୁକ୍ତ କରିବା ଯୋଗୁଁ ସରକାରୀ ବିଦ୍ୟାଳୟ ଭୁଶୁଡି ପଡ଼ିଲାଣି l ଘରୋଇ ଶିକ୍ଷାନୁଷ୍ଠାନକୁ ସରକାର ନିଜ ନିୟନ୍ତ୍ରଣକୁ ନେଲେ କିମ୍ବା ମନ୍ତ୍ରୀ,ସାଂସଦ, ବିଧାୟକ, ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ଏବଂ ସରକାରୀ ଅଧିକାରୀ, କର୍ମଚାରୀଙ୍କ ପୁତ୍ର କନ୍ୟା ସରକାରୀ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ ବାଧ୍ୟତାମୂଳକ କରାଗଲେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିବ l ନିଶୁଳ୍କ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ଦେଶ ଅଗ୍ରଗତିର ପ୍ରଥମ ସୋପାନ ବୋଲି ଆଲୋଚନା ଚକ୍ରରେ ସର୍ବ ସମ୍ମତ ପ୍ରସ୍ତାବ ପାରିତ ହୋଇଥିଲା l
ସହ ସମ୍ପାଦକ ହରମୋହନ ମହାପାତ୍ର, କ୍ଷେତ୍ରବାସୀ ସାହୁ, ନବୀନ ସାମନ୍ତସିଂହାର, ଗଦାଧର ଗୋଛି, ମାୟାଧର ପ୍ରଧାନ ସଭା ପରିଚାଳନା କରିଥିଲେ ଓ ଡ଼. ଶୁଭ୍ରେନ୍ଦୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ll
Sign in
Sign in
Recover your password.
A password will be e-mailed to you.