ବଲାଙ୍ଗୀର/ନିରୋଜ ମିଶ୍ର: ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜମି ଓ ଏହାର ବ୍ୟବହାରକୁ ନେଇ ବଲାଙ୍ଗୀରରେ ଚର୍ଚ୍ଚା ଦିନକୁ ଦିନ ତୀବ୍ର ହେଉଛି। ଏହି ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ନେତାଙ୍କ ମତାମତ ସାମ୍ନାକୁ ଆସିବା ପରେ ଏବେ ବଲାଙ୍ଗୀର ନାଗରିକ କମିଟିର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି।
ବଲାଙ୍ଗୀର ବିଧାୟକ କଳିକେଶ ସିଂହଦେଓଙ୍କ ମତ ଅନୁଯାୟୀ, ପୂର୍ବତନ ସରକାରଙ୍କ କୌଣସି ନିଷ୍ପତ୍ତିରେ ଯଦି ତ୍ରୁଟି ରହିଥାଏ, ତେବେ ବର୍ତ୍ତମାନର ସରକାର ସେହି ଭୁଲକୁ ସୁଧାରିବା ଉଚିତ। ଆବଶ୍ୟକ ହେଲେ ଜମି ଫେରାଇବା ପାଇଁ ଆଇନସମ୍ମତ ପଦକ୍ଷେପ ନେବା ଏବଂ ଅବୈଧ ନିର୍ମାଣ ଥିଲେ ତାହା ହଟାଇବା ନେଇ ମଧ୍ୟ ସେ ମତ ଦେଇଥିବା କୁହାଯାଉଛି।
ଅନ୍ୟପକ୍ଷରେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ମଧ୍ୟ ଜମି ଯଦି ନିୟମ ବିରୋଧୀ ଭାବେ ନିଆଯାଇଥାଏ, ତେବେ ତାହା ଫେରାଇ ଦେବା ଉଚିତ ବୋଲି ମତ ରଖିଥିବା ଚର୍ଚ୍ଚା ହେଉଛି।
ସେହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମ୍ପର୍କିତ ଜମି ପ୍ରସଙ୍ଗରେ ଐତିହାସିକ ତଥ୍ୟ ଓ ଜମିର ବ୍ୟବହାର ସମ୍ପର୍କରେ ନିଜ ମତ ରଖିଥିବା ଜଣାପଡ଼ିଛି। ତାଙ୍କ କହିବା ଅନୁଯାୟୀ, ଏହି ଜମିର ଏକ ଅଂଶ ପୂର୍ବରୁ ଖେଳକୁଦ ପାଇଁ ବ୍ୟବହୃତ ହେଉଥିଲା।
ତିନିଜଣ ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ୱଙ୍କ ମତାମତ ପରେ ସହରରେ ଏବେ ଏକ ମୁଖ୍ୟ ପ୍ରଶ୍ନ ଉଠୁଛି—ବଲାଙ୍ଗୀର ନାଗରିକ କମିଟି କେବେ ନିଜର ସ୍ପଷ୍ଟ ମତ ରଖିବ?
ନାଗରିକ କମିଟିର ମୁଖ୍ୟ ଉଦ୍ଦେଶ୍ୟ ଯଦି ବଲାଙ୍ଗୀରର ସମସ୍ୟା ଓ ବିକାଶମୂଳକ ପ୍ରସଙ୍ଗରେ ଜନସ୍ୱାର୍ଥର ପକ୍ଷ ରଖିବା, ତେବେ ଏତେ ଗୁରୁତ୍ୱପୂର୍ଣ୍ଣ ଜମି ଓ ଷ୍ଟେଡିୟମ୍ ପ୍ରସଙ୍ଗରେ ତାହାର ନିରବତା କାହିଁକି—ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଚର୍ଚ୍ଚା ବଢ଼ୁଛି।
ଆଉ କେତେ ଦିନ ନିରବ ରହିବ ନାଗରିକ କମିଟି?
ବଲାଙ୍ଗୀରର ବିକାଶ ପାଇଁ କମିଟିର ପରବର୍ତ୍ତୀ ପଦକ୍ଷେପ କ’ଣ?
ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଏବେ ବଲାଙ୍ଗୀରବାସୀ ଅପେକ୍ଷା କରିଛନ୍ତି। ଆଗାମୀ ଦିନରେ ନାଗରିକ କମିଟି ଏହି ପ୍ରସଙ୍ଗରେ ସକ୍ରିୟ ହୋଇ କୌଣସି ଠୋସ୍ ପଦକ୍ଷେପ ନେବ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।