ବିଭିନ୍ନ ୱାର୍ଡରେ ଉଦ୍ଘାଟନ, ଶିଳାନ୍ୟାସ ଓ ନୂଆ ପ୍ରକଳ୍ପ ଘୋଷଣା
ଝାରସୁଗୁଡ଼ା, ୫/୯: ଝାରସୁଗୁଡ଼ା ପୌରପାଳିକା ଅଧୀନ ବିଭିନ୍ନ ୱାର୍ଡର ସାମଗ୍ରିକ ବିକାଶ ଓ ସହରର ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ୨୮.୦୬ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯାଇଛି। ଏହା ସହିତ ଆଗାମୀ ଦିନରେ ଆଉ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଥିବାରୁ ସହରର ବିକାଶ ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହେବ ବୋଲି ଆଶା ପ୍ରକାଶ ପାଇଛି।
ଏମଏସବିୱାଇ ୨୦୨୫-୨୬ ଯୋଜନା ଅଧୀନରେ ୧.୪୦ କୋଟି ଟଙ୍କା ବ୍ୟୟରେ ୭ଟି ପ୍ରକଳ୍ପର ଉଦ୍ଘାଟନ ଓ ୪.୮୦ କୋଟି ଟଙ୍କାର ୧୦ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ସେହିପରି ସିଏସଆର, ୧୫ତମ ଅର୍ଥ କମିଶନ, ଉନ୍ନତି ଓ ଏମଏସବୱାଇ ଯୋଜନାରେ ୪.୦୧ କୋଟି ଟଙ୍କାର ୨୩ଟି ପ୍ରକଳ୍ପ ଉଦ୍ଘାଟିତ ହୋଇଥିବା ବେଳେ ୧୦.୧୫ କୋଟି ଟଙ୍କାର ୩୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।
ଏହା ବ୍ୟତୀତ ଏମଏସବୱାଇ ୨୦୨୬-୨୭ ଅଧୀନରେ ବିଭିନ୍ନ ୱାର୍ଡ ପାଇଁ ପ୍ରାୟ ୭.୬୦ କୋଟି ଟଙ୍କା ବ୍ୟୟରେ ଆଉ ୮ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି।
ମଞ୍ଜୁରିପ୍ରାପ୍ତ ଓ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ୱାର୍ଡ ନମ୍ବର ୧୯ ମଙ୍ଗଳ ବଜାରରେ ପ୍ରାୟ ୭୦ ଲକ୍ଷ ଟଙ୍କା ବ୍ୟୟରେ ସ୍ମାର୍ଟ ଇ-ଲାଇବ୍ରେରୀ ଓ ଡିଜିଟାଲ ଲର୍ଣ୍ଣିଂ ସେଣ୍ଟର, ୱାର୍ଡ ନମ୍ବର ୧୩ ଦେବାଡ଼ିହିରେ ୧.୬୦ କୋଟି ଟଙ୍କାରେ କମ୍ୟୁନିଟି ମଲ୍ଟିପର୍ପସ୍ ହଲ୍ ଏବଂ ୱାର୍ଡ ନମ୍ବର ୭ରେ ୧ କୋଟି ଟଙ୍କା ବ୍ୟୟରେ ସ୍ମାର୍ଟ ପାର୍କ ପ୍ରମୁଖ ରହିଛି।
ସେହିପରି ବୁରୋମାଲ ଶ୍ମଶାନ ଘାଟର ଉନ୍ନତିକରଣ ଓ ଆଧୁନିକୀକରଣ ପାଇଁ ୧.୬୦ କୋଟି ଟଙ୍କା, ସରବାହାଲ ନିକଟରେ ମଡର୍ଣ୍ଣ ଫୁଡ୍ ଷ୍ଟ୍ରିଟ୍, ଏକତାଲିରେ ଶ୍ମଶାନ ଶେଡ୍ ଓ ଆପ୍ରୋଚ୍ ରୋଡ୍, ମା’ କାଳୀ ମନ୍ଦିର ନିକଟରେ କମ୍ୟୁନିଟି ମଣ୍ଡପ ଏବଂ ବିର୍ସା ମୁଣ୍ଡା କଲ୍ୟାଣ ମଣ୍ଡପର ସମ୍ପ୍ରସାରଣ ଓ ଉନ୍ନତିକରଣ ଭଳି ପ୍ରକଳ୍ପ ଅନ୍ତର୍ଭୁକ୍ତ।
ଏହି ଅବସରରେ ପୌରପାଳିକା ଅଧ୍ୟକ୍ଷା ରାନୀ ହାତୀ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ନିରନ୍ତର ସହଯୋଗ ପାଇଁ ସାଧୁବାଦ ଜଣାଇଥିଲେ। ଏଥିସହ ସମସ୍ତ କାଉନସିଲର, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପୌର କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମକୁ ସେ ପ୍ରଶଂସା କରିଥିଲେ।
କାର୍ଯ୍ୟକ୍ରମରେ ପୌର ଅଧ୍ୟକ୍ଷା ରାନୀ ହାତୀଙ୍କ ସମେତ ପୱନ ଶର୍ମା, ରମାନ୍ନା ରାଓ, ଗୀତାଞ୍ଜଳି ପଣ୍ଡା, ମଧୁମିତା ସୁଭନିଲ, ନବନୀତ କୌର, ସୁଷମା ବରାଳ, ନିତାରାଣୀ ଶାହା, ବାସନ୍ତୀ ଟପୋ, ଝରଣା ଭୋଇ, ତରଙ୍ଗ ଦୁବେ, ଜୟନ୍ତୀ ନାଏକ, ପ୍ରତିମା ଭଇଁସାଲ, ହରିଶ ଗନାତ୍ରା, ରବି ସିଂ, ପୱନ ସିଂ ଯାଦବ, ଅଶୋକ ଦାସ, ତୁଳସୀ ଦାସ, ମଦନ ହାତୀ, ଆଲୋକ ତ୍ରିପାଠୀ ଓ ଶଶି ଭୂଷଣ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ।